ନୂଆଦିଲ୍ଲୀ, ୨୪/୦୪ :ଦିଲ୍ଲୀ ଉପରେ ବିପଦ । ହୋଇପାରେ ଆତଙ୍କବାଦୀ ଆକ୍ରମଣ । ଚିନ୍ତାରେ ସୁରକ୍ଷାକର୍ମୀ । ପାକିସ୍ତାନ ସେନା ଏବଂ ଲସ୍କର-ଏ-ତୋଏବା ମିଳିତ ଭାବେ ଭାରତ ଉପରେ ଆକ୍ରମଣ କରିବାକୁ ଚାହୁଁଛନ୍ତି । ସବୁଠାରୁ ବଡ କଥା ହେଲା ଯେ ପାକ୍ ସେନା ମୁଖ୍ୟ ଅସୀମ୍ ମୁନୀର୍ ଏହାକୁ ନିଜେ ଅପରେଟ୍ କରୁଛନ୍ତି ।

ଗୁଇନ୍ଦା ରିପୋର୍ଟ ଅନୁସାରେ, ଲସ୍କର ଲାଲକିଲ୍ଲା ଆଗରେ ଆଇଇଡି ବିସ୍ଫୋରଣ କରିବାକୁ ଚାହୁଁଛି । ଏହାସହ ଚାନ୍ଦିନୀ ଚୌକରେ ଥିବା ଏକ ମନ୍ଦିର ମଧ୍ୟ ଆତଙ୍କବାଦୀଙ୍କ ଟାର୍ଗେଟରେ ଅଛି । ଏଥିପାଇଁ ଆତ୍ମଘାତୀ ଆକ୍ରମଣକାରୀଙ୍କୁ ବ୍ୟବହାର କରାଯିବ । କିଛି ଆତଙ୍କବାଦୀଙ୍କୁ ତାଲିମ ପ୍ରଦାନ କରାଯାଇଛି ।

ଲାଲ୍ କିଲ୍ଲା ବିସ୍ଫୋରଣର ପୁନରାବୃତ୍ତି

୨୦୨୫ ମସିହା ନଭେମ୍ବର ମାସରେ ଦିଲ୍ଲୀର ଲାଲ୍ କିଲ୍ଲା ନିକଟରେ କାର୍ ବୋମା ବିସ୍ଫୋରଣ ହୋଇଥିଲା । ଏଥିରେ ୧୦ରୁ ଅଧିକ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ଅନେକ ଗୁରୁତର ହୋଇଥିଲେ । ଆତଙ୍କବାଦୀମାନେ ସମାନ କାଣ୍ଡ ଭିଆଇବାକୁ ଯୋଜନା କରୁଛନ୍ତି । ସେମାନେ ମନ୍ଦିର କିମ୍ବା ଜନଗହଳିପୂର୍ଣ୍ଣ ଅଞ୍ଚଳକୁ ଟାର୍ଗେଟ୍ କରିବାକୁ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରିଛନ୍ତି । ଏଥିରେ ଫିଦାଏଁ ବା ଆତ୍ମଘାତୀ ଆତଙ୍କବାଦୀଙ୍କୁ ବ୍ୟବହାର କରାଯିବ ।

ଚାନ୍ଦିନୀ ଚୌକରେ ପ୍ରତିଦିନ ରୁ ୭ ଲକ୍ଷ ଲୋକେ ଯିବା ଆସିବା କରିଥାନ୍ତି । ଏହା ଦିଲ୍ଲୀର ଏକ ବ୍ୟସ୍ତ ଏବଂ ଜନଗହଳିପୂର୍ଣ୍ଣ ଅଞ୍ଚଳ । ୨୦ହଜାରରୁ ଅଧିକ ଗାଡିମଟର ଏହି ଅଞ୍ଚଳ ଦେଇ ଚଳପ୍ରଚଳ କରେ । ସନ୍ଧ୍ୟା ସମୟରେ ଏଠାରେ୩୦ହଜାର ଲୋକଙ୍କ ଭିଡ ଜମିଥାଏ । ଯାହା ଆତଙ୍କବାଦୀଙ୍କୁ ସୁହାଇପାରେ ।

ଇସଲମାବାଦ ମସଜିଦ ଆକ୍ରମଣର ପ୍ରତିଶୋଧ

ନିକଟରେ ଇସଲାମାବାଦର ଏକ ମସଜିଦରେ ଆକ୍ରମଣ ହୋଇଥିଲା । ଯାହା ପଛରେ ଭାରତର ହାତ ଥିବା ଆତଙ୍କବାଦୀ ହାଫିଜ୍ ସୟିଦ ଏବଂ ଅସୀମ୍ ମୁନୀର୍ ଅଭିଯୋଗ କରୁଛନ୍ତି । ବିନା କୌଣସି ତଥ୍ୟ, ପ୍ରମାଣ ଏବଂ ସତ୍ୟତାରେଏହି ଅଭିଯୋଗ ହେଉଛି । ଆକ୍ରମଣ ପାଇଁ ପାକିସ୍ତାନର ଏକ ଆତଙ୍କବାଦୀ ସଙ୍ଗଠନ ନିଜକୁ ଦାୟୀ କରିଥିଲେ ବି ପାକ୍ ନେତାମାନେ ଅଯଥାରେ ଭାରତ ଉପରେ ଦୋଷ ଲଦୁଛନ୍ତି ।

ହାଇ ଆଲର୍ଟରେ ଦିଲ୍ଲୀ

ତେବେ ଗୁଇନ୍ଦା ରିପୋର୍ଟ ମିଳିବା ପରେ ଦିଲ୍ଲୀ ହାଇ ଆଲର୍ଟରେ ରହିଛି । ଅନେକ ଜାଗାରେ ସୁରକ୍ଷାକୁ କଡାକଡି କରାଯାଇଛି । ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ବ୍ଲକିଂ ଏବେ ଚେକିଂ ଜୋରଦାର ଚାଲିଥିବା ଦେଖିବାକୁ ମିଳିଛି ।