ନୂଆଦିଲ୍ଲୀ:ଇଣ୍ଡୋନେସିଆର ଜାଭା ଦ୍ୱୀପରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ। ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ଶନିବାର ଘଟିଥିବା ପ୍ରାକୃତିକ ବିପର୍ଯ୍ୟୟରେ ୮୨ ଜଣ ନିଖୋଜ ଥିବା ସୂଚନା ମିଳିଛି। କାଦୁଆ ମାଟି ଯୋଗୁଁ ଉଦ୍ଧାର କାର୍ଯ୍ୟରେ ଉଦ୍ଧାରକାରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ପ୍ରକୃତରେ ଜାଭା ଦ୍ୱୀପରେ କିଛି ଦିନ ଧରି ଲଗାତାର ମୁଷଳଧାରାରେ ବର୍ଷା ଯୋଗୁଁ ନଦୀଗୁଡ଼ିକ ପ୍ରବାହିତ ହେଉଛି। ପଶ୍ଚିମ ଜାଭା ପ୍ରଦେଶର ପଶ୍ଚିମ ବାଣ୍ଡୁଙ୍ଗ ଜିଲ୍ଲାରେ ପ୍ରବଳ ବର୍ଷା ତାଣ୍ଡବ ରଚିଛି। ପର୍ବତ ଉପରୁ କାଦୁଅ, ପଥର ଏବଂ ଗଛ ଧସିପଡ଼ିଛି। ଯାହା ଫଳରେ ପ୍ରାୟ ୩୪ ଘର ଭଗ୍ନାବଶେଷ ତଳେ ପୋତି ହୋଇଯାଇଛି।

ଜାତୀୟ ବିପର୍ଯ୍ୟୟ ପରିଚାଳନା ଏଜେନ୍ସିର ମୁଖପାତ୍ର ଅବଦୁଲ ମୁହାରୀ କହିଛନ୍ତି ଯେ ଦୁର୍ଘଟଣାରେ ୮୨ ଜଣ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇଯାଇଛନ୍ତି ଏବଂ ସେମାନଙ୍କ ପାଇଁ ସନ୍ଧାନ ଜାରି ରହିଛି। ୨୪ ଜଣ ଲୋକ ବିପର୍ଯ୍ୟୟରୁ ବଞ୍ଚି ପାରିଛନ୍ତି।

ପାସିର କୁନିଙ୍ଗ ବସ୍ତିରେ ଭୂସ୍ଖଳନ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି, ଯେଉଁଠାରୁ ୮ଟି ମୃତଦେହ ଉଦ୍ଧାର କରାଯାଇଛି। ଉଦ୍ଧାରକାରୀ ଏବଂ ସ୍ଥାନୀୟ ବାସିନ୍ଦା ଭଗ୍ନାବଶେଷ ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛନ୍ତି। ସ୍ଥାନୀୟ ପ୍ରଶାସନ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସତର୍କ ରହିବାକୁ ଏବଂ କୌଣସି ଗତିବିଧି କିମ୍ବା ଗର୍ଜନ ଶବ୍ଦ ଶୁଣିଲେ ତୁରନ୍ତ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଛି।

ସୂଚନାଯୋଗ୍ୟ ଯେ ଗତ ବର୍ଷ ନଭେମ୍ବରରେ ଇଣ୍ଡୋନେସିଆର ଜାଭା ଦ୍ୱୀପରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଥିଲା। ଅନେକ ଲୋକ ପ୍ରାଣ ହରାଇଥିଲେ ଏବଂ କିଛି ନିଖୋଜ ହୋଇଯାଇଥିଲେ।