ନୂଆଦିଲ୍ଲୀ: ବଲିଉଡର ବରିଷ୍ଠ ଅଭିନେତା ଅନୁପମ ଖେର। ଅଭିନୟ ଜୀବନରେ ଶତାଧିକ ସିନେମା କରିଛନ୍ତି। ଶିକ୍ଷାନୁଷ୍ଠାନ ଖୋଲି ଅଭିନୟର କଳା ଶିଖାଉଛନ୍ତି। ପୁଣି ପତ୍ନୀ କିରଣ ଖେର ବିଜେପିର ସାଂସଦ। ସେ ମଧ୍ୟ ଜଣେ ପ୍ରତିଷ୍ଠିତ କଳାକାର। ବଲିଉଡର ପୁରୁଣା ଷ୍ଟାର୍, ମାୟାନଗିରୀ ମୁମ୍ବାଇରେ ଘର। ତେଣୁ ପାଖରେ ୪୦୦- ୫୦୦ କୋଟି ଟଙ୍କାର ସମ୍ପତ୍ତି ତ ନିଶ୍ଚୟ ଥିବ। ଅନ୍ଲାଇନ୍ରେ ବି କିଛି ଏମିତି ଦାବି କରାଯାଉଛି।

ତେବେ ଏଭଳି ଦାବିକୁ ନେଇ ପ୍ରଥର ମୁହଁ ଖୋଲିଛନ୍ତି ଅନୁପମ। ଅନ୍ଲାଇନର ଏହି ଦାବିକ ଖାରଜ କରିବା ସହିତ ସେ ଯେଉଁ କଥାର ଖୁଲାସା କରିଛନ୍ତି, ତାହା ଜାଣିବା ପରେ ଆପଣ ଟିକେ ଆଶ୍ଚର୍ଯ୍ୟ ହେବେ। ଅନୁପମ କହିଛନ୍ତି ତାଙ୍କର ପାଖରେ ହେଉଥିବା ଦାବିର ୧୦ ପ୍ରତିଶତ ବି ସମ୍ପତ୍ତି ନାହିଁ। ଏମିତିକି ତାଙ୍କର ନିଜସ୍ୱ ଘର ଖଣ୍ଡେ ସୁଦ୍ଧା ନାହିଁ, ସେ ଭଡ଼ା ଘରେ ରହୁଛନ୍ତି। କଥାଟା ଆଶ୍ଚର୍ଯ୍ୟ ଲାଗିଲା ନା ?

ସାମ୍ବାଦିକା ଭାରତୀ ପ୍ରଧାନଙ୍କ ୟୁଟ୍ୟୁବ ଚ୍ୟାନେଲ୍ ‘ଦ ଅନଫିଲ୍ଟର୍ଡ ଆୱାର’ ସାକ୍ଷାତକାର ଦେଇ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ଏକାଧିକ ଖୁଲାସ କରିଛନ୍ତି ଅନୁପମ। ସେ କହିଛନ୍ତି ଯେ ତାଙ୍କ ପାଖରେ ୪୦୦-୫୦୦ କୋଟି ଟଙ୍କାର ୧୦ ପ୍ରତିଶତ ବି ସମ୍ପତ୍ତି ନାହିଁ। ଯେଉଁ ଘର ଖଣ୍ଡେ ଥିଲା, ତାକୁ ସେ ଆଲିଆ ଭଟ୍ଟଙ୍କୁ ବିକ୍ରି କରି ଏବେ ଭଡ଼ାରେ ରହୁଛନ୍ତି। ଭଡ଼ା ଘରେ ରହିବାକୁ ନିଷ୍ପତ୍ତି ନେବା ପରେ ସେ ପୂର୍ବ ଅପେକ୍ଷା ଅଧିକ ମୁକ୍ତ ଅନୁଭବ କରୁଛନ୍ତି ବୋଲି କହିଛନ୍ତି ଅନୁପମ।

Also Read- ମାତ୍ର ୨୪ ଟଙ୍କା ଧରି ମୁମ୍ବାଇ ଆସିଥିଲେ ଭୂଷଣ: KBC-18ରେ ଜିତିଲେ ୧ କୋଟି; ଏବେ ୭ କୋଟିକୁ ଅପେକ୍ଷା

ଇଣ୍ଟରଭ୍ୟୁରେ ସେ କହିଛନ୍ତି “ ଯେଉଁ ଦିନଠାରୁ ମୁଁ ଭଡ଼ାରେ ଆପାର୍ଟମେଣ୍ଟରେ ରହିବାକୁ ନିଷ୍ପତ୍ତି ନେଲି ସେହି ଦିନଠାରୁ ମୁଁ ନିଜକୁ ମୁକ୍ତ କରିଦେଲି। ଏହି ନିଷ୍ପତ୍ତି ମୁଁ ୧୦ ବର୍ଷ ପୂର୍ବରୁ ନେଇଥିଲି। ଏହା କରା ତାହା କର, ଏସବୁ ସମ୍ପତ୍ତିକୁ ନେଇ ମୋର କୌଣସି ଚିନ୍ତା ନାହିଁ। ମୁଁ କେବଳ ଶିମଲାରେ ଗୋଟିଏ ଘର କିଣିଛି, ସେ ପୁଣି ମୋ ମା ପାଇଁ। ମୁଁ ଏବଂ ମୋ ଭାଇ ଉଭୟ ଭଡ଼ା ଘରେ ରହୁଛୁ ଏବଂ ଆମେ ଏଥିରେ ଖୁସି ଅଛୁ।”

ଭଡ଼ା ଘରେ ରହିବା ପରେ ମୋତେ ଟିକେ ଆଶ୍ୱସ୍ତି ମିଳିଲା। କାରଣ ଏଥିରେ ନିଜର ଏକ ଘର ଥିବା ଚିନ୍ତା ଦୂର ହେଇଗଲା। ଯେତେବେଳେ ମୋ ପାଖରେ ଗୋଟେ ଘର ଥିଲା। ମୁଁ ତାହା ଆଲିଆ ଭଟ୍ଟଙ୍କୁ ବିକ୍ରି କରିଦେଲି। ଏହାପରେ, ଆମେ ଅନ୍ୟ ଏକ ଘରକୁ ସ୍ଥାନାନ୍ତରିତ ହୋଇଗଲୁ। ସେହି ସମୟରେ କିରନ୍ ସାଂସଦ ହୋଇଥିଲେ, ତେଣୁ ସେ ଚଣ୍ଡିଗଡ଼ ଚାଲିଗଲେ। ମୁଁ ଏକ ଘର ଖୋଜୁଥିଲି, ଏବଂ ମୁଁ ଅନୁଭବ କଲି ଯେ ମୁଁ ଏକ ଭଡା ଆପାର୍ଟମେଣ୍ଟରେ ରହିପାରିବି।"

ତେବେ ତାଙ୍କ ସମ୍ପତ୍ତିକୁ ନେଇ ହେଉଥିବା ମିଛ ପ୍ରଚାର ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଅନୁପମ ଖେର। ସେ କହିଛନ୍ତି ମୋ ବିଷୟରେ ଗୋଟେ ଧାରଣା ଅଛି ଯେ ମୁଁ ବହୁତ ଧନୀ। ଆପଣ ଯଦି ଗୁଗଲ କରିବେ ଆପଣ ଆଶ୍ଚର୍ଯ୍ୟ ହେବେ। ବେଳେ ବେଳେ ମୋତେ ଲାଗେ ସେମାନଙ୍କ ବିରୁଦ୍ଧରେ ମୋର କେସ୍ କରିବା ଉଚିତ୍।