ନୂଆଦିଲ୍ଲୀ, ୨୧|୦୭: ୟୁକ୍ରେନରୁ ଆସୁଥିବା ଏକ କାର୍ଗୋ ଜାହାଜରେ ଆକ୍ରମଣ ଘଟଣାରେ ୪ ଜଣ ଭାରତୀୟ ପ୍ରାଣ ହରାଇଛନ୍ତି । ଜାହାଜଟି ଓଡେସା ବନ୍ଦରରୁ ମକା ନେଇ ଆସୁଥିଲା । କିନ୍ତୁ ଏହା ଉପରେ ଆକ୍ରମଣ ହୋଇଛି । ତେବେ ମୃତ ୪ ଭାରତୀୟଙ୍କ ମଧ୍ୟରେ ଅଖିଲ ଜୋୟାନ ନାମକ ଜଣେ ୨୬ ବର୍ଷୀୟ ବ୍ୟକ୍ତି ଅଛନ୍ତି । କେରଳ କାସରଗୋଡ ଜିଲ୍ଲାର ଏହି ଯୁବକ ଆସନ୍ତା ଦୁଇ ମାସ ପରେ ବିବାହ କରିଥାନ୍ତେ । ହେଲେ ଏବେ ତାଙ୍କ ଜୀବନ ଚାଲିଯାଇଛି ।

ରିପୋର୍ଟ ଅନୁସାରେ, ଅଖିଲ ଦୀର୍ଘଦିନ ହେବ ମର୍ଚାଣ୍ଟ ନାଭି ଅଫିସର ଭାବେ ଜାହାଜରେ କାର୍ଯ୍ୟ କରୁଥିଲେ । ଖୁବ୍ ଶୀଘ୍ର ସେ ଚାକିରି ମଧ୍ୟ ଛାଡିଥାନ୍ତେ । ତାଙ୍କ ବାପା ମାଆଙ୍କର ସେ ଏକ ମାତ୍ର ପୁଅ ଥିଲେ । ବାପାଙ୍କର ଏକ ଇଲେକ୍ଟ୍ରିକ୍ ଦୋକାନ ରହିଛି । ବଡ କଷ୍ଟରେ ସେ ପୁଅକୁ ପାଠ ପଢାଇଥିଲେ । ପୁଅ ଅଖିଲଙ୍କ ଦରମାରେ ହିଁ ପରିବାର ଚଳୁଥିଲା । କିଛି ଦିନ ତଳେ ସେମାନେ ନୂଆ ଘର ତିଆରି କରିଥିଲେ ।

ସ୍ଥାନୀୟ ଓ୍ୱାର୍ଡ ମେମ୍ବର ସୋବି ଜୋସେଫ୍ କହିଛନ୍ତି ଯେ, ଅଖିଲଙ୍କୁ ଘର ଲୋକଙ୍କ ସହ ପଡୋଶୀମାନେ ଖୁବ୍ ପସନ୍ଦ କରୁଥିଲେ । ସେ ମିଷ୍ଟଭାଷୀ ଥିଲେ । ତାଙ୍କର ଆଚାର ବ୍ୟବହାର ମଧ୍ୟ ଭଲ ଥିଲା । ୧୯ ବର୍ଷରେ ସେ ମର୍ଚାଣ୍ଟ୍ ନାଭିରେ ସାମିଲ ହୋଇଥିଲେ । ତାଙ୍କ ବିବାହ ଆଉ ଦୁଇ ମାସ ପରେ ହୋଇଥାନ୍ତା । ବିବାହ ସ୍ଥିର ହୋଇଥିବା ଯୁବତୀ ଆଲାପୁଝା ଜିଲ୍ଲାର ବାସିନ୍ଦା ଅଟନ୍ତି । ବିବାହ ପାଇଁ ଆଉ ମାସେ ପରେ ଅଖିଲ ଘରକୁ ଆସିଥାନ୍ତେ । କିନ୍ତୁ ଏବେ ସେ ଆଉ କେବେ ଫେରିବେନି ।

ଆହୁରି ମଧ୍ୟ ସେ କହିଛନ୍ତି ଯେ, ଅଖିଲ ଚାକିରି ଛାଡିବାକୁ ନିଷ୍ପତ୍ତି ନେଇଥିଲେ । ବିବାହ ପରେ ସେ ଅନ୍ୟ ଚାକିରି କରିଥାନ୍ତେ । କିନ୍ତୁ ବଡ ଅଘଟଣ ଘଟିଗଲା । ପରିବାରକୁ ପୁଅର ମୃତ୍ୟୁ ଖବର ନେଇ ଏକ ଇମେଲ୍ ଆସିଥିଲା । ସୋମବାର ସେ ଯେଉଁ ସିପିଂ କମ୍ପାନୀରେ କାମ କରୁଥିଲେ ସେହି କ+ମ୍ପାନୀ ମେଲ୍ କରିଥିଲା । ଏବେବି ମୃତଦେହ ଆସିନି । ଏନେଇ ପ୍ରକ୍ରିୟା ଚାଲିଛି ।

ଅନ୍ୟ ଦିଗରେ କେରଳ ମୁଖ୍ୟମନ୍ତ୍ରୀ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସହ ଆଲୋଚନା କରୁଛନ୍ତି । କିପରି ଅଖିଲଙ୍କ ମୃତଦେହ ସଠିକ୍ ଭାବେ ଗାଁକୁ ଆସିପାରିବ ସେନେଇ ସମସ୍ତ ପ୍ରୟାସ କରାଯାଉଥିଲା ଜିଲ୍ଲା ପ୍ରଶାସନ କହିଛି ।