ନୂଆଦିଲ୍ଲୀ: ୟୁକ୍ରେନରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ନିର୍ଦ୍ଦେଶରେ ଏକ ବଡ଼ ନିଯୁକ୍ତି ହୋଇଛି । ଦେଶର ସରକାରୀ ଶକ୍ତି ନିଗମ 'ନାଫ୍ଟୋଗାଜ୍' (Naftogaz) ର ମୁଖ୍ୟ ସର୍ଗି କୋରତଟସ୍କିଙ୍କୁ ନୂଆ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି। ୟୁକ୍ରେନ ସଂସଦ ଗୁରୁବାର ଦିନ ୪୮ ବର୍ଷୀୟ ସର୍ଗି କୋରେତସ୍କିଙ୍କ ନାମକୁ ପ୍ରଧାନମନ୍ତ୍ରୀ ପଦ ପାଇଁ ମଞ୍ଜୁରୀ ଦେଇଛି।

ରୁଷ ପକ୍ଷରୁ ୟୁକ୍ରେନର ଶକ୍ତି ଭିତ୍ତିଭୂମି ଉପରେ କ୍ରମାଗତ ଭାବରେ ହେଉଥିବା ମିସାଇଲ ଓ ଡ୍ରୋନ ଆକ୍ରମଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଆଗାମୀ ଶୀତ ଦିନରେ ଦେଶର ଶକ୍ତି ବ୍ୟବସ୍ଥାକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ କୋରେତସ୍କି ଜଣେ ଦକ୍ଷ ପରିଚାଳକ ସାବ୍ୟସ୍ତ ହେବେ ବୋଲି ରାଷ୍ଟ୍ରପତି ଜେଲେନସ୍କି ଆଶା ରଖିଛନ୍ତି।

 ନାଫ୍ଟୋଗାଜର ମୁଖ୍ୟ ଭାବେ ଗତ ଶୀତଦିନରେ ରୁଷର ଆକ୍ରମଣ ଯୋଗୁଁ ବିଦ୍ୟୁତ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଥିବା ସତ୍ତ୍ୱେ, ସେ ଲୋକମାନଙ୍କୁ ନିରବଚ୍ଛିନ୍ନ ଗ୍ୟାସ ଯୋଗାଣ ବଜାୟ ରଖିବାରେ ସଫଳ ହୋଇଥିଲେ। ସେପଟେ ମଙ୍ଗଳବାର ପୂର୍ବତନ ପ୍ରଧାନମନ୍ତ୍ରୀ ୟୁଲିଆ ସିରିଡେନକୋ (Yulia Svyrydenko) ନିଜ ପଦରୁ ଇସ୍ତଫା ଦେଇଥିଲେ। ଆଉ ଆଜି ୟୁକ୍ରେନକୁ ନୂଆ ପ୍ରଧାନମନ୍ତ୍ରୀ ମିଳିଛନ୍ତି । ରାଷ୍ଟ୍ରପତି ଜେଲେନସ୍କି ଏହାକୁ କେବଳ "ନୂତନ ଆହ୍ୱାନର ମୁକାବିଲା ପାଇଁ ରାଜନୈତିକ ରଣନୀତିର ପରିବର୍ତ୍ତନ" ବୋଲି କହିଛନ୍ତି।

ୟୁକ୍ରେନର ବେଶ୍ ଲୋକପ୍ରିୟ ତଥା ସଂସ୍କାରବାଦୀ ପ୍ରତିରକ୍ଷା ମନ୍ତ୍ରୀ ମାଇଖାଇଲୋ ଫେଡୋରୋଭ (Mykhailo Fedorov) ଙ୍କୁ ତାଙ୍କ ପଦରୁ ହଟାଇ ଦିଆଯିବା ପରେ ଗୁରୁବାର ସକାଳେ ୟୁକ୍ରେନର ଅନେକ ସହରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଲୋକମାନେ ତାଙ୍କୁ ପୁନଃ ନିଯୁକ୍ତି ଦେବାକୁ ଦାବି କରୁଛନ୍ତି।
୪ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଏହି ଯୁଦ୍ଧ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ପହଞ୍ଚିଥିବା ବେଳେ ଏହି ରାଜନୈତିକ ପରିବର୍ତ୍ତନ ହୋଇଛି। ବର୍ତ୍ତମାନ ରୁଷ ନିଜର ବାଲିଷ୍ଟିକ୍ ମିସାଇଲ ଆକ୍ରମଣକୁ ତୀବ୍ର କରିଥିବା ବେଳେ ୟୁକ୍ରେନ ନିଜ ଦେଶ ମଧ୍ୟରେ ହିଁ ଆମେରିକୀୟ ପାଟ୍ରିଅଟ୍ ଏୟାର-ଡିଫେନ୍ସ ମିସାଇଲ ନିର୍ମାଣ କରିବାକୁ ଯୋଜନା କରୁଛି।