ଭୁବନେଶ୍ବର ୪।୧୧: କୋଟିଆରେ ଆନ୍ଧ୍ର ନିର୍ବାଚନ ଉଦ୍ୟମ ପଣ୍ଡ ହେବ । କୋଟିଆକୁ ପଠାଗଲା ଆଉ ୮ ପ୍ଲାଟୁନ ପୋଲିସ ଫୋର୍ସ । କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବ ଓଡ଼ିଶା । ଖାଲି କୋଟିଆ ନୁହେଁ ଅନ୍ୟ ବିବାଦୀୟ ସ୍ଥାନ ଗୁଡିକରେ ବି ସରକାର ଦୃଷ୍ଟି ରଖିଛନ୍ତି ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ମନ୍ତ୍ରୀ କହିଛନ୍ତି, କୋଟିଆରେ ଲୋକମାନେ ଆନ୍ଧ୍ରର ପୋଷ୍ଟର ଚିରି ଦେଉଛନ୍ତି । ଉପଜିଲ୍ଲାପାଳ ସାମନାରେ ରହିକି ଲଢେଇ କରୁଛନ୍ତି । ଖୁବ୍ଶୀଘ୍ର ଆଉ ୮ ପ୍ଲାଟୁନ ପୋଲିସ ଫୋର୍ସ ପହଞ୍ଚିବେ । ଆନ୍ଧ୍ର ଅଧିକାରୀଙ୍କ ବିରୋଧରେ କଣ୍ଟେପ୍ଟ ଫାଇଲ ହୋଇଛି । ଏନେଇ ଆମେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବୁ । ଆନ୍ଧ୍ର ସହ ଆଲୋଚନା କରନ୍ତୁ ବୋଲି ଦାବି ରଖିବୁ ।

ପୋଲିସ, ଅଧିକାରୀ, ସବୁ ଦଳର ନେତା କୋଟିଆରେ ଅଛନ୍ତି । କେବେ ବି ଆନ୍ଧ୍ରର ନିର୍ବାଚନ ଉଦ୍ୟମ ସଫଳ ହେବ ନାହିଁ । ଅନ୍ୟ ଯେଉଁଠି ସୀମା ବିବାଦ ରହିଛି, ସେହି ସ୍ଥାନରେ ବି ସରକାର ନଜର ରଖିଛନ୍ତି । ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ଅବମାନନା କରି ନିର୍ବାଚନ କରିବାକୁ ପ୍ରବେଶ କରୁଛନ୍ତି । ଲୋକ ମାନଙ୍କୁ ପ୍ରଲୋଭନ ଦେଖାଉଛନ୍ତି । ଆମ ଯୋଜନା ଆମେ ସାର୍ବଜନୀନ କରିବାକୁ ଚାହୁଁନୁ । ଆନ୍ଧ୍ର ଏତିକି ଜାଣିବା କଥା ସେଠାରେ ଜଣେ କାର୍ଯ୍ୟରତ ସରପଞ୍ଚ ସମିତିସଭ୍ୟ ଓଡ଼ିଶାର ଅଛନ୍ତି । ପୃଥିବୀର କେଉଁ ସ୍ଥାନରେ ଏମିତି ହୁଏନି ।

କୋଟିଆରେ ରାସ୍ତା ସହ ଅନ୍ୟ ଭିତ୍ତିଭୂମି ଓଡ଼ିଶା କରିଛି । ଆନ୍ଧ୍ରର ଗୋଟିଏ ବି କାର୍ଯ୍ୟାଳୟ ନାହିଁ । ପୋଲିସ ଶାସନ ମଧ୍ୟ ଓଡ଼ିଶାର ଅଛି । ଗତ ଥର ଚର୍ଚ୍ଚରେ ପୁଲିଂ ଷ୍ଟେସନ କରିକି ନିର୍ବାଚନ ପାଇଁ ଚେଷ୍ଟା କଲେ । ଏଥର କୋଟିଆ ଭିତରେ ପୁଲିଂ ଷ୍ଟେସନ କରିପାରିଲେ ନାହିଁ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।

Also Read:- ଗାଁ ଉପରେ ମାଡ଼ି ଆସିଲା ବିରାଟ ପଥର, ଅଳ୍ପକେ ବର୍ତ୍ତିଲେ ଗ୍ରାମବାସୀ

ସେପଟେ କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନକୁ ଚେକ୍ ଦେବାକୁ ଓଡ଼ିଶା ପ୍ରଶାସନର ପ୍ରସ୍ତୁତି । ଦିନକ ପରେ କୋଟିଆରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ପଞ୍ଚାୟତ ନିର୍ବାଚନ ହେବ । ଏହାକୁ ରୋକିବା ପାଇଁ ଓଡ଼ିଶା ପ୍ରଶାସନ ଅଣ୍ଟା ଭିଡିଛି । କୋଟିଆରେ ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ସହ ବ୍ୟାପକ ପୋଲିସ ମୁତୟନ କରାଯାଇଛି । କୋଟିଆରେ ୧୬୩ ଧାରା ଲାଗୁ ହୋଇଛି । ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ୪ ଜଣ ଡିଏସ୍ପି, ୧୦ ଜଣ ଇନ୍ସପେକ୍ଟର ଏବଂ ୨୦ ଜଣ ଏସ୍ଆଇ ଓ ଏଏସ୍ଆଇ ମୁତୟନ ରହିଛନ୍ତି । ଏଥିସହ ପ୍ରଶାସନ ପକ୍ଷରୁ ଅଧିକାରୀ ମାନେ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ବିଭିନ୍ନ ସ୍ଥାନରେ ଉପସ୍ଥିତ ରହିଛନ୍ତି ।

ଆଜି କୋଟିଆ ଗସ୍ତ କରି ଆନ୍ଧ୍ରର ନିର୍ବାଚନକୁ ବିରୋଧ କରିବା ସହ ସ୍ଥାନୀୟ ଲୋକଙ୍କୁ ସଚେତନ କରିବ ସର୍ବଦଳୀୟ କମିଟି । କୋଟିଆର ବିଭିନ୍ନ ଅଞ୍ଚଳରେ ଆଜିଠାରୁ ଆସନ୍ତାକାଲି ପର୍ଯ୍ୟନ୍ତ ସର୍ବଦଳୀୟ ନେତାମାନେ ରହିବେ । ଏଥିସହ କୋରାପୁଟର ବିଭିନ୍ନ ସଂଗଠନ ମଧ୍ୟ ଆଜି କୋଟିଆରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଲାଗି ରହିଥିବା ବିବାଦ ମଧ୍ୟରେ ଜିଲ୍ଲା ପ୍ରଶାସନ ପୂରା ସଜାଗ ରହିଛି । କୋଟିଆ ମାଟିରେ ଆନ୍ଧ୍ରକୁ ନିର୍ବାଚନ କରିବାକୁ ଦିଆଯିବ ନାହିଁ ବୋଲି ଜିଲ୍ଲାପାଳ ସ୍ପଷ୍ଟ ଆଭିମୁଖ୍ୟ ରଖିଛନ୍ତି।