କେରଳ : ସମ୍ପର୍କର ମୂଲ୍ୟ ଟଙ୍କାଠାରୁ ବି ବଡ଼ । ଏହାକୁ ପ୍ରମାଣ କରି ଦେଖାଇଛନ୍ତି କେରଳର ଜଣେ ବ୍ୟକ୍ତି । କେରଳର ଜଣେ ବ୍ୟକ୍ତି ପ୍ରାୟ ୨୫ ବର୍ଷ ପୂର୍ବେ ଜଣେ ବନ୍ଧୁଙ୍କଠାରୁ ନେଇଥିବା ଋଣ ଶୁଝିବା ପାଇଁ ଶହ ଶହ କିଲୋମିଟର ଯାତ୍ରା କରି ବନ୍ଧୁଙ୍କ ଋଣ ସୁଝିଛନ୍ତି । ଯାହା ଏବେ ସୋସିଆଲ୍ ମିଡିଆରେ ଲୋକଙ୍କ ହୃଦୟ ଜିତିଛି । ଦୀର୍ଘ ୨୫ ବର୍ଷ ଧରି ନିଜ ମନରେ ସାଇତି ରଖିଥିବା ଏକ ପ୍ରତିଶ୍ରୁତିକୁ ସେ ଶେଷରେ ପୂରଣ କରିଛନ୍ତି। ସଚ୍ଚୋଟତା , କୃତଜ୍ଞତା ଓ ବନ୍ଧୁତ୍ୱର ଏହି ଅନନ୍ୟ କାହାଣୀ ଏବେ ସବୁଆଡ଼େ ପ୍ରଶଂସା ସାଉଁଟୁଛି। ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁସାରେ, କେରଳର ପଲକ୍କାଡ଼ ଜିଲ୍ଲାର ବାସିନ୍ଦା ମହମ୍ମଦ ଇସ୍ମାଇଲ୍ ଗୁଗୁଲ ମାଧ୍ୟମରେ ତେଲେଙ୍ଗାନାର ଧର୍ମପୁରୀ ସହରକୁ ଯାଇ ପ୍ରାୟ ୨୫ ବର୍ଷ ପୂର୍ବର ଜଣେ ପୁରୁଣା ବନ୍ଧୁଙ୍କୁ ସାକ୍ଷାତ କରି ତାଙ୍କ ଋଣ ସୁଝିଛନ୍ତି ।

ସୂଚନା ଅନୁସାରେ, ପ୍ରାୟ ୨୫ ବର୍ଷ ପୂର୍ବେ ୧୯୯୦ ମସିହାରେ କେରଳର ଇସ୍ମାଇଲ୍ ଓ ତେଲେଙ୍ଗାନାର ବାସିନ୍ଦା ଏଡ୍ଲା ଲଚନ୍ନା ସୌଦି ଆରବର ଏକ କମ୍ପାନୀରେ କାମ କରୁଥିଲେ। ବିଦେଶ ମାଟିରେ ପ୍ରବାସୀ ଶ୍ରମିକ ଭାବେ କାମ କରୁଥିବା ବେଳେ ଉଭୟଙ୍କ ମଧ୍ୟରେ ବନ୍ଧୁତ୍ୱ ଗଢ଼ିଉଠିଥିଲା। ସେହି ସମୟରେ ଇସ୍ମାଇଲ୍ ଆର୍ଥିକ ସମସ୍ୟାରେ ପଡ଼ିବାରୁ ଲଚନ୍ନାଙ୍କଠାରୁ ୨୫ ହଜାର ଟଙ୍କା ଧାର ନେଇଥିଲେ। ଭାରତ ଫେରିବା ପୂର୍ବରୁ ସେ ବନ୍ଧୁଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ, ପରିସ୍ଥିତି ସୁଧୁରିଲେ ସେ ଟଙ୍କା ଫେରାଇବେ। ହେଲେ ପରିସ୍ଥିତି ପରେ ଆହୁରି ଖରାପ ହେବାରୁ ସେ ଆଉ ବନ୍ଧୁଙ୍କୁ ଋଣ ଟଙ୍କା ଫେରାଇପାରିନଥିଲେ । ଆଉ ୨୫ବର୍ଷ ପରେ ଇସ୍ମାଇଲ୍ ଋଣ ଟଙ୍କା ଫେରାଇବାକୁ ଇଚ୍ଛା ପ୍ରକାଶ କଲେ ଆଉ ଗୁଗୁଲ ସାହାର୍ଯ୍ୟରେ ବନ୍ଧୁଙ୍କ ଠିକଣା ଖୋଜି କାଢ଼ିଲେ । ପୁରୁଣା ସୂଚନା ଓ ବନ୍ଧୁଙ୍କ ପୈତୃକ ସ୍ଥାନ ସମ୍ବନ୍ଧୀୟ ତଥ୍ୟ ଆଧାରରେ ସେ ତାଙ୍କୁ ଖୋଜିବାରେ ସଫଳ ହେଲେ। ବନ୍ଧୁଙ୍କ ସହ ଯୋଗାଯୋଗ ହେବା ପରେ ସେ ତାଙ୍କ ୨୫ ହଜାର ଟଙ୍କା ଫେରାଇ ଦେଇଥିଲେ।

ଏହି ଘଟଣା ସୋସିଆଲ୍ ମିଡିଆରେ ଭାଇରଲ ହେବା ପରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। ଆଜିର ସମୟରେ ଯେଉଁଠି ଛୋଟ ଛୋଟ କଥାରେ ସମ୍ପର୍କ ଭାଙ୍ଗିଯାଉଛି, ସେଠାରେ ୨୫ ବର୍ଷ ପରେ ବନ୍ଧୁଙ୍କ ଘର ଖୋଜି ଖୋଜି ଆସି ୨୫ ବର୍ଷ ତଳର ଋଣ ଶୁଝିବା କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି | ଏହି ଘଟଣା ମାନବିକତା, ସଚ୍ଚୋଟତା ଓ ପ୍ରକୃତ ବନ୍ଧୁତ୍ୱର ଏକ ପ୍ରେରଣାଦାୟକ ଉଦାହରଣ ସାଜିଛି |