ଭୁବନେଶ୍ୱର ୧୭।୧୦ : ସରିଛି ଛାତ୍ର ସଂସଦ ନିର୍ବାଚନ । ତଥାପି ରାଜ୍ୟରେ ଥମୁନି ଛାତ୍ର ସଂସଦ ନିର୍ବାଚନ ରାଜନୀତି । ପ୍ରତିଦିନ କିଛି ନା କିଛି ଘଟୁଛି । ଏଇ ଯେମିତି ଶନିବାର ସକାଳ ସମୟରେ ନବୀନ ନିବାସରେ ଲାଗିଥିଲା ଛାତ୍ର ନେତାଙ୍କ ମେଳି । ବାଜା ଏବଂ ଶଙ୍ଖ ଶବ୍ଦରେ କମ୍ପିଲା ନବୀନ ନିବାସ ପରିସର । ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଛାତ୍ର ନେତା । ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ ବଡ଼ ସଫଳତା ହାସଲ କରିଥିବା ବେଳେ ଯୁବ ନେତାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ନବୀନ ।

ଏହି ଅବସରରେ ନବୀନ କହିଛନ୍ତି ଯେ, ୬୦% କଲେଜ ଓ ୫୦% ବିଶ୍ୱବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳ ଜିତିଛି । ରାଜ୍ୟର ବିଜେପି ସରକାର ଅର୍ଥ, ବାହୁବଳ ଏବଂ ଅନ୍ୟାନ୍ୟ ଅନୁଚିତ ଉପାୟ ଅବଲମ୍ବନ କରିଥିଲେ ମଧ୍ୟ BCJD ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ନିର୍ବାଚନ ଜିତିବାରେ ସଫଳ ହୋଇଛି । ଏହି ବିଜୟ ପାଇଁ ସେ ସମସ୍ତ ବିଜୟୀ ପ୍ରାର୍ଥୀ ଏବଂ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇବା ସହ ସେମାନଙ୍କ ଉତ୍ସାହକୁ ପ୍ରଶଂସା କରିଛନ୍ତି। ଏଥିସହିତ ବିଜୟୀ ଛାତ୍ର ନେତାଙ୍କୁ ନବୀନ କହିଛନ୍ତି ଆପଣମାନେ ପ୍ରକୃତ ଜେନ ଜି।

Also Read:-କଲେଜ ନିର୍ବାଚନରେ BCJDର ବଡ଼ ସଫଳତା: ଯୁବ ନେତାଙ୍କୁ ଅଭିନନ୍ଦନ ଜଣାଇଲେ ନବୀନ

ସେପଟେ BCJD ଛାତ୍ରନେତାମାନେ ନବୀନଙ୍କୁ ଭେଟିବା ପ୍ରସଙ୍ଗରେ ବିଜେପି ରାଜ୍ୟ ସାଧାରଣ ସଂପାଦକ ବିରଞ୍ଜି ନାରାୟଣ ତ୍ରିପାଠୀ ବିଜେଡିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ଓଡ଼ିଶାରେ ଅଧିକରୁ ଅଧିକ କଲେଜରେ ଏବିଭିପି ବିଜୟ ଲାଭ କରିଛି । ଯାହା ଗଣମାଧ୍ୟମରେ ମଧ୍ୟ ତଥ୍ୟ ସହ ପ୍ରଚାର ହୋଇଛି । ତେଣୁ ନବୀନଙ୍କୁ ତାଙ୍କ ଛାତ୍ରନେତା ଭେଟିବା ଏବଂ ସେ କଣ ତାଙ୍କୁ ମନ୍ତବ୍ୟ ଦେବେ ତାହା ନବୀନଙ୍କ ବ୍ୟକ୍ତିଗତ କଥା । ସେଥିରେ ଆମର କିଛି କହିବାର ନାହିଁ । ହେଲେ ଛାତ୍ର ଓ ଯୁବ ଗୋଷ୍ଠୀ ସବୁବେଳେ ବିଜେପି ସହ ଅଛନ୍ତି । ରାଷ୍ଟ୍ରବାଦୀ ଛାତ୍ର ସଂଗଠନ ଭାବେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଦିଲ୍ଲୀଠାରୁ ଆରମ୍ଭ କରି ଭୁବନେଶ୍ୱର ପର୍ଯ୍ୟନ୍ତ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ନିଜର ସ୍ଥିତିକୁ ମଜବୁତ କରିଛି । ଛାତ୍ରଛାତ୍ରୀମାନେ ରାଷ୍ଟ୍ରବାଦୀ ବିଚାରଧାରା ପ୍ରତି ଆସ୍ଥା ପ୍ରକଟ କରିଛନ୍ତି ଏବଂ ଦେଶର ଏକତା ଓ ଅଖଣ୍ଡତାକୁ ଗୁରୁତ୍ୱ ଦେଇଛନ୍ତି । ଏହାର ପ୍ରଭାବ ଆଗାମୀ ନିର୍ବାଚନରେ ମଧ୍ୟ ପଡ଼ିପାରେ । ବିଶେଷକରି ଯୁବପିଢ଼ି କେଉଁ ରାଜନୈତିକ ଦଳକୁ ସମର୍ଥନ କରିବେ, ତାହା ଏବେ ଗୁରୁତ୍ୱପୂର୍ଣ୍ଣ ।

ଭାରତୀୟ ଜନତା ପାର୍ଟି ସାଧାରଣ ଲୋକ, ଯୁବପିଢ଼ି, ଗରିବ ଲୋକଙ୍କ ସହିତ ଏବଂ ମହିଳାମାନଙ୍କ ସହିତ ରହି କାର୍ଯ୍ୟ କରୁଛି । ଗ୍ରାମାଞ୍ଚଳ ଓ ସହରାଞ୍ଚଳର ବିକାଶ ପାଇଁ ଦଳ ନିରନ୍ତର ଉଦ୍ୟମ କରୁଛି ଏବଂ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମକୁ ଆଗେଇ ନେଉଛି । ସେହି ଦୃଷ୍ଟିରୁ ଆମର ବିଶ୍ୱାସ ଯେ ଓଡ଼ିଶାର ସାଧାରଣ ଜନତା ଭାରତୀୟ ଜନତା ପାର୍ଟିକୁ ସମର୍ଥନ କରିବେ ଏବଂ ଆଗାମୀ ଦିନରେ ଦଳ ନିଶ୍ଚିତ ଭାବରେ ସଫଳତା ହାସଲ କରିବ।