କୋଲକାତା: ପଶ୍ଚିମବଙ୍ଗର ଐତିହାସିକ ସହର କୋଲକାତାର ପରିଚୟ ପାଲଟିଥିବା ଟ୍ରାମ୍ ସେବା ପୁଣି ଥରେ ଟ୍ରାକ୍‌କୁ ଫେରିବାକୁ ଯାଉଛି। କୋଲକାତାରେ ଟ୍ରାମ୍ ସେବା ପ୍ରାୟତଃ ବନ୍ଦ ହେବା ଅବସ୍ଥାକୁ ଚାଲିଆସିଥିବା ବେଳେ ବର୍ତ୍ତମାନର ବିଜେପି ନେତୃତ୍ୱାଧୀନ ବେଙ୍ଗଲ ସରକାର ଏହି ପାରମ୍ପରିକ ପରିବହନ ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ ଏକ ବଡ଼ ଯୋଜନା ପ୍ରସ୍ତୁତ କରିଛନ୍ତି। କୋଲକାତାର ଟ୍ରାମ୍ କେବଳ ଏକ ଯାତାୟାତର ମାଧ୍ୟମ ନୁହେଁ, ବରଂ ଏହା ସହରର ସଂସ୍କୃତି ଓ ଭାବନା ସହ ଜଡ଼ିତ।

ଏସିଆ ମହାଦେଶର ସବୁଠାରୁ ପୁରୁଣା କାର୍ଯ୍ୟକ୍ଷମ ଟ୍ରାମ୍ ନେଟୱର୍କ ଭାବେ କୋଲକାତା ଟ୍ରାମ୍ ବେଶ୍ ପ୍ରସିଦ୍ଧ। ୧୮୭୩ ମସିହାରେ ବ୍ରିଟିଶ ଶାସନ କାଳରେ ପ୍ରଥମ କରି  ଟ୍ରାମ୍ ସେବା ଆରମ୍ଭ ହୋଇଥିଲା।  ସେତେବେଳେ ଟ୍ରାମକୁ ଘୋଡ଼ା ଟାଣୁଥିଲେ । ପରବର୍ତ୍ତୀ ସମୟରେ ୧୯୦୨ ମସିହାରେ ଏହାକୁ ବୈଦ୍ୟୁତିକ ଟ୍ରାମ୍‌ରେ ରୂପାନ୍ତରିତ କରାଯାଇଥିଲା । ଏହା ସେତେବେଳେ ଭାରତ ତଥା ଏସିଆର ପରିବହନ କ୍ଷେତ୍ରରେ ଏକ ବଡ଼ କ୍ରାନ୍ତି ଆଣିଥିଲା ।

ଗତ କିଛି ଦଶନ୍ଧି ମଧ୍ୟରେ ସହରର ଆଧୁନିକୀକରଣ, ମେଟ୍ରୋ ରେଳର ସମ୍ପ୍ରସାରଣ ଏବଂ ରାସ୍ତାରେ ବଢୁଥିବା ଟ୍ରାଫିକ୍ ସମସ୍ୟା ଯୋଗୁଁ ଟ୍ରାମ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପୂର୍ବ ସରକାରଙ୍କ ସମୟରେ ଅଧିକାଂଶ ରୁଟ୍ ବନ୍ଦ କରିଦିଆଯାଇଥିଲା ଏବଂ ଟ୍ରାମ୍ କେବଳ ଗୋଟିଏ କିମ୍ବା ଦୁଇଟି ରୁଟ୍‌ରେ ସୀମିତ ହୋଇ ରହିଯାଇଥିଲା, । ଫଳରେ ଏହି ପ୍ରାଚୀନ ଐତିହ୍ୟ ଧୀରେ ଧୀରେ ଲୋପ ପାଇବାକୁ ବସିଥିଲା। ବର୍ତ୍ତମାନର ପଶ୍ଚିମବଙ୍ଗ ସରକାର କୋଲକାତାର ଏହି ପୁରୁଣା ସଂସ୍କୃତିକୁ ବଞ୍ଚାଇବା ପାଇଁ ଏବଂ ଏହାକୁ ପୁଣି ଥର କାର୍ଯ୍ୟକ୍ଷମ କରିବା ପାଇଁ ନୂଆ ଯୋଜନା ହାତକୁ ନେଇଛନ୍ତି ।

ବନ୍ଦ ହୋଇ ପଡ଼ିଥିବା ପ୍ରମୁଖ ଐତିହାସିକ ରୁଟ୍ ଗୁଡ଼ିକୁ ପୁଣି ଥରେ ସଫା କରାଯାଇ ଟ୍ରାମ୍ ଚଳାଚଳ ଉପଯୋଗୀ କରାଯିବ। ବର୍ତ୍ତମାନ ସମୟରେ ପ୍ରଦୂଷଣ ଏକ ବଡ଼ ସମସ୍ୟା ହୋଇଥିବାରୁ, ସରକାର ଟ୍ରାମ୍‌କୁ ଏକ ପ୍ରଦୂଷଣମୁକ୍ତ ଏବଂ ପରିବେଶ ଉପଯୋଗୀ ପରିବହନ ବିକଳ୍ପ ଭାବେ ପ୍ରୋତ୍ସାହିତ କରୁଛନ୍ତି।  ଟ୍ରାମ୍‌କୁ କେବଳ ଦୈନନ୍ଦିନ ଯାତାୟାତ ପାଇଁ ନୁହେଁ, ବରଂ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ଏକ ନୂଆ ରୂପରେ ସଜାଯିବ। ଏହା ମଧ୍ୟରେ ଟ୍ରାମ୍ କାଫେ ଏବଂ ମ୍ୟୁଜିୟମ୍ ଟ୍ରାମ୍‌କୁ ଅଧିକ ଆଧୁନିକ କରାଯିବାର ଯୋଜନା ରହିଛି। କୋଲକାତାର ଟ୍ରାମ୍ ପୁଣି ଥରେ ନିଜର ପୁରୁଣା ଗୌରବ ଫେରି ପାଇବାକୁ ଯାଉଛି। ସରକାରଙ୍କ ଏହି ପଦକ୍ଷେପକୁ ସହରର ଐତିହାସିକ ଗବେଷକ, ପରିବେଶବିତ୍ ଏବଂ ସାଧାରଣ ଜନତା ବେଶ୍ ପ୍ରଶଂସା କରିଛନ୍ତି।