ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ଏବେ ଆଇନଗତ ବିବାଦ ତୀବ୍ର ରୂପ ନେଇଛି। ଅଖିଳ ଭାରତୀୟ ତୃଣ ମୂଳ କଂଗ୍ରେସ (ଏଆଇଟିଏମସି) ସୋମବାର ସୁପ୍ରିମକୋର୍ଟରେ ଦାବି କରିଛି ଯେ ଭୋଟରଲିଷ୍ଟ ଗହନ ପୁନରୀକ୍ଷଣ (ଏସଆଇଆର) ରେ ନାମ ହଟିବା ପଶ୍ଚିମବଙ୍ଗର କିଛି ବିଧାନସଭା ନିର୍ବାଚନମଣ୍ଡଳିର ଫଳାଫଳକୁ ଅନେକାଂଶରେ ପ୍ରଭାବିତ କରିଛି।

ଏଆଇଟିସି ସାଂସଦ ତଥା ବରିଷ୍ଠ ଓକିଲ କଲ୍ୟାଣ ବନ୍ଦୋପଧ୍ୟାୟ ଭାରତର ପ୍ରଧାନ ନ୍ୟାୟାଧୀଶ (ସିଜେଆଇ) ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଜୟମାଲ୍ୟା ବାଗଚୀଙ୍କ ପୀଠରେ ଉଲ୍ଲେଖ କରିଛନ୍ତି ଯେ ୩୧ ବିଧାନସଭା ନିର୍ବାଚନମଣ୍ଡଳିରେ ଏଆଇଟିସି ଉପରେ ବିଜେପିର ବିଜୟ ଅନ୍ତର ଭୋଟର ସୂଚୀ ସଂଶୋଧନରେ ହଟିଥିବା ଭୋଟରଙ୍କ ସଂଖ୍ୟା ଠାରୁ କମ୍ ଥିଲା। ତେବେ ନିର୍ବାଚନ ଆୟୋଗ କୋର୍ଟରେ ଏହି ତର୍କକୁ ବିରୋଧ କରିଛନ୍ତି କହିଛନ୍ତି ଏଥି ପାଇଁ ଉଚିତ ଉପାୟ ନିର୍ବାଚନ ପିଟିସନ ଅଟେ ଓ ସମ୍ପର୍କିତ ଚିନ୍ତା, ଯେଉଁଥିରେ ଭୋଟର ଯୋଡିବା ଓ ହଟାଇବା ଅପିଲ ସାମିଲ ଅଛି। ଏପରି ମାମଲାର ସମାଧାନ ନିର୍ବାଚନ ଆୟୋଗଙ୍କ ମାଧ୍ୟମରେ କରାଯାଇ ପାରିବ।

୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭୋଟର ସୂଚୀର ଏସଆଇଆର ସବୁଠୁ ଅଧିକ ଚର୍ଚ୍ଚିତ ପ୍ରସଙ୍ଗ ମଧ୍ୟରେ ଏବେ ଏକ ପାଲଟିଛି, ଯାହା ଭୋଟଗ୍ରହଣ ପୂର୍ବରୁ ଭୋଟର ଆଧାରକୁ ଅନେକାଂଶରେ ବଦଳେଇ ଦେଇଥିଲା। ସଂଶୋଧନ ପ୍ରକ୍ରିୟା କାଳରେ ପାଖାପାଖି ୯୧ଲକ୍ଷ ନାମ ଅର୍ଥାତ ଭୋଟରଙ୍କ ପାଖାପାଖି ୧୨% ନାମ ହଟାଇ ଦିଆଯାଇଥିଲା। ଏଥିରେ ୬୦ ଲକ୍ଷରୁ ଅଧିକ ଭୋଟରଙ୍କୁ ମୃତ ଘୋଷଣା କରି ଦିଆଯାଇଥିବା ବେଳେ ୨୭ ଲକ୍ଷ ମାମଲା ଏବେ ତଦନ୍ତାଧୀନ ରହିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଗଠିତ ଟ୍ରିବ୍ୟୁନାଲ ଏହି ୨୭ ଲକ୍ଷ ମାମଲାରୁ ମାତ୍ର ସୀମିତ ସଂଖ୍ୟାରେ ମାମଲାକୁ ଲାଗୁ କରିପାରିଛନ୍ତି।

ରିପୋର୍ଟସ୍ ଅନୁସାରେ ଭୋଟର ଲିଷ୍ଟରୁ ନାମ ହଟିଥିବା ଲୋକଙ୍କ ମଧ୍ୟରେ ବହୁ ସଂଖ୍ୟାରେ ମୁସଲମାନ, ମତୁଆ ସମ୍ପ୍ରଦାୟର ଏକ ବଡ଼ ଅଂଶ ଓ ହିନ୍ଦୁ ମଧ୍ୟ ଅଛନ୍ତି। ବିଜେପି ଏହି ପ୍ରକ୍ରିୟାକୁ ଟାଳି ଯାଇ ଏହାକୁ ଭୋଟର ଲିଷ୍ଟରୁ ଅବୈଧ ଓ ଡୁପ୍ଲିକେଣ୍ଟ ଏଣ୍ଟ୍ରି କୁ ହଟାଇବାର ଏକ ଆବଶ୍ୟକୀୟ ପ୍ରୟାସ ବୋଲି କହିଥିଲା। ମମତା ବାନାର୍ଜୀଙ୍କ ଗୋଷ୍ଠୀ ସମେତ ଅନ୍ୟ ବିରୋଧୀ ଦଳମାନେ ଅଭିଯୋଗ କରିଛନ୍ତି ଯେ ଏହି ପ୍ରକ୍ରିୟା ବ୍ୟବସ୍ଥିତ ରୂପେ ମତାଧିକାରରୁ ବଞ୍ଚିତ କରିବା ସହ ସମାନ, ଯାହା ଏବେ ତୀବ୍ର ରାଜନୈତିକ ବିବାଦକୁ ଜନ୍ମ ଦେଇଛି।

ବିଭିନ୍ନ ଦାବି ସତ୍ତ୍ୱେ ଭୋଟର ଲିଷ୍ଟରୁ ନାମ ହଟାଯିବା ଯୋଗୁ ସାରା ରାଜ୍ୟରେ ଭୋଟିଂ ପ୍ୟାଟର୍ଣ୍ଣ ଉପରେ ପ୍ରଭାବ ପଡିଥିବା କୁହାଯାଇଛି। ରାଜ୍ୟରେ ମୋଟ ଭୋଟରଙ୍କ ସଂଖ୍ୟା ୭.୬୬ କୋଟିରୁ ହ୍ରାସ ହୋଇ ୭.୦୪କୋଟି ହୋଇଯାଇଛି। ଏଥିରେ ସେହି ଭୋଟରଙ୍କୁ ସାମିଲ କରାଯାଇ ନାହିଁ ଯେଉଁମାନଙ୍କ ଆବେଦନ ଏବେ ବିଚାରାଧୀନ ଅଛି। ଏଣୁ ସୁପ୍ରିମକୋର୍ଟ ସୋମବାର ପଶ୍ଚିମବଙ୍ଗର ପୂର୍ବ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏସଆଇଆରରେ ବିଜୟର ଅନ୍ତର ଭୋଟ ଗଣତିରୁ କମ ହୋଇଥିବାରୁ ଏକ ନୂଆ ପିଟିସନ ରୁଜୁ କରିବାକୁ କହିଛନ୍ତି।