କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ବଡ଼ ସଙ୍କଟ। ପୂର୍ବତନ ଶାସକ ଦଳ ତୃଣମୂଳ କଂଗ୍ରେସ (TMC)ରେ ବିଭାଜନ ପରେ ଏବେ ଦଳର ଅସଲି ମାଲିକାନାକୁ ନେଇ ଆରମ୍ଭ ହୋଇଯାଇଛି ଆଇନଗତ ଲଢ଼େଇ। ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ଏବଂ ବିଦ୍ରୋହୀ ଗୋଷ୍ଠୀ ମଧ୍ୟରେ ଚାଲିଥିବା ଏହି ବିବାଦ ଏବେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ପହଞ୍ଚି ଯାଇଛି।

ଅକ୍ଟୋବର ୬ ରେ ହେବାକୁ ଥିବା ଉପନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ ଟିଏମସିର ଅସଲି ନାଁ ଏବଂ ଦଳୀୟ ଚିହ୍ନ 'ଯୋଡ଼ା ଘାସ-ଫୁଲ' ବ୍ୟବହାର ଉପରେ ରୋକ୍ ଲଗାଇଛନ୍ତି। ଏହାସହ ଦୁଇ ଗୋଷ୍ଠୀଙ୍କୁ ଅସ୍ଥାୟୀ ନାମ ଓ ସିମ୍ବଲ୍ ଆବଣ୍ଟନ କରାଯାଇଛି। 'ମମତା ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ' (ନାଁ) ଏବଂ 'ଫୁଟବଲ୍ ଖେଳାଳି' (ସିମ୍ବଲ୍)। 'ଡେମୋକ୍ରାଟିକ୍ ତୃଣମୂଳ କଂଗ୍ରେସ' (ନାଁ) ଏବଂ 'ଲିଫାପା/ଏନଭେଲପ୍' (ସିମ୍ବଲ୍)। ତେବେ ପ୍ରଶ୍ନ ଉଠୁଛି, ଦଳର ଅସଲି ନାଁ ଓ ଚିହ୍ନ ଶେଷରେ କାହା ଭାଗରେ ପଡ଼ିବ?

କ’ଣ କହୁଛି ନିର୍ବାଚନ ଆୟୋଗଙ୍କ ନିୟମ ?

ଏହି ପୂରା ବିବାଦର ସମାଧାନ 'ନିର୍ବାଚନ ଚିହ୍ନ (ଆରକ୍ଷଣ ଓ ଆବଣ୍ଟନ) ଆଦେଶ ୧୯୬୮' ର ପାରାଗ୍ରାଫ୍ ୧୫ ଅନୁଯାୟୀ କରାଯିବ। କୌଣସି ସ୍ୱୀକୃତିପ୍ରାପ୍ତ ଦଳରେ ବିଭାଜନ ହେଲେ ଆୟୋଗ ମୁଖ୍ୟତଃ ଦୁଇଟି ସ୍ତରରେ ଯାଞ୍ଚ କରନ୍ତି।

ସାଂସଦ ଓ ବିଧାୟକଙ୍କ ସଂଖ୍ୟାବଳ

ଦଳର କେତେଜଣ ନିର୍ବାଚିତ ପ୍ରତିନିଧି କେଉଁ ଗୋଷ୍ଠୀ ସହ ଅଛନ୍ତି, ତାହା ଗୁରୁତ୍ୱପୂର୍ଣ୍ଣ। ବିଦ୍ରୋହୀ ଗୋଷ୍ଠୀର ଦାବି ଅନୁସାରେ, ପଶ୍ଚିମବଙ୍ଗର ୮୦ ଜଣ ବିଧାୟକଙ୍କ ମଧ୍ୟରୁ ପ୍ରାୟ ୬୦ ଜଣ ଏବଂ ୨୮ ଜଣ ଲୋକସଭା ସାଂସଦଙ୍କ ମଧ୍ୟରୁ ୨୦ ଜଣଙ୍କ ସମର୍ଥନ ତାଙ୍କ ପାଖରେ ରହିଛି।

