ନୂଆଦିଲ୍ଲୀ: କକ୍ରୋଚ ଜନତା ପାର୍ଟି (ସିଜେପି)ର ମୁଖପାତ୍ର ସୌରଭ ଦାସଙ୍କୁ ବିମାନବନ୍ଦରରେ ଅଟକାଇ ଦିଆଯାଇଛି। ତାଙ୍କ ପାସପୋର୍ଟରେ ଜନ୍ମସ୍ଥାନକୁ ନେଇ ଏକ ତ୍ରୁଟି ରହିଥିବାରୁ ତାଙ୍କୁ ଯାତ୍ରା ଅନୁମତି ମିଳିନଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଏହା ପୂର୍ବରୁ ସୌରଭ ଦାସ ଦିଲ୍ଲୀ ବିମାନବନ୍ଦରରୁ ଏକ ଭିଡିଓ ସେୟାର କରି ଅଭିଯୋଗ କରିଥିଲେ ଯେ, ଅକ୍ସଫୋର୍ଡ, କେମ୍ବ୍ରିଜ୍, ଲଣ୍ଡନ ସ୍କୁଲ୍ ଅଫ୍ ଇକୋନୋମିକ୍ସ (ଏଲଏସଇ) ଏବଂ ଏଡିନବର୍ଗ ଭଳି ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ 'କକ୍ରୋଚ ଆନ୍ଦୋଳନ' ବିଷୟରେ ବକ୍ତବ୍ୟ ଦେବାକୁ ଯାଉଥିବା ବେଳେ ତାଙ୍କୁ ଜାଣିଶୁଣି ଅଟକାଇ ଦିଆଯାଇଛି। 

ଏହି ଆନ୍ଦୋଳନ ସମ୍ପର୍କରେ ସେ ଯେପରି ଆଲୋଚନା ନକରିପାରିବେ, ସେଥିପାଇଁ କେନ୍ଦ୍ର ସରକାର ତାଙ୍କ ବାଟ ଓଗାଳିଥିବା ସେ ସିଧାସଳଖ ଅଭିଯୋଗ ଆଣିଥିଲେ।ତେବେ ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସୌରଭ ଦାସଙ୍କ ପାସପୋର୍ଟରେ ତାଙ୍କର ଜନ୍ମସ୍ଥାନ ଭୁଲବଶତଃ ଚେନ୍ନାଇ ବୋଲି ଉଲ୍ଲେଖ ରହିଥିବାରୁ ତାଙ୍କୁ ବିମାନରେ ଯାତ୍ରା କରିବାକୁ ବାରଣ କରାଯାଇଥିଲା। ଏହି ତ୍ରୁଟି କାରଣରୁ ଚେନ୍ନାଇ ସ୍ଥିତ ଆଞ୍ଚଳିକ ପାସପୋର୍ଟ କାର୍ଯ୍ୟାଳୟ ପକ୍ଷରୁ ତାଙ୍କ ପାସପୋର୍ଟ ଜବତ କରିବାର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ସୂଚନା ମୁତାବକ, ସେ ଲଣ୍ଡନ ଅଭିମୁଖେ ଯାତ୍ରା କରିବାର ଦିନ ଅର୍ଥାତ୍ ନଭେମ୍ବର ୨୩ରେ ସୌରଭ ଦାସଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। 

ଜବାବ ଦେବାକୁ ତାଙ୍କୁ ୭ ଦିନର ସମୟ ଦିଆଯାଇଛି । ଉଚିତ ଜବାବ ନଦେବା ଯାଏଁ ସେ ବିଦେଶ ଯାତ୍ରା କରିପାରିବେ ନାହିଁ । ସୂଚନାଯୋଗ୍ୟ,  ସୌରଭଙ୍କ ଏହି ପାସପୋର୍ଟ ଅଗଷ୍ଟ ୨୧, ୨୦୧୯ରେ ଚେନ୍ନାଇ ଆଞ୍ଚଳିକ ପାସପୋର୍ଟ କାର୍ଯ୍ୟାଳୟରୁ ଜାରି କରାଯାଇଥିଲା।  ଏହା ପୂର୍ବରୁ ସୌରଭ ଦାସ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଏକ ପୋଷ୍ଟ କରି ସରକାରଙ୍କୁ ଆକ୍ଷେପ କରିଥିଲେ। ଅକ୍ସଫୋର୍ଡ ୟୁନିଭରସିଟି ଷ୍ଟୁଡେଣ୍ଟସ୍ ୟୁନିଅନ୍ ପକ୍ଷରୁ ଏକ ପ୍ୟାନେଲ୍ ଆଲୋଚନା ପାଇଁ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା ବୋଲି ସେ କହିଥିଲେ । ଜଣେ ଶିକ୍ଷିତ ଯୁବକ ଶିକ୍ଷିତ ଲୋକଙ୍କ ଗହଣକୁ ଯାଇ ବୌଦ୍ଧିକ ଆଲୋଚନା କରିବାକୁ ସରକାର କାହିଁକି ଏତେ ଭୟ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ। ଏଥିସହ ସେ କଟାକ୍ଷ କରି କହିଥିଲେ ଯେ, ‘ମୁଁ ଯଦି ନିରବ ମୋଦୀ ହୋଇଥାନ୍ତି, ମୁଁ ଯଦି ବିଜୟ ମାଲ୍ୟା ହୋଇଥାନ୍ତି,ମୁଁ ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କା ଲୁଟ୍ କରିଥାନ୍ତି... ।’ ସେପଟେ ସୌରଭଙ୍କୁ ଅକ୍ସଫୋର୍ଡରୁ ନିମନ୍ତ୍ରଣ ମିଳିଥିବାରୁ  ମତାରେ ଥିବା କେହି ଜଣେ ବ୍ୟକ୍ତି ଈର୍ଷାନ୍ୱିତ ହୋଇ ଏଭଳି କରିଛନ୍ତି ବୋଲି ସିଜେପି ପ୍ରତିଷ୍ଠାତା ଅଭିଜିତ୍ ଦୀପକେ ଅଭିଯୋଗ କରିଛନ୍ତି ।