ଖଲ୍ଲିକୋଟ: ସାରା ଦେଶରେ ଆଜି ୮୦ତମ ସ୍ୱାଧୀନତା ଦିବସ ହର୍ଷ ଉଲ୍ଲାସର ସହ ପାଳିତ ହେଉଥିବା ବେଳେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ପରିସରରେ ଦେଖିବାକୁ ମିଳିଛି ଏକ ଅପ୍ରୀତିକର ଦୃଶ୍ୟ । ଜାତୀୟ ପତାକା କିଏ ଉତ୍ତୋଳନ କରିବ, ବ୍ଲକ ଅଧ୍ୟାକ୍ଷା ନା ବିଡ଼ିଓ ? ଏହାକୁ ନେଇ ବ୍ଲକ ପରିସରରେ ଦୀର୍ଘ ସମୟ ଧରି ତର୍କବିତର୍କ ଏବଂ ତୁତୁ-ମେଁମେଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।

 

କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରେରିତ ନିର୍ଦ୍ଦେଶାବଳୀ ଅନୁଯାୟୀ ବିଡିଓ ପତାକା ଉତ୍ତୋଳନ କରିବା ପାଇଁ ନିୟମ ଥିବା ବେଳେ, ଅଧ୍ୟାକ୍ଷା ପତାକା ଉତ୍ତୋଳନ କରିବେ ବୋଲି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଜିଦରେ ଅଟଳ ରହିଥିଲେ । ଉପସ୍ଥିତ ସରକାରୀ କର୍ମଚାରୀ, ଜନପ୍ରତିନିଧି ଓ ସ୍ଥାନୀୟ ଭଦ୍ରବ୍ୟକ୍ତିମାନେ ଦର୍ଶକ ହୋଇ ରହିଥିଲେ ।

ବିଡିଓ ଦେବାଶିଷ ସାମଲ ଯେତେବେଳେ ପତାକା ଉତ୍ତୋଳନ କରିବାକୁ ଆଗେଇ ଆସିଥିଲେ, ସେତେବେଳେ ଉକ୍ତ ଗୋଷ୍ଠୀ ଅଧ୍ୟାକ୍ଷା କୁମାରୀ ଦାସଙ୍କୁ ପତାକା ଉତ୍ତୋଳନ କରିବା ପାଇଁ ବାଧ୍ୟ କରିଥିଲେ । ଏହି ସମୟରେ ଆସିକା-ଘୁମୁସର ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଯଜ୍ଞ ନାରାୟଣ ଦାସ ବିଡିଓଙ୍କ ହାତକୁ ଟାଣିବାକୁ ଚେଷ୍ଟା କରିଥିଲେ । ଶେଷରେ ବିଡିଓ ଓ ଅଧ୍ୟାକ୍ଷା ଉଭୟ ମିଶି ଡୋରି ଟାଣିଥିଲେ ସୁଦ୍ଧା ପତାକାଟି ଠିକ୍ ଭାବରେ ଖୋଲି ନଥିଲା । ପରବର୍ତ୍ତୀ ସମୟରେ ବିଡିଓ ଦ୍ୱିତୀୟ ଥର ପାଇଁ ଡୋରି ଟାଣି ପତାକାକୁ ପୂର୍ଣ୍ଣାଙ୍ଗ ଭାବେ ଉତ୍ତୋଳନ କରିଥିଲେ । ଜାତୀୟ ପର୍ବରେ ଏପରି ଅଶୋଭନୀୟ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଚର୍ଚ୍ଚା ଓ ପ୍ରତିକ୍ରିୟା ପ୍ରକାଶ ପାଇଛି ।

Also Read: ୮୦ତମ ସ୍ୱାଧୀନତା ଦିବସରେ ବିଶ୍ୱରୁ ଛୁଟିଛି ଶୁଭେଛାର ସୁଅ,ବନ୍ଧୁତ୍ୱର ହାତ ବଢାଇଛନ୍ତି ଇସ୍ରାଏଲରୁ ଆମେରିକା ପର୍ଯ୍ୟନ୍ତ ନେତା