ସାଂଗଠନିକ ସଂଖ୍ୟାଗରିଷ୍ଠତା

କେବଳ ବିଧାୟକ କିମ୍ବା ସାଂସଦ ସଂଖ୍ୟା ଯଥେଷ୍ଟ ନୁହେଁ। ଦଳର ଜାତୀୟ କାର୍ଯ୍ୟକାରିଣୀରେ ପଦାଧିକାରୀ ଏବଂ  ସଦସ୍ୟଙ୍କ ସମର୍ଥନ କାହା ପାଖରେ ଅଧିକ ରହିଛି, ତାହା ବି ଯାଞ୍ଚ କରାଯିବ। ଟିଏମସିର ମୂଳ ସମ୍ବିଧାନ, ଦଳୀୟ ନିର୍ବାଚନ ରେକର୍ଡ ଏବଂ ନିୟମାବଳୀର ସଂଶୋଧନକୁ ଆୟୋଗ ଗଭୀର ଭାବେ ଅନୁଧ୍ୟାନ କରାଯିବ।

ମମତା ଗୋଷ୍ଠୀର ନେତା ଡେରେକ୍ ଓ'ବ୍ରାଏନଙ୍କ ଦାବି ଅନୁସାରେ, ସମ୍ବିଧାନ ସଂଶୋଧନ କରାଯାଇ ୱାର୍କିଂ କମିଟିର କାର୍ଯ୍ୟକାଳ ୩ ବର୍ଷରୁ ୫ ବର୍ଷକୁ ବୃଦ୍ଧି କରାଯାଇଥିଲା। ଅନ୍ୟପଟେ, ବିଦ୍ରୋହୀ ଗୋଷ୍ଠୀ ଏହାକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ପୂର୍ବ କମିଟିର ମିଆଦ ଫେବୃଆରୀ ୨୦୨୫ରୁ ଶେଷ ହୋଇସାରିଛି।

ସୁପ୍ରିମକୋର୍ଟରେ ମମତା ଗୋଷ୍ଠୀ

ନିର୍ବାଚନ ଆୟୋଗ AITMC ନାଁ ଓ ଚିହ୍ନ ଦେବାକୁ ମନା କରିବା ପରେ ମମତା ବାନାର୍ଜୀଙ୍କ ଗୋଷ୍ଠୀ ସୁପ୍ରିମକୋର୍ଟରେ ଦୁଇଟି ଅଲଗା ଅଲଗା ଆବେଦନ କରିଛନ୍ତି। ଗୋଟିଏ ଆବେଦନ ଆୟୋଗଙ୍କ ନିଷ୍ପତ୍ତି ବିରୋଧରେ ହୋଇଥିବା ବେଳେ ଅନ୍ୟଟି ୧୦ ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାରେ ବିଧାନସଭା ବାଚସ୍ପତି ବିଳମ୍ବ କରୁଥିବା ଅଭିଯୋଗରେ କରାଯାଇଛି।

ଆଗକୁ କ’ଣ ହେବ ?

ନିର୍ବାଚନ ଆୟୋଗ ଦୁଇ ପକ୍ଷଙ୍କୁ ନିଜ ନିଜର ଦାବି ସପକ୍ଷରେ ସାଂସଦ/ବିଧାୟକଙ୍କ ସମର୍ଥନ ପତ୍ର, ଦଳୀୟ ପ୍ରତିନିଧିଙ୍କ ଆଫିଡେଭିଟ୍ ଏବଂ ତଥ୍ୟ ପ୍ରମାଣ ଦାଖଲ କରିବାକୁ ନିର୍ଦ୍ଦେଶ ଦେବେ। ଶୁଣାଣି ପରେ ଯେଉଁ ଗୋଷ୍ଠୀ ଉଭୟ ସାଂଗଠନିକ ଓ ଆଇନଗତ ସ୍ତରରେ ସ୍ପଷ୍ଟ ବହୁମତ ପ୍ରମାଣିତ କରିପାରିବ, ତାହାକୁହିଁ 'ଅସଲି ଟିଏମସି' ଭାବେ ମାନ୍ୟତା ସହ ଦଳୀୟ ଚିହ୍ନ ପ୍ରଦାନ କରାଯିବ।