ନୂଆଦିଲ୍ଲୀ: ନେପାଳରେ ନୂତନ ସରକାର ଗଠନ ହେବା ପରେ ଲାଗିରହିଛି ରାଜନୈତିକ ଅସ୍ଥିରତା। ଶପଥ ଗ୍ରହଣ କରିବାର ୨୪ ଘଣ୍ଟା ମଧ୍ୟରେ ବଡ଼ ଆକ୍ସନ ନେଇଛନ୍ତି ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ସରକାର। ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏବଂ ପୂର୍ବତନ ଗୃହମନ୍ତ୍ରୀ ରମେଶ ଲେଖକରଙ୍କୁ ଗିରଫ କରିଛି ପୋଲିସ।

ଜେନ-ଜି ବିରୋଧ ପ୍ରଦର୍ଶନ ସମୟରେ ଛାତ୍ରଙ୍କ ମୃତ୍ୟୁ ସହିତ ଲିଙ୍କରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ପ୍ରତିବାଦ ସମୟରେ ନିରସ୍ତ୍ର ଛାତ୍ରଙ୍କ ଉପରେ ଗୁଳି ଚାଳନା କରାଯାଇଥିଲା। ଅନେକ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲାରେ ପୂର୍ବ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଦାୟୀ କରାଯାଇଛି।ରିପୋର୍ଟ ଅନୁଯାୟୀ, ବାଲେନ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ କ୍ୟାବିନେଟ ବୈଠକରେ ତଦନ୍ତ କମିଶନଙ୍କ ରିପୋର୍ଟ କାର୍ଯ୍ୟକାରୀ କରିବାର ନିଷ୍ପତ୍ତି ନିଆଯାଇଥିଲା। ଏହାକୁ ଆଧାର କରି ଗିରଫ କରାଯାଇଛି।

ଖବର ଅନୁସାରେ ପୂର୍ବତନ ଗୃହମନ୍ତ୍ରୀ ରମେଶ ଲେଖକଙ୍କୁ ଆଜି ସକାଳେ ପ୍ରଥମେ ଅଟକ ରଖାଯାଇଥିଲା, ତା’ପରେ କିଛି ସମୟ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଓଲିଙ୍କୁ ଅଟକ ରଖାଯାଇଛି। ଏହି ପଦକ୍ଷେପକୁ ନେପାଳର ରାଜନୀତିରେ ଏକ ବଡ଼ ପରିବର୍ତ୍ତନର ସଙ୍କେତ ଭାବରେ ଦେଖାଯାଉଛି।

ତଦନ୍ତ କମିଶନଙ୍କ ରିପୋର୍ଟରେ ନେପାଳ ପୋଲିସ, ସଶସ୍ତ୍ର ପୋଲିସ ବାହିନୀ ଏବଂ ସେନାର କିଛି ଅଧିକାରୀଙ୍କ ଭୂମିକା ଉପରେ ମଧ୍ୟ ପ୍ରଶ୍ନ ଉଠାଯାଇଛି, କିନ୍ତୁ ସୁରକ୍ଷା ବାହିନୀ ବିରୁଦ୍ଧରେ କୌଣସି ସିଧାସଳଖ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ତାଙ୍କ ଭୂମିକାକୁ ପୃଥକ ଭାବରେ ତଦନ୍ତ କରିବା ପାଇଁ ସରକାର ଏକ ନୂତନ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି।