IPL DC Vs KKR: ବୋଲରଙ୍କ ଘାତକ ବୋଲିଂ ପରେ ଫିନ ଆଲେନଙ୍କ ବିସ୍ଫୋରକ ଶତକ। ଆଇପିଏଲ୍ ୨୦୨୬ର ୫୧ତମ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ୮ ଓ୍ଵିକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ସହଜରେ ହରାଇଛି। ଲଗାତାର ଚତୁର୍ଥ ମ୍ୟାଚ୍ ଜିତିଛି କେକେଆର ଏହି ଦମଦାର ବିଜୟ ସହ କୋଲକାତାର ପ୍ଲେ ଅଫ୍ ଆଶା ଉଜ୍ଜିବୀତ ରହିଛି। ଅନ୍ୟପଟେ ଦିଲ୍ଲୀ ନିଜର ଘରୋଇ ଗ୍ରାଉଣ୍ଡ ଅରୁଣ ଜେଟଲୀ ଷ୍ଟାଡିୟମରେ ଶୋଚନୀୟ ପରାଜୟ ଭୋଗି ପ୍ଲେ ଅଫ୍ ପାଇଁ ମୁସ୍କିଲ ସ୍ଥିତି ସୃଷ୍ଟି କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ପଥୁମ ନିଶଙ୍କାଙ୍କ ୫୦ ରନ ଓ ଆଶୁତୋଷ ଶର୍ମାଙ୍କ ୩୯ ରନ ବଳରେ ୮ ଓ୍ଵିକେଟ୍ ହରାଇ ୧୪୨ ରନ କରିଥିଲା। ଜବାବରେ ଫିନ ଆଲେନଙ୍କ ଅପରାଜିତ ଶତକ ବଳରେ କୋଲକାତା ୧୪.୨ ଓଭରରେ ୨ ଓ୍ଵିକେଟ୍ ହରାଇ ସହଜରେ ମ୍ୟାଚ୍ ଜିତି ନେଇଛି।

KKR ଇନିଂସ

୧୪୩ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା କୋଲକାତାକୁ ୨୯ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା। ଅଧିନାୟକ ଆଜିଙ୍କ୍ୟ ରାହାଣେ ୧୩ ରନ କରି ଆଉଟ୍ ହୋଇଥିଲେ। ଫର୍ମରେ ଥିବା ଅଙ୍ଗକୃଷ ରଘୁବଂଶୀ ୧ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଫିନ ଆଲେନ ନିଜେ ଇନିଂସ ସମ୍ଭାଳି ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ଦିଲ୍ଲୀ ବୋଲରଙ୍କୁ ଆଉ କୌଣସି ସୁଯୋଗ ଦେଇ ନ ଥିଲେ। ସେ ଏବଂ କ୍ୟାମେରୁନ ଗ୍ରୀନ ୧୧୬ ରନର ଭାଗିଦାରୀ କରି ଦିଲ୍ଲୀକୁ ୧୪.୨ ଓଭରରେ ଜିତାଇଥିଲେ। ଫିନ ଆଲେନ ୪୭ ବଲରୁ ୫ ଚୌକା ଓ ୧୦ ଛକା ସହ ୧୦୦ ରନ କରି ଅପରାଜିତ ଥିଲେ। କ୍ୟାମେରୁନ ଗ୍ରୀନ ୩୩ ରନ କରି ତାଙ୍କ ସହ କ୍ରିଜରେ ଥିଲେ।

DC ଇନିଂସ

ଏହା ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ ଦୁଇ ଓପନର ପଥୁମ ନିଶଙ୍କା ଓ କେଏଲ ରାହୁଲ ଭଲ ଆରମ୍ଭ ଦେଇଥିଲେ। ରାହୁଲ ୨୩ ରନ କରି ଆଉଟ୍ ହୋଇଥିଲେ। ତାଙ୍କ ଆଉଟ୍ ହେବା ସହ ଦିଲ୍ଲୀ ମଧ୍ୟକ୍ରମରେ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ନୀତିଶ ରାଣା ୮ ରନ, ସମୀର ରିଜଭି ୩ ରନ, ଟ୍ରିଷ୍ଟନ ଷ୍ଟବ୍ସ ୨ ରନ ଓ ଅଧିନାୟକ ଅକ୍ଷର ପଟେଲ୍ ୧୧ ରନ କରି ଆଉଟ୍ ହେବା ଦିଲ୍ଲୀର ବ୍ୟାଟିଂ ଇନିଂସକୁ ଭୁଶୁଡ଼ାଇ ଦେଇଥିଲା। ନିଶଙ୍କା ୨୯ ବଲରୁ ୫୦ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ଶେଷ ଆଡ଼କୁ ଆଶୁତୋଷ ଶର୍ମା ୩୯ ରନର ଇନିଂସ ଖେଳିବାରୁ ଦିଲ୍ଲୀ ୧୪୨ ରନରେ ପହଞ୍ଚି ପାରିଛି। ବୋଲିଂରେ କାର୍ତ୍ତିକ ତ୍ୟାଗୀ ୨୫ ରନ ଦେଇ ୨ଟି, ଅନୁକୁଲ ରୟ ୩୧ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିଲେ।