ଜୟପୁର, ୨୨।୧୧ : ଭୟଙ୍କର ଦୁର୍ଘଟଣା । ଟ୍ରକକୁ ଧକ୍କା ଦେଲା ମିନି ବସ୍ । ଗୋଟିଏ ପରିବାରର ୯ ମୃତ । ଏହାସହ ଅନ୍ୟ ୬ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଏପରି ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନର କୋଟା-ଉଦୟପୁର ଜାତୀୟ ରାଜପଥରେ । ସମସ୍ତ ଯାତ୍ରୀ ମନ୍ଦିରରୁ ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ।

ରିପୋର୍ଟ ଅନୁସାରେ, ନାତା ଥାନା ଅନ୍ତର୍ଗତ ସମ୍ଭୁପୁରା ଗ୍ରାମରେ ଦୁର୍ଘଟଣା ଘଟିଛି । ଏଥିରେ ଶିଶୁଙ୍କ ସମେତ ୯ ଜଣ ପ୍ରାଣ ହରାଇଛନ୍ତି । ସମସ୍ତ ମୃତକ ଗୋଟିଏ ପରିବାରର ବୋଲି ଜଣା ପଡିଛି । ଏହା ବ୍ୟତୀତ ଗାଡିରେ ଥିବା ଅନ୍ୟ ୬ ଜଣ ଗୁରୁତର ହୋଇ ପଡିଛନ୍ତି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କୁହାଯାଉଛି ଯେ, ମିନି ବସରେ ଥିବା ସମସ୍ତ ଯାତ୍ରୀ ଖାଟୁଶ୍ୟାମଙ୍କ ଦର୍ଶନ ସାରି ଫେରୁଥିଲେ । କିନ୍ତୁ ଏହା ସେମାନଙ୍କର ଶେଷ ଦର୍ଶନ ବୋଲି ସେମାନେ ଜାଣିନଥିଲେ । ଗାଡି ଚଳାଉଥିବା ବେଳେ କୌଣସି କାରଣରୁ ଡ୍ରାଇଭର ଅନ୍ୟମନସ୍କ ହୋଇ ପଡିଥିଲେ । ଫଳରେ ଗାଡିଟି ଭାରସାମ୍ୟ ହରାଇ ଟ୍ରକକୁ ଧକ୍କା ଦେଇଥିଲା ।

ଦୁର୍ଘଟଣା ଏତେ ଭୟଙ୍କର ଯେ, ମିନି ବସଟି ଚୁରମାର ହୋଇଯାଇଛି। ଦୁର୍ଘଟଣାର ଖବର ପାଇ ତୁରନ୍ତ ପୋଲିସ ଏବଂ ଅଗ୍ନିଶମ ବାହାନୀ ଘଟଣାସ୍ଥଳରେ ପହଁଚିବା ସହ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ । ସମସ୍ତ ମୃତାହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ସ୍ଥାନୀୟ ଅତିରିକ୍ତ ଜିଲ୍ଲାପାଳ ରାଜେଶ ଯୋଶୀ କହିଛନ୍ତି ଯେ, ଶୁକ୍ରବାର ବିଳମ୍ବିତ ରାତ୍ରରେ ଏହି ଦୁର୍ଘଟଣା ଘଟିଛି । ସମସ୍ତ ଯାତ୍ରୀ ଦର୍ଶନ ସାରି ମହାରାଷ୍ଟ୍ର ଫେରୁଥିଲେ । କିନ୍ତୁ ରାସ୍ତାରେ ଅଘଟଣ ଘଟିଥିବା ସେ ପ୍ରକାଶ କରିଛନ୍ତି ।