ନୂଆଦିଲ୍ଲୀ: ଜେଲ୍‌ରେ ରହି ବାହାରେ ଆତଙ୍କ ଖେଳାଉଛି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ । କିନ୍ତୁ ଏବେ ସେ ବାହାର ଦୁନିଆ ସହ ଯୋଗାଯୋଗ କରିପାରିବ ନାହିଁ । ତାକୁ  ଅହମ୍ମଦାବାଦର ସାବରମତୀ ସେଣ୍ଟ୍ରାଲ ଜେଲର ଏକ ସ୍ୱତନ୍ତ୍ର ଏବଂ ଉଚ୍ଚ ସୁରକ୍ଷା ବିଶିଷ୍ଟ ବ୍ଲକକୁ ସ୍ଥାନାନ୍ତର କରାଯାଇଛି। ଅଗଷ୍ଟ ୨୦୨୩ରୁ ସାବରମତୀ ଜେଲରେ ବନ୍ଦୀ ଥିବା ଲରେନ୍ସ ବିଷ୍ଣୋଇକୁ ଏବେ ସମ୍ପୂର୍ଣ୍ଣ ଏକାନ୍ତ କୋଠରୀ ରେ ରଖାଯାଇଛି। 

ଜେଲ ଭିତରୁ ସେ ଯେପରି ନିଜର ବେଆଇନ ନେଟୱାର୍କ ଚଳାଇ ନପାରିବ, ସେଥିପାଇଁ ବାହାର ଦୁନିଆ ସହ ତାର ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ କରାଯାଇଛି। ସେ କେବଳ ନିଜର ଆଇନଜୀବୀଙ୍କୁ ଭେଟିପାରିବ ।  ଏହା ସହ କୋର୍ଟ ଶୁଣାଣିରେ ହାଜର ହେବା ବ୍ୟତୀତ ସେ ଅନ୍ୟ କାହା ସହ ସମ୍ପର୍କ ରଖିପାରିବ ନାହିଁ।

ସେପଟେ ଜେଲ୍‌ର ଏହି ବ୍ଲକରେ ବହୁ କୁଖ୍ୟାତ ଅପରାଧୀଙ୍କୁ ରଖାଯାଇଛି । ୨୦୦୮ ଅହମ୍ମଦାବାଦ ସିରିୟଲ୍‌ ବୋମା ବିସ୍ଫୋରଣ ମାମଲାର ଦୋଷୀଙ୍କ ସମେତ ଅନେକ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ସେହି ବ୍ଲକରେ ବନ୍ଦୀ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ସେହି ବ୍ଲକକୁ ଚାରୋଟି ପୃଥକ ଭାଗରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ସେକ୍ସନରେ ୫୦ ଜଣ ଲେଖାଏଁ କଏଦୀ ରହିଛନ୍ତି । ମୋଟ ୨୦୦ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ପାଇଁ ଜେଲ୍‌ର ସେହି ବ୍ଲକକୁ ଡିଜାଇନ୍‌ କରାଯାଇଛି ।