ନୂଆଦିଲ୍ଲୀ -; ଉତ୍ତରପ୍ରଦେଶରେ ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ମାହୋଲ ସରଗରମ ହୋଇଛି। ଏହାରି ମଧ୍ୟରେ ବିଜେପି ପୁଣିଥରେ କ୍ଷମତାକୁ ଫେରିବ ଏବଂ ଲଗାତାର ତୃତୀୟ ଥର ପାଇଁ ସରକାର ଗଠନ କରିବ ବୋଲି ଦୃଢ଼ ଆଶା ପ୍ରକାଶ କରିଛନ୍ତି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଶନିବାର ବାରାଣସୀରେ ଏନ୍ଡିଟିଭି ପକ୍ଷରୁ ଆୟୋଜିତ ‘କ୍ରିଏଟର୍ସ ମଞ୍ଚ’ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏହି ଦାବି କରିଛନ୍ତି। ଏହି ଅବସରରେ ବିଜେପିକୁ ‘ସନାତନ’ ଓ ଚିରନ୍ତନ ବୋଲି ବର୍ଣ୍ଣନା କରି ଯୋଗୀ କହିଥିଲେ, “କାଶୀ ଅବିନାଶୀ। ଠିକ୍ ସେହିପରି ଭାରତୀୟ ରାଜନୀତିରେ ବିଜେପି ମଧ୍ୟ ଚିରନ୍ତନ।” ଆଗାମୀ ନିର୍ବାଚନରେ ବିଜେପି ପୁଣି ବିଜୟୀ ହୋଇ କ୍ଷମତାକୁ ଫେରିବ ବୋଲି ଆତ୍ମବିଶ୍ୱାସର ସହ କହିବା ସହ ଏଥର ଦଳ ହ୍ୟାଟ୍ରିକ୍ କରିବା ନିଶ୍ଚିତ ବୋଲି ସେ ମତ ଦେଇଥିଲେ।

ଅଖିଳେଶ ଯାଦବଙ୍କ ଅଯୋଧ୍ୟା ଗସ୍ତକୁ ନେଇ କଟାକ୍ଷ-;

ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଡିସେମ୍ବର ୧୨ ତାରିଖରେ ପ୍ରସ୍ତାବିତ ଅଯୋଧ୍ୟା ଗସ୍ତକୁ ନେଇ ମଧ୍ୟ ଯୋଗୀ ଆଦିତ୍ୟନାଥ କଟାକ୍ଷ କରିଛନ୍ତି। ହିନ୍ଦୁତ୍ୱକୁ ନିଜର ରାଜନୈତିକ ଶକ୍ତି ଓ ମୁଖ୍ୟ ଆଧାର ବୋଲି ଦର୍ଶାଇ ସେ ଅଖିଳେଶଙ୍କୁ ନିଜ ପିଚ୍ରେ ଖେଳିବାକୁ ଆହ୍ୱାନ ଦେଇଛନ୍ତି। ଏନ୍ଡିଟିଭିର ସିଇଓ ତଥା ଏଡିଟର-ଇନ୍-ଚିଫ୍ ରାହୁଲ କନୱାଲଙ୍କ ସହ ଆଲୋଚନା ସମୟରେ ଯୋଗୀ କହିଥିଲେ, “ମୁଁ ଚାହୁଁଛି ଅଖିଳେଶ ଯାଦବ ମୋ ପିଚ୍କୁ ଆସି ଖେଳନ୍ତୁ।”

ତେବେ ଅଯୋଧ୍ୟା ଗସ୍ତ ପୂର୍ବରୁ ଅଖିଳେଶ ଯାଦବଙ୍କୁ ହିନ୍ଦୁମାନଙ୍କ ନିକଟରେ କ୍ଷମା ମାଗିବାକୁ ମଧ୍ୟ ଯୋଗୀ ପରାମର୍ଶ ଦେଇଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ରାମ ମନ୍ଦିର ଆନ୍ଦୋଳନ ସମୟରେ କାରସେବକମାନେ ‘ଜୟ ଶ୍ରୀରାମ’ ନାରା ଦେଇଥିବା ବେଳେ ତତ୍କାଳୀନ ସମାଜବାଦୀ ପାର୍ଟି ସରକାର ସେମାନଙ୍କ ଉପରେ ଗୁଳି ଚଳାଇବାକୁ ଆଦେଶ ଦେଇଥିଲେ।

ଯୋଗୀ କହିଥିଲେ, “ଯେତେବେଳେ ଆମେ ରାମ ମନ୍ଦିର ଆନ୍ଦୋଳନରେ ସାମିଲ ହୋଇ ‘ଜୟ ଶ୍ରୀରାମ’ ନାରା ଦେଉଥିଲୁ, ସେତେବେଳେ ସମାଜବାଦୀ ପାର୍ଟି ସରକାର କାରସେବକଙ୍କ ଉପରେ ଗୁଳି ଚଳାଇବାକୁ ଆଦେଶ ଦେଇଥିଲେ। ଅଖିଳେଶ ପ୍ରଥମେ ହିନ୍ଦୁମାନଙ୍କୁ କ୍ଷମା ମାଗିବା ଉଚିତ।”

also read-; ଲୋକସଭା ଆସନ ସଂଖ୍ୟା ୫୪୩ରୁ ୮୫୦କୁ ବୃଦ୍ଧି ପ୍ରସ୍ତାବକୁ ନେଇ ପ୍ରଶ୍ନ ଉଠାଇଲେ ରାହୁଲ ଗାନ୍ଧୀ ?

