Pinarayi Vijayan Winsକେରଳରେ ସିପିଆଇଏମ ପରାଜୟ ହୋଇଥିବା ବେଳେ ଏହାର ନେତା ପିନରାୟୀ ବିଜୟନ କିନ୍ତୁ ବିଜୟୀ ହୋଇଛନ୍ତି। ବିଜୟନ ଧର୍ମଦମ ବିଧାନସଭା ଆସନରୁ ଲଢ଼ୁଥିବା ବେଳେ ମୋଟ ୮୫,୬୧୪ ଭୋଟ ପାଇଛନ୍ତି। ବିଜୟନ ଏହି ନିର୍ବାଚନମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ଅବଦୁଲ ରସିଦ ଏବଂ ବିଜେପିର କେ. ରଞ୍ଜିଥଙ୍କ ବିରୁଦ୍ଧରେ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ଦୁଇ ଜଣଙ୍କୁ ପରାସ୍ତ କରି ସେ ବିଜୟୀ ହୋଇଛନ୍ତି।

ତେବେ ଏଥର କେରଳରୁ ବାମପନ୍ଥୀ ସରକାର ପତନ ହୋଇଛି। ୧୪୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (UDF) ବହୁମତ ସଂଖ୍ୟା ଅତିକ୍ରମ କରିଛି। ଏଠାରେ ୟୁଡିଏଫ୍ ୯୯ ଆସନ ଜିତିଥିବା ବେଳେ ଏଲ୍ଡିଏଫ୍ ୩୫, ବିଜେପି ୩ ଓ ଅନ୍ୟ ଦଳଗୁଡ଼ିକ ୩ଟି ଆସନ ହାତେଇଛନ୍ତି।

Also Read- Vijay's driver's son Wins: ଟିଭିକେ ଆସନରୁ ଜିତିଲେ ବିଜୟଙ୍କ ଡ୍ରାଇଭରଙ୍କ ପୁଅ, ଖୁସୀରେ କାନ୍ଦି ପକାଇଲେ

କେରଳରେ ପିନରାୟୀ ବିଜୟନଙ୍କ ସରକାର ପତନ ପରେ ସାରା ଦେଶରୁ ବାମପନ୍ଥୀ ଶାସନ ଶେଷ ହୋଇଯାଇଛି। ପଶ୍ଚିମବଙ୍ଗ ପରେ କେରଳରେ ଗତ ୧୦ ବର୍ଷ ହେଲା ପିନରାୟୀ ବିଜୟନଙ୍କ ନେତୃତ୍ୱରେ ବାମପନ୍ଥୀର ସରକାର ଥିଲା। ହେଲେ ୨୦୨୬ ଜନାଦେଶ ବାମପନ୍ଥୀଙ୍କ ୧୦ ବର୍ଷର କାର୍ଯ୍ୟକାଳ ପ୍ରତି ବିମୁଖ ହୋଇ ନୂଆ ସରକାର ଆଣିଛି।

ପିନରାୟୀ ବିଜୟନଙ୍କ ଦ୍ୱିତୀୟ ପାଳିରେ ମିଳିଥିଲା ବିପୁଳ ଜନସମର୍ଥନ

୨୦୨୧ ବିଧାନସଭା ନିର୍ବାଚନରେ, ବିଜୟନ ୯୫,୫୨୨ ଭୋଟ (୫୯.୮ ପ୍ରତିଶତ) ପାଇଥିଲେ। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ୟୁଡିଏଫ୍ ପ୍ରାର୍ଥୀ ସି. ରଘୁନାଥନଙ୍କୁ ମିଳିଥିଲା ମାତ୍ର ୨୮.୪ ପ୍ରତିଶତ ଭୋଟ।

୨୦୨୧ ମସିହାରେ ଏଲଡିଏଫ୍ ୧୪୦ ଟି ଆସନରୁ ୯୯ ଟି ଜିତିଥିଲା। ଏଥିରେ କେରଳରେ ପ୍ରତି ପାଞ୍ଚ ବର୍ଷରେ ଥରେ ସରକାର ବଦଳୁଥିବାର ଧାରା ଭାଙ୍ଗି ଯାଇଥିଲା। ସିପିଆଇ(ଏମ୍) ଏକା ୬୨ ଟି ଆସନ ପାଇଥିଲା। ଫଳରେ ବିଜୟନ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବ ଶପଥ ନେଇଥିଲେ।

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିଜୟନ

କେରଳ ରାଜନୀତି ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟର ଅନ୍ତ ଘଟିଛି। ବାମପନ୍ଥୀର ଲାଲ ଗଡ଼ର ପତ୍ତନ ପରେ କେରଳ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ପିନରାୟୀ ବିଜୟନ। ସେ ତାଙ୍କ ଇସ୍ତଫାପତ୍ରକୁ ରାଜ୍ୟପାଳ ରାଜେନ୍ଦ୍ର. ବି ଆର୍ଲେକରଙ୍କୁ ପଠାଇ ଦେଇଛନ୍ତି। କେରଳ ବିଧାନସଭା ନିର୍ବାଚନ ୨୦୨୬ରେ ସିପିଆଇ-ଏମ୍ ନେତୃତ୍ୱାଧୀନ ବାମ ଗଣତାନ୍ତ୍ରିକ ମୋର୍ଚ୍ଚା (ଏଲଡିଏଫ୍) ପରାଜୟପରେ ବିଜୟନଙ୍କ ଇସ୍ତଫା ଆସିଛି। ତେବେ ନୂଆ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପର୍ଯ୍ୟନ୍ତ ବିଜୟନଙ୍କୁ ଦାୟିତ୍ୱ ସମ୍ଭାଳି ରଖିବା ପାଇଁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି।