ନୂଆଦିଲ୍ଲୀ: ସାଧାରଣତଃ ୧ ୩ ବର୍ଷ ବୟସରେ ପିଲାମାନେ ବିଦ୍ୟାଳୟରେ ପଢ଼ୁଥିବା ବେଳେ, ନ୍ୟୁୟର୍କର ଲଙ୍ଗ ଆଇଲ୍ୟାଣ୍ଡର ରହୁଥିବା ଜୋ ପେଟ୍ରାରୋ-ହାଇପୋଲାଇଟ୍ ଏକ ଅସାଧାରଣ ଶିକ୍ଷାଗତ କୀର୍ତ୍ତିମାନ ସ୍ଥାପନ କରିବାକୁ ଯାଉଛନ୍ତି। 'CBS News' ର ରିପୋର୍ଟ ଅନୁସାରେ, ସେ ଆସନ୍ତା ବର୍ଷ ନ୍ୟୁୟର୍କ ୟୁନିଭରସିଟିରୁ ନିଜର ମାଷ୍ଟର୍ସ ଆରମ୍ଭ କରିବେ। ଜୋ ପୂର୍ବରୁ ହିଁ ହାଇସ୍କୁଲ ଡିପ୍ଲୋମା ହାସଲ କରିବା ସହ ମାତ୍ର ୧୦ ବର୍ଷ ବୟସରେ SAT ପରୀକ୍ଷାରେ ୧,୫୯୦ ସ୍କୋର କରିସାରିଛନ୍ତି।

ସେ ମାତ୍ର ୧୦ ବର୍ଷ ବୟସରେ SAT ପରୀକ୍ଷାରେ ୧,୫୯୦ ସ୍କୋର କରିଥିଲେ ଏବଂ ୧୧ ବର୍ଷ ବୟସରେ ହାଇସ୍କୁଲ ଡିପ୍ଲୋମା ହାସଲ କରିଥିଲେ। ଏହାପରେ ସେ ଲୁଇସିଆନା ଷ୍ଟେଟ୍ ୟୁନିଭରସିଟିରୁ ଗ୍ରାଜୁଏସନ୍‌ ପଢ଼ିବା ଆରମ୍ଭ କରିଥିଲେ। ଆସନ୍ତା ବର୍ଷ ମେ’ ମାସରେ ଗ୍ରାଜୁଏସନ୍‌ ଶେଷ କରିବା ପରେ, ସେ NYU ରୁ ସ୍ପୋର୍ଟସ୍ ମ୍ୟାନେଜମେଣ୍ଟ, କାଇନେସିଓଲୋଜି  ଏବଂ ବାୟୋଲୋଜିରେ ମାଷ୍ଟର୍ସ କରିବେ।

ଜୋଙ୍କର ଆଇକ୍ୟୁ (IQ) ୧୬୮ ରହିଛି, ଯାହା ଜଣେ ଅସାଧାରଣ ବୁଦ୍ଧିମାନ ବା ଜିନିୟସଙ୍କର ଥାଏ। ଲୋକମାନେ ତାଙ୍କ ସଫଳତା ଶୁଣିବା ପରେ ତାଙ୍କୁ ଫିଲ୍ମ ଓ ଟିଭି ଶୋ'ର ଚରିତ୍ର 'ୟଙ୍ଗ୍ ସେଲଡନ୍' କିମ୍ବା 'ଡୁଗି ହାଉସର୍' ସହ ତୁଳନା କରୁଛନ୍ତି। ଆମେରିକାରେ ସାଧାରଣତଃ ଜଣେ ବ୍ୟକ୍ତି ମାଷ୍ଟର୍ସ ଆରମ୍ଭ କରିବା ବେଳକୁ ହାରