ମୁମ୍ବାଇ : ସିନେମାର କାହାଣୀ ଓ ତାର ଚରିତ୍ରକୁ ନେଇ ଫିଲ୍ମ ହିଟ୍ ହୁଏ। ଆଉ ତାର କ୍ରେଜ ଦର୍ଶକଙ୍କ ମନରେ ଏମିତି ଛାପି ହୋଇଯାଏ ଯେ, ତାର ସିକ୍ୱେଲ୍ ଦାବି ହୁଏ। ୯୦ ଦଶକର ବ୍ଲକବଷ୍ଟର ଫିଲ୍ମ ‘ଖଲନାୟକ’ ସହ ବି ଏମିତି ଘଟିଛି। ଦର୍ଶକ ଫିଲ୍ମ ଓ ଖାସ୍ କରି ସଞ୍ଜୟ ଦତ୍ତଙ୍କ ଚରିତ୍ର 'ବଲ୍ଲୁ ବଲରାମ' ଏତେ ପସନ୍ଦ କରିଥିଲେ ତାର ସିକ୍ୱେଲ୍ ନେଇ ସମସ୍ତେ ଦାବି କରିଥିଲେ। ଏବେ ସେ ସମୟ ଆସିଛି। "ଖଳନାୟକ" ରିଲିଜର ତେତିଶ ବର୍ଷ ପରେ, ଏହାର ସିକ୍ୱେଲ୍ ଅର୍ଥାତ୍ "ଖଳନାୟକ ରିଟର୍ଣ୍ଣସ୍" ଘୋଷଣା କରିଛନ୍ତି ସଞ୍ଜୟଦତ୍ତ। ଯାହା ପ୍ରଶଂସକଙ୍କ ଉତ୍ସାହକୁ ଆହୁରି ବଢ଼େଇ ଦେଇଛି। ଏହି ଘୋଷଣା ସମୟରେ, ଅଭିନେତା ଏକଥା ବି କହିଥିଲେ ଯେ, ଏହି ପ୍ରୋଜେକ୍ଟ ତାଙ୍କ ମନକୁ କେମିତି ଆସିଲା। ଯାହା ଖୁବ୍ ଚିତାକର୍ଷକ।

 କେମିତି ଆସିଲା ଫିଲ୍ମର ଆଇଡିଆ ?

୧୯୯୩ରେ ରିଲିଜ୍ ହୋଇଥିଲା ସୁଭାଷ ଘାଇଙ୍କ ଫିଲ୍ମ "ଖଳନାୟକ"। ଯାହା ସଞ୍ଜୟ ଦତ୍ତଙ୍କ କ୍ୟାରିଅରକୁ ଦେଇଥିଲା ନୂଆ ଦିଗ। କିନ୍ତୁ ଠିକ୍ ରିଲିଜ ସମୟରେ ତାଙ୍କ ସହିତ ଘଟିଥିଲା ଏକ ଅଘଟଣ । ୧୯୯୩ ମୁମ୍ବାଇ ବିସ୍ଫୋରଣ ମାମଲା ପରେ, ପୋଲିସ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗରେ ସଞ୍ଜୟ ଦତ୍ତଙ୍କୁ ଗିରଫ କରାଯାଇଥିଲା। ତାଙ୍କୁ ପାଞ୍ଚ ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିଥିଲା। ତାଙ୍କୁ ପୁନେର ୟେରୱାଡା ଜେଲକୁ ପଠାଯାଇଥିଲା। ଖୁସିର କଥା ହେଉଛି ସେଇଠୁ ହିଁ ତାଙ୍କୁ ମିଳିଥିଲେ ସିକ୍ୱେଲର ଆଇଡିଆ। ସଞ୍ଜୟ କହିଛନ୍ତି,"ମୁଁ ଜେଲରେ ଥିବା ସମୟରେ ‘ଖଳନାୟକ 2’ ତିଆରି କରିବାର ଆଇଡିଆ ପାଇଲି। ସେଠାରେ ମୁଁ ଯେତବେଳେ ଗୀତ ବଜାଉଥିଲି। ସେଠାକାର କଏଦୀମାନେ ମୋତେ ସବୁବେଳେ ‘ଖଳନାୟକ’ର ଗୀତ ବଜାଇବାକୁ କହୁଥିଲେ। ମୁଁ ସେମାନଙ୍କୁ ପଚାରିଲି, 'ଯଦି ଆମେ ‘ଖଲନାୟକ-2’ର ତିଆରି କରୁ ତାହେଲେ, କିଏ ଏହାକୁ ଦେଖିବାକୁ ଚାହିଁବ?' ସେଠାରେ ଥିବା ସମସ୍ତ ୪୦୦୦ କଏଦୀ ଏକମତ ଭାବରେ ଉତ୍ତର ଦେଇଥିଲେ ଯେ ସେମାନେ ଏହାକୁ ଦେଖିବେ। ତା'ପରେ ମୁଁ ସେମାନଙ୍କୁ କହିଲି, 'ମୋତେ ଫିଲ୍ମ ପାଇଁ ଏକ ପୃଷ୍ଠାରେ ଲେଖି ଆଇଡିଆ ଦିଅନ୍ତୁ।' ସତ ସତିକା ସମସ୍ତେ ଦେଇଥିଲେ। ସମସ୍ତ ୪୦୦୦ ପୃଷ୍ଠା ପଢିବା ପାଇଁ ମୋତେ ବହୁତ ସମୟ ଲାଗିଲା। କିନ୍ତୁ ସବୁ ପଢ଼ିବା ପରେ ସେଥିରୁ ଗୋଟିଏ ଆଇଡିଆ ମୋ ମନକୁ ଛୁଇଁଲା। ଯେତେବେଳେ ମୁଁ ଜେଲ୍ ରୁ ବାହାରିଲି, ସୁଭାଷ ଘାଇ ସାରଙ୍କୁ ଫୋନ୍ କଲି। ଯେତେବେଳେ ମୁଁ ତାଙ୍କୁ ଏହି ଆଇଡିଆ ସେଆର କଲି, ସେ ଖୁବ୍ ଖୁସି ଓ ଉତ୍ସାହିତ ହୋଇଗଲେ। ସେ କହିଲେ, 'ଏହା ନିଶ୍ଚିତ ଭାବରେ ତିଆରି ହେବା ଆବଶ୍ୟକ।'

Also Read- ଟ୍ରୋଲିଂ ପରେ ରାହୁଲଙ୍କ ସପୋର୍ଟରେ ବାହାରିଲା ବଲିଉଡ୍ ; ଫରାହ ଖାନ-ସୋନୁ ସୁଦ କହିଲେ-ଆମେ ତୁମ ସହ ଅଛୁ...

ସୁବାଷ ପାଇଁ ହୋଇପାରେ କମବ୍ୟାକ୍

୨୦୧୪ରେ ରିଲିଜ ହୋଇଥିବା ‘କାଞ୍ଚି’ ପରଠାରୁ ସୁଭାଷ ଘାଇ କୌଣସି ଚଳଚ୍ଚିତ୍ର ନିର୍ଦ୍ଦେଶନା ଦେଇ ନାହାଁନ୍ତି। ତେଣୁ, ଏହି ଚଳଚ୍ଚିତ୍ର କେବଳ ‘ଖଳନାୟକ’ ପାଇଁ ନୁହେଁ ବରଂ ତାଙ୍କ ପାଇଁ ମଧ୍ୟ କମବ୍ୟାକ୍ ହୋଇପାରେ। ଯଦିଓ ଫିଲ୍ମ ନିର୍ମାତା ଏପର୍ଯ୍ୟନ୍ତ ପ୍ରକାଶ କରିନାହାଁନ୍ତି ଯେ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା କିଏ ଦେବେ। କିନ୍ତୁ ଫିଲ୍ମର ଆନାଉନ୍ସମେଣ୍ଟ ହୋଇ ସାରିଛି । ଫିଲ୍ମ ରିଲିଜକୁ ନେଇ ଏବେ ବହୁତ ସମୟ ବାକି ଅଛି। କାହିଁକିନା ଏବେ ପର୍ଯ୍ୟନ୍ତ ଫିଲ୍ମର କାଷ୍ଟ ଫାଇନାଲ ହୋଇନି। ଏହି ଚର୍ଚ୍ଚା ଭିତରେ କେବଳ ସଞ୍ଜୟ ଦତ୍ତଙ୍କୁ ଲୁକ୍ ହୋଇଛି ଭାଇରାଲ୍।

୧୯୯୩ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ ‘ଖଳନାୟକ’ ସେହି ସମୟର ସବୁଠାରୁ ଚର୍ଚ୍ଚିତ ଫିଲ୍ମ ମଧ୍ୟରୁ ଗୋଟିଏ ଥିଲା। ଏହି ଫିଲ୍ମରେ ସଞ୍ଜୟ ଦତ୍ତଙ୍କ ସହିତ, ମାଧୁରୀ ଦୀକ୍ଷିତ ଏବଂ ଜ୍ୟାକି ଶ୍ରଫ୍ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ। ସୁଭାଷ ଘାଇଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର କାହାଣୀ, ସଙ୍ଗୀତ ଏବଂ ଚରିତ୍ରଗୁଡ଼ିକ ଦର୍ଶକଙ୍କ ଉପରେ ଖୁବ୍ ପ୍ରଭାବ ପକାଇଥିଲା। ଫିଲ୍ମ ସବୁ ଗୀତ ହିଟ୍ ହୋଇଥିଲା। "ନାୟକ ନେହିଁ ଖଳନାୟକ ହୁଁ ମୈଁ" ଗୀତ ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା। ଏବେ ‘ଖଳନାୟକ ରିଟର୍ଣ୍ଣସ’କୁ ଅପେକ୍ଷା...