କୋଲକାତା: ନଗର ପୋଲିସ ତାର ମହିଳା ସ୍କୁଟର ପାଟ୍ରୋଲିଂ ସ୍କ୍ୱାର୍ଡ ଦୁର୍ଗା ସୁରକ୍ଷା ବାହିନୀ ନିମନ୍ତେ ଏକ ନୂଆ ପୋଷାକ ଉପସ୍ଥାପନ କରିଛି। ପୂର୍ବରୁ ‘ୱିନର୍ସ’ ନାମରେ ଜଣାଯାଉଥିବା ପୋଲିସର ଏହି ୟୁନିଟ୍ ଏବେ ପାରମ୍ପରିକ ଧଳା ପୋଲିସ ପୋଷାକରୁ ହଟି ବିଶେଷ ରୂପେ ଡିଜାଇନ କରାଯାଇଥିବା ୱର୍ଦ୍ଦି ଓ ବିଶେଷ ସୁରକ୍ଷା ହେଲମେଟ୍ ଧାରଣ କରିବେ। ଏହା ଦ୍ୱାରା ସଂକଟରେ ଫଶିଥିବା ମହିଳା ବେଶ୍ ସହଜରେ ସେମାନଙ୍କୁ ଚିହ୍ନଟ କରିପାରିବେ।

ନୂଆ ଡ୍ରେସ କୋଡ ଅନୁସାରେ ମହିଳା ଅଧିକାରୀ ଓ କର୍ମଚାରୀଙ୍କୁ ପାଟ୍ରୋଲିଂ କାଳରେ ନିଜର ପାରମ୍ପରିକ ଖାକି ପୋଲିସ ପୋଷାକ ଉପରେ ଏକ ହାଲୁକା ୱେଷ୍ଟକୋଟ୍ ବା ଏପ୍ରନ ପିନ୍ଧିବାକୁ ପଡିବ। ଏହି ପରିଧାନର ଆଗ ଓ ପଶ୍ଚାତ ଭାଗ ମୁଖ୍ୟତଃ ଗୋଲାପି ରଙ୍ଗର ହେବ। ସେହିପରି କଲର ଧଡି ଓ ବୋତାମ ନାରଙ୍ଗୀ ରଙ୍ଗର ହେବ। ଏହି ପୋଷାକରେ ପରିଚାଳନା ସୁବିଧା ପାଇଁ ଦୁଇଟି କଡ ପକେଟ ଓ ଗୋଟିଏ ଭିତିରିଆ ପକେଟ୍ ରହିଛି।

ଏହି ଜ୍ୟାକେଟ୍ ର ଏକ ପ୍ରମୁଖ ବିଶେଷତା ହେଉଛି ଏହାର ଆଗ ଓ ପଛ ଭାଗରେ ଦେବୀ ଦୁର୍ଗାଙ୍କ ଛବି ରହିଛି। ଏଥିରେ ଦେବୀଙ୍କ ଆଖିରୁ ତ୍ରୀଶୁଳ ବାହାରୁଥିବା ଭଳି ଦେଖା ଯାଉଛି। ପ୍ରତୀକ ଚିହ୍ନର ଠିକ୍ ତଳେ ମୋଟା ଇଂରାଜୀ ଅକ୍ଷରରେ ‘ଦୁର୍ଗା ସୁରକ୍ଷା ବାହିନୀ’ ଛାପ ରହିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଲାଲ ବଜାର ପୋଲିସ ୨.୮ଲକ୍ଷ ଟଙ୍କା ବ୍ୟୟରେ ୧୧୦ଟି ଜ୍ୟାକେଟ୍ ଅର୍ଡର ଦେଇଛି। ସ୍କ୍ୱାର୍ଡ ସଦସ୍ୟଙ୍କୁ କୋଲକାତା ପୋଲିସର ଲୋଗୋ ଥିବା ଉନ୍ନତ ଗୋଲାପି ରଙ୍ଗର ସୁରକ୍ଷାତ୍ମକ ହେଲମେଟ୍ ମଧ୍ୟ ମିଳିବ। ପୋଲିସ ବିଭାଗ ଏପରି ୮୦ଟି ହେଲମେଟ କ୍ରୟ ନିମନ୍ତେ ୧ଲକ୍ଷ ଟଙ୍କା ଆବଣ୍ଟିତ କରିଛି।