କୋଠମଙ୍ଗଲମ ୨୬।୩: କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଗୁରୁବାର କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ରାହୁଲ ଜଣେ ଜାତୀୟ ସ୍ତରର ନେତା, ହେଲେ ସେ ଅନୁଭବରୁ କିଛି ଶିଖୁ ନାହାନ୍ତି। ବିଜୟନ ରାହୁଲ ଓ ତାଙ୍କ ପାର୍ଟିକୁ ବିଜେପିର ବି-ଟିମ୍ ବୋଲି କହିଛନ୍ତି। କେରଳ ମୁଖ୍ୟମନ୍ତ୍ରୀ ଏହି ମନ୍ତବ୍ୟ ଏପରି ସମୟରେ ଦେଇଛନ୍ତି ଯେତେବେଳେ ଦିନକ ପୂର୍ବରୁ ରାହୁଲ ଗାନ୍ଧି ଅଭିଯୋଗ କରିଥିଲେ ଯେ କେରଳ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିଭିନ୍ନ ଦୁର୍ନୀତି ମାମଲା ଯାଞ୍ଚରେ କେନ୍ଦ୍ରୀୟ ଏଜେନ୍ସୀଙ୍କ କଥିତ ନିଷ୍କ୍ରିୟତା ବାମ ଗଣତାନ୍ତ୍ରିକ ମୋର୍ଚ୍ଚା (ଏଲଡିଏଫ) ଓ ବିଜେପି ମଧ୍ୟରେ କିଛି ଭିତିରି ସମ୍ପର୍କର ପ୍ରମାଣ।

ବିଜୟନ କଂଗ୍ରେସ ନେତାଙ୍କ ଆରୋପକୁ ନେଇ କୋଠମଙ୍ଗଲମରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଏହା କହିଛନ୍ତି। ସେ କହିଛନ୍ତି ରାହୁଲ ଯଦିଓ ଜଣେ ଜାତୀୟ ସ୍ତରର ନେତା ହେଲେ ସତ୍ୟତା ହେଉଛି ତାଙ୍କଠାରେ ଆଞ୍ଚଳିକ ନେତାଙ୍କ ଭଳି ବୋଧ ନାହିଁ। ସେ କୌଣସି କଥାକୁ ସ୍ପଷ୍ଟ ଭାବେ ବୁଝିବାକୁ ଚାହାନ୍ତିନି। ସେ ଅନୁଭବରୁ କିଛି ଶିଖନ୍ତି ନାହିଁ। ଏହା କୌଣସି ରାଜନେତାଙ୍କୁ ଶୋଭାଦେବା ଭଳି କଥା ନୁହେଁ। କଂଗ୍ରେସର ଜଣେ ଗୁରୁତ୍ୱପୂର୍ଣ୍ଣ ନେତା ଏତେ ମନ୍ଦବୁଦ୍ଧି କିପରି ବୋଲି ସେ ପ୍ରଶ୍ନ କରିଛନ୍ତି। ଏଥିରୁ ଭାରତରେ ରାହୁଲ ଗାନ୍ଧିଓ ତାଙ୍କ ଦଳ ବିଜେପି ର ବି-ଟିମ୍ ଭଳି ଲାଗୁଛନ୍ତି।

ଏହା ପୂର୍ବରୁ ରାହୁଲ ଗାନ୍ଧି ବୁଧବାର ମିଳିତ ଗଣତାନ୍ତ୍ରିକ ମୋର୍ଚ୍ଚା (ୟୁଡିଏଫ)ର ଏକ ନିର୍ବାଚନୀ କାର୍ଯ୍ୟକ୍ରମରେ କହିଥିଲେ ଯେ ସାରା ଦେଶରେ ବିରୋଧୀ ରାଜନୈତିକ ଦଳଙ୍କ ନେତା ବିଜେପି ବିରୋଧରେ ଲଢିବା କାରଣରୁ ସେମାନଙ୍କୁ ଟାର୍ଗେଟ କରାଯାଇଛି, ସେମାନଙ୍କ ବିରୋଧରେ ମକଦ୍ଦମା ରୁଜୁ ହୋଇଛି ହେଲେ କେରଳ ମୁଖ୍ୟମନ୍ତ୍ରୀ ବିଜୟନଙ୍କ ବିରୋଧରେ ଥିବା ଦୁର୍ନୀତି ମାମଲା ସବୁ ଆଗକୁ ବଢି ନାହିଁ। ଏହା ଏଲଡିଏଫ ଓ ବିଜେପି ମଧ୍ୟରେ ଭିତିରି ବୁଝାମଣା ହୋଇପାରେ ବୋଲି କହିଥିଲେ। ଏହାର ଜବାବରେ ବିଜୟନ ଗୁରୁବାର ଦେଇଛନ୍ତି।

ସେ କହିଛନ୍ତି ଯେ ଦିଲ୍ଲୀରେ ଅବକାରୀ ଦୁର୍ନୀତି ମାମଲାରେ ଆମ ଆଦମୀ ପାର୍ଟି (ଆପ) ନେତା ଅରବିନ୍ଦ କେଜରିୱାଲଙ୍କ ଗିରଫ ଦାବି ରାହୁଲ ଗାନ୍ଧି ଓ କଂଗ୍ରେସ କରିଥିଲା। ହେଲେ ପରେ କେଜରିୱାଲ ନିର୍ଦ୍ଦୋଷରେ ମାମଲାରେ ମୁକୁଳି ଯାଇଛନ୍ତି। ଏହା ଉଭୟ ବିଜେପି ଓ କଂଗ୍ରେସ ମୁହଁରେ ଏବେ ଚାପୁଡା ସଦୃଶ ହୋଇଛି। ସେ କହିଛନ୍ତି ଯେ ଦିଲ୍ଲୀରେ ବିଜେପିକୁ ହରାଇବା ପାଇଁ ରାହୁଲ ଆପ ସହ ହାତ ମିଳାଇବା ବଦଳେ ପାର୍ଟିର ବିରୋଧ କରିଥିଲେ। ଫଳ ହେଲା ଦିଲ୍ଲୀରେ ନା ଆପ ରହିଲା ନା କଂଗ୍ରେସ ହାତକୁ ଗଲା ଲାଭ ବିଜେପିକୁ ହେଲା।

ସେହିପରି ହରିୟାଣା ଓ ବିହାରରେ ବିଜେପି ବିରୋଧରେ ମେଣ୍ଟକୁ ଆଗକୁ ବଢାଇବାରେ କଂଗ୍ରେସର ବିଫଳତା ଯୋଗୁ ସେହିସବୁ ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପି ବିଜୟୀ ହୋଇଛି। ବିଜୟନ କହିଛନ୍ତି ଯେ ଏଥିରୁ ଜଣାପଡୁଛି ଯେ ବିଜେପିକୁ ଜିତାଇବାରେ କଂଗ୍ରେସ ସହଯୋଗ କରୁଛି ଓ ସହଯୋଗୀ ରୂପେ କାମ କରୁଛି। ବିଜୟନ କହିଛନ୍ତି ଯେ କେରଳରେ ଏଲଡିଏଫକୁ ହରାଇବା ପାଇଁ ଦୀର୍ଘ ଦଶନ୍ଧୀ ହେଲା କଂଗ୍ରେସ ବିଜେପିକୁ ସହଯୋଗ କରିଆସୁଛି। ଏଣୁ କଂଗ୍ରେସ ଓ ବିଜେପିର ମାନସିକତା ଏକା ଭଳି ବୋଲି ବିଜୟନ କହିଛନ୍ତି।