ନୂଆଦିଲ୍ଲୀ: ପାକିସ୍ତାନକୁ ପ୍ରେମ। ଭାରତକୁ ଘୃଣା। ଢ଼ାକାରେ ଥାଇ ନୂଆଦିଲ୍ଲୀ ବିରୋଧରେ ବୁଣୁଥିଲେ ବିଷର ମଞ୍ଜି। ଏହି ନୀତି ଯୋଗୁଁ ୩ ଦଶନ୍ଧି ଧରି ଭାରତ ସହିତ ମତଭେଦରେ ଥିଲେ ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଖାଲିଦା ଜିଆ। ତାଙ୍କର ରାଜନୀତି ଭାରତ ବିରୋଧୀ ଜାତୀୟତାବାଦ ଉପରେ ଆଧାରିତ ଥିଲା। ତାଙ୍କ ଶାସନ କାଳରେ ଢାକାରେ ଦୃଢ଼ ଉପସ୍ଥିତି ଜାହିର କରିଥିଲା ISI ଏବଂ ଜାଗି ଉଠିଥିଲେ ଭାରତ ବିରୋଧୀ ତତ୍ତ୍ୱ ।

ବାଂଲାଦେଶ ବର୍ତ୍ତମାନ ତାର ସବୁଠାରୁ ଅନ୍ଧକାରମୟ ସମୟ ଦେଇ ଗତି କରୁଛି। ଭାରତରେ ଉଗ୍ରବାଦ ଏବଂ ହିଂସାକୁ ନେଇ ଶୀର୍ଷରେ ଅଛି ଭାରତର ଏହି ପଡ଼ୋଶୀ ରାଷ୍ଟ୍ର। ପ୍ରତିଦିନ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରାଯାଉଥିବା ରିପୋର୍ଟ ଆସୁଛି। ଇତି ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ ଘଟିଛି। ତାଙ୍କର ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କ ପରିବାର ଏବଂ ସମଗ୍ର ବାଂଲାଦେଶବାସୀଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ମୃତ୍ୟୁର ଶେଷ ପର୍ଯ୍ୟନ୍ତ ଖାଲିଦା ଦେଖିଥିଲେ ବାଂଲାଦେଶ ପ୍ରତି ଭାରତର ପ୍ରେମ କିନ୍ତୁ ବଦଳରେ କଣ ଦେଇଥିଲେ ଖାଲିଦା। କେବଳ ପାକିସ୍ତାନ ପ୍ରତି ପ୍ରେମ ଆଉ ଭାରତକୁ ଘୃଣା। ଏପରିକି ଏକଦା ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସହ ସାକ୍ଷାତ କରିବାକୁ ରୋକଠୋକ ମନା କରିଦେଇଥିଲେ।

୧୯୪୭ରେ ବିଭାଜନ ପରେ ବେଗମ୍ ଖାଲିଦାଙ୍କ ପରିବାର ଦିନାଜପୁର ସହରକୁ ଚାଲିଆସିଥିଲେ। ତାଙ୍କର ମୂଳ ନାମ ଥିଲା ଖାଲିଦା ଖାନମ ପୁତୁଲ। ଖାଲିଦା ଜିଆ ଦିନାଜପୁର ମିଶନାରୀ ସ୍କୁଲ ଏବଂ ଦିନାଜପୁର ବାଳିକା ବିଦ୍ୟାଳୟରେ ପାଠପଢ଼ିଥିଲେ। ସେ ପାକିସ୍ତାନୀ ସେନାର କ୍ୟାପ୍ଟେନ୍ ଜିଆଉର ରହମାନଙ୍କୁ ବିବାହ କରିଥିଲେ। ୧୯୬୫ରେ ବିବାହ ପରେ ଜିଆ ତାଙ୍କ ସ୍ୱାମୀଙ୍କ ସହିତ ପାକିସ୍ତାନ ଚାଲିଯାଇଥିଲେ। ତା'ପରେ ସେ ତାଙ୍କ ନାମ ବଦଳାଇ ଖାଲିଦା ଜିଆ ରଖିଥିଲେ।

ଖାଲିଦା ୩ ଥର ବାଂଲାଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ୧୯୯୧ ମସିହାରେ ସେ ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇଥିଲେ। ଦ୍ୱିତୀୟ ଥର ପାଇଁ ୧୯୯୬ ମସିହାରେ ହୋଇଥିଲେ। ସେହିପରି ତାଙ୍କର ତୃତୀୟ କାର୍ଯ୍ୟକାଳ ୨୦୦୧ ରୁ ୨୦୦୬ ପର୍ଯ୍ୟନ୍ତ ଚାଲିଥିଲା। ତାଙ୍କ ପାକିସ୍ତାନୀ ପୃଷ୍ଠଭୂମି ଯୋଗୁଁ ଖାଲିଦା ଜିଆ ସବୁବେଳେ ଭାରତ ସହିତ ବିବାଦର ସମ୍ମୁଖୀନ ହୋଇଛନ୍ତି। ତାଙ୍କର ରାଜନୀତି ଭାରତ ବିରୋଧୀ ରାଷ୍ଟ୍ରବାଦ ଉପରେ ଆଧାରିତ ଥିଲା।

୨୦୧୩ ମାର୍ଚ୍ଚରେ ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଢାକା ଗସ୍ତରେ ଥିଲେ। ସେତେବେଳେ ଦିଲ୍ଲୀରେ ଉପା ସରକାର କ୍ଷମତାରେ ଥିଲା। କିନ୍ତୁ ପ୍ରଣବ ମୁଖାର୍ଜୀଙ୍କୁ ଭେଟିବାକୁ ସିଧାସଳଖ ମନା କରିଦେଇଥିଲେ ଖାଲିଦା। କହିଥିଲେ- କଂଗ୍ରେସ ନେତୃତ୍ୱାଧୀନ ଦିଲ୍ଲୀ ସରକାର ବାଂଲାଦେଶର ହସିନା ସରକାରଙ୍କୁ ଅଧିକ ଗୁରୁତ୍ୱ ଦେଉଛି।

ବେଗମ୍ ଖାଲିଦା ସର୍ବଦା ଭାରତ ବିରୋଧୀ ଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଖାଲିଦା ଜିଆ ଭାରତ ଅପେକ୍ଷା ପାକିସ୍ତାନ ଏବଂ ଚୀନ୍ ସହିତ ସମ୍ପର୍କକୁ ପ୍ରାଥମିକତା ଦେଇଥିଲେ। ଏହା ବ୍ୟତୀତ ସେ ୧୯୭୨ ମସିହାର ଭାରତ-ବାଂଲାଦେଶ ବନ୍ଧୁତା ଚୁକ୍ତିକୁ "ଦାସତ୍ୱ ଚୁକ୍ତି" ବୋଲି କହିଥିଲେ। ସେ ୧୯୯୬ ମସିହାର ଗଙ୍ଗା ଜଳ ବଣ୍ଟନ ଚୁକ୍ତିକୁ "ଦାସତ୍ୱ ଚୁକ୍ତି" ବୋଲି ମଧ୍ୟ କହିଥିଲେ। ଚିଟାଗଙ୍ଗ ପାର୍ବତ୍ୟାଞ୍ଚଳ ଶାନ୍ତି ଚୁକ୍ତିନାମାକୁ ବିରୋଧ କରିଥିଲେ। ୨୦୦୬ ମସିହାରେ ଜିଆ ପ୍ରଧାନମନ୍ତ୍ରୀ ଥିବା ସମୟରେ ଭାରତ ଗସ୍ତ କରିଥିଲେ। ଏହି ସମୟରେ ସେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କୁ ଭେଟିଥିଲେ। ହେଲେ କୌଣସି ଚୁକ୍ତି ଉପରେ ଆଲୋଚନା ହୋଇନଥିଲା।

ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତରେ ଖାଲିଦାଙ୍କ କାର୍ଯ୍ୟକାଳ ସମୟରେ ଭାରତ ବିରୋଧୀ ଉପାଦାନଗୁଡ଼ିକୁ ପ୍ରୋତ୍ସାହନ ମିଳିଥିଲା। ISI ଢାକାରେ ଏକ ଦୃଢ଼ ଉପସ୍ଥିତି ସ୍ଥାପନ କରିଥିଲା। ଏହା ବ୍ୟତୀତ ଭାରତର ଉତ୍ତର-ପୂର୍ବ ଆତଙ୍କବାଦୀ ଗୋଷ୍ଠୀ ଯେପରିକି ULFA ଏବଂ NSCNକୁ ମଧ୍ୟ ବାଂଲାଦେଶରେ ଆଶ୍ରୟ ଦିଆଯାଇଥିଲା। ଖାଲିଦାଙ୍କ ପୁଅ ତଥା ବିଏନପି ନେତା ତାରିକ ରହମାନ ବାଂଲାଦେଶର ପ୍ରଧାନମନ୍ତ୍ରୀ ପଦ ପାଇଁ ଦଳ ତରଫରୁ ରେସରେ ଅଛନ୍ତି। ଫେବୃଆରୀରେ ସାଧାରଣ ନିର୍ବାଚନ ହେବାର କାର୍ଯ୍ୟକ୍ରମ ରହିଛି। ଏବେ ତାଙ୍କର ବିୟୋଗରେ ବାଂଲାଦେଶରେ ରାଜନୈକ ସମୀକରଣ ଓ ଭାରତ ପ୍ରତି ଆଭିମୁଖ୍ୟ କଣ ରହିବ ତାହା ଦେଖିବାକୁ ବାକି ରହିଲା।