ବୁଲଡୋଜର ପ୍ରସଙ୍ଗରେ ଅଖିଳେଶଙ୍କୁ ଟାର୍ଗେଟ୍-;

ନିକଟରେ ଅଖିଳେଶ ଯାଦବଙ୍କ ଗୋରଖପୁର ଗସ୍ତକୁ ନେଇ ମଧ୍ୟ ଯୋଗୀ ଆଦିତ୍ୟନାଥ କଟାକ୍ଷ କରିଛନ୍ତି। ଏହି ପ୍ରସଙ୍ଗରେ ସେ ବୁଲଡୋଜର ଦୁର୍ଘଟଣାର ଉଲ୍ଲେଖ କରିଥିଲେ। ଯୋଗୀ କହିଥିଲେ, “ଗୋରଖପୁରରେ ସେମାନେ ବୁଲଡୋଜର ଚଲାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ବୁଲଡୋଜର ବିଷୟରେ କହିବା ସହଜ, ଏହାର ଷ୍ଟିୟରିଂ ଧରିବା ସମସ୍ତଙ୍କ କାମ ନୁହେଁ। ଏହାକୁ ଚଳାଇବା ପାଇଁ ନିର୍ଦ୍ଦିଷ୍ଟ ଇଚ୍ଛାଶକ୍ତି ଓ ଦୃଢ଼ ସଂକଳ୍ପର ଆବଶ୍ୟକତା ରହିଛି।”

ଆଗାମୀ ନିର୍ବାଚନରେ ଗୋରଖପୁରର ସମସ୍ତ ଆସନରେ ସମାଜବାଦୀ ପାର୍ଟି ବିଜୟୀ ହେବ ବୋଲି ଅଖିଳେଶ ଯାଦବ କରିଥିବା ଦାବିର ଜବାବ ଦେଇ ଯୋଗୀ କହିଛନ୍ତି ଯେ, ପୂର୍ବ ନିର୍ବାଚନଗୁଡ଼ିକ ଭଳି ଏଥର ମଧ୍ୟ ସମାଜବାଦୀ ପାର୍ଟିକୁ ପରାଜୟର ସାମ୍ନା କରିବାକୁ ପଡ଼ିବ। ସେ କହିଥିଲେ, “ସମାଜବାଦୀ ପାର୍ଟି କ୍ଷମତାରେ ଥିବା ସମୟରେ ମଧ୍ୟ ଆମେ ଗୋରଖପୁରରେ ନିର୍ବାଚନ ଜିତିଥିଲୁ। ସେମାନଙ୍କ ପ୍ରାର୍ଥୀଙ୍କ ଜମାନତ ମଧ୍ୟ ଜବତ ହୋଇଥିଲା। ୨୦୧୭, ୨୦୨୨ ଏବଂ ୨୦୨୪ ନିର୍ବାଚନରେ ଗୋରଖପୁରର ସମସ୍ତ ଆସନରେ ବିଜେପି ବିଜୟୀ ହୋଇଥିଲା।” ଏହା କେବଳ ଗୋରଖପୁର ପର୍ଯ୍ୟନ୍ତ ସୀମିତ ନୁହେଁ ବୋଲି କହି ଯୋଗୀ ଆହୁରି କହିଥିଲେ, “ମୋର ଘର କେବଳ ଗୋରଖପୁର ନୁହେଁ, ସମଗ୍ର ଉତ୍ତରପ୍ରଦେଶ ମୋର ଘର। ରାଜ୍ୟର ସମସ୍ତ ଆସନରେ ବିଜେପି ଓ ଏହାର ସହଯୋଗୀ ଦଳଗୁଡ଼ିକ ସମାନ ଫଳାଫଳ ହାସଲ କରିବେ।” ଆଗାମୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଯୋଗୀ ଆଦିତ୍ୟନାଥଙ୍କ ଏହି ବୟାନ ପରେ ବିଜେପି ଓ ସମାଜବାଦୀ ପାର୍ଟି ମଧ୍ୟରେ ରାଜନୈତିକ ବାକ୍ଯୁଦ୍ଧ ଆହୁରି ତୀବ୍ର ହେବାର ସଙ୍କେତ ମିଳୁଛି।