ମୁମ୍ବାଇ : ଗତମାସରେ ଏକ ରକ୍ଷାବନ୍ଧନ ବିଜ୍ଞାପନରେ ନିଜର ପରିଧାନକୁ ନେଇ ବିବାଦରେ ଫସିଥିଲେ ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ କ୍ରିତି ସାନନ୍। ଏବେ ପୁଣି ଥରେ ନିଜ ବୟାନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ଅଭିନେତ୍ରୀ । କ୍ରିତି ମହିଳାଙ୍କ ଉପରେ ହେଉଥିବା ନିର୍ଯାତନା, ଦୁଷ୍କର୍ମ ଓ ଯୌନ ଶୋଷଣ ମାମଲରେ ପୁରୁଷକୈନ୍ଦ୍ରିକ ଚିନ୍ତାଧାରା ଉପରେ ପ୍ରଶ୍ନ ଉଠାଇଛନ୍ତି। କୌଣସି ଘଟଣା ବିଷୟରେ ଉଲ୍ଲେଖ ନ କରି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି, ଏ ଲଢ଼େଇ ପୁରୁଷ ଓ ମହିଳାଙ୍କ ମଧ୍ୟରେ ନୁହେଁ। ଏହା ମହିଳା ଓ ପୁରୁଷକୈନ୍ଦ୍ରିକ ଚିନ୍ତାଧାରା ମଧ୍ୟରେ ଲଢ଼େଇ।

ସେ କହିଛନ୍ତି ମହିଳାଙ୍କୁ କମ୍ ମନେ କରୁଥିବା ପୁରୁଷ ଓ ପୁରୁଷକୈନ୍ଦ୍ରିକ ଚିନ୍ତାଧାରାକୁ ସଂସ୍କାର ମାନୁଥିବା ମହିଳାଙ୍କ ବିରୋଧରେ ଏ ଲଢ଼େଇ। ଆଉ କେତେ ଦିନ ଯାଏ ମହିଳାଙ୍କୁ ହିଁ ଶିକ୍ଷା ଦିଆଯଉଥିବ ଯେ ସେମାନେ ଯୌନ ହିଂସାଠୁ ନିଜକୁ କେମିତି ରକ୍ଷା କରିବେ ? ମହିଳାଙ୍କୁ ନିର୍ଯାତନା, ଯୌନ ଶୋଷଣ ଓ ଜବରଦସ୍ତ ନ କରିବାକୁ ପୁରୁଷଙ୍କୁ କାହିଁକି ଶିଖାଯାଉନି? ଯେତେବେଳେ କୌଣସି ନାବାଳିକା ସହ ଦୁଷ୍କର୍ମ ହୁଏ, ଏଭଳି କରୁଥିବା ବ୍ୟକ୍ତିର ଚିନ୍ତାଧାରା କିଭଳି ତାହା କାହିଁକି ପଚରାଯାଏ ନାହିଁ ? ଏହା ବଦଳରେ ଲୋକେ ଆଜି ବି ପଚାରୁଛନ୍ତି, ଝିଅ କ’ଣ ପିନ୍ଧିଥିଲା, କେଉଁଠି ଥିଲା, କାହା ସହ ଥିଲା, ବାହାରକୁ କାହିଁକି ଯାଇଥିଲା, ପରିବାର ତାକୁ ଯିବାକୁ କାହିଁକି ଦେଲେ ? ନିଜକୁ ସୁରକ୍ଷିତ ରଖିବା ପାଇଁ ମହିଳାଙ୍କୁ ଅଧିକ ସାବଧାନ ରହିବାକୁ ପ୍ରତି ଥର ବୁଝାଇବା ବନ୍ଦ କରନ୍ତୁ ବରଂ ପୁରୁଷଙ୍କୁ ଶିଖାନ୍ତୁ ଯେ ସେମାନେ ମହିଳାଙ୍କୁ ସମ୍ମାନ ଦିଅନ୍ତୁ ଓ ନିଜ ସୀମାରେ ରୁହନ୍ତୁ। ପୁଅଙ୍କୁ ସହମତି ଓ ସମ୍ମାନର ଅର୍ଥ ଶିଖାନ୍ତୁ। ନିଜ ବ୍ୟବହାରର ଦାୟିତ୍ଵ ନେବା ଶିଖାନ୍ତୁ। ଯେଉଁ ପୁରୁଷ ଭୁଲ ବ୍ୟବହାର କରୁଛନ୍ତି, ସେମାନଙ୍କ ଭୁଲର ବୋଝ ମହିଳାଙ୍କ ଉପରେ ଲଦିବା ବନ୍ଦ କରନ୍ତୁ।

କ୍ରିତିଙ୍କ ଏହି ବୟାନ ସାମ୍ନାକୁ ଆସିବା ପରେ ପୁଣିଥରେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ମହିଳାଙ୍କ ବିରୋଧରେ ହେଉଥିବା ନିର୍ଯାତନା, ଯୌନ ଶୋଷଣ ମାମଲାରେ ସମାଜର ଦୃଷ୍ଟିକୋଣକୁ ନେଇ ସେ ଯେଉଁ ପ୍ରଶ୍ନ ଉଠାଇଛନ୍ତି, ତାହା ନେଇ ସୋସିଆଲ ମିଡିଆରେ ମଧ୍ୟ ଆଲୋଚନା ଦେଖିବାକୁ ମିଳୁଛି। ତାଙ୍କ କହିବାର ଅର୍ଥ ହେଉଛି, ଏହା କେବଳ ପୁରୁଷ ଓ ମହିଳାଙ୍କ ମଧ୍ୟରେ ବିବାଦ ନୁହେଁ, ବରଂ ମହିଳାଙ୍କ ପ୍ରତି ସମାଜର ଚିନ୍ତାଧାରା ଓ ଦୃଷ୍ଟିଭଙ୍ଗୀ ସହ ଜଡିତ ଏକ ବଡ଼ ପ୍ରସଙ୍ଗ। ତେବେ କ୍ରିତିଙ୍କ ଏହି ମତକୁ ନେଇ ଆଗକୁ ୟୁଜର୍ସଙ୍କ କିପରି ପ୍ରତିକ୍ରିୟା ଆସୁଛି ଏବଂ ଏହି ପ୍ରସଙ୍ଗ କେତେ ଦୂର ଚର୍ଚ୍ଚାରେ ରହୁଛି, ତାହା ଉପରେ ଏବେ ନଜର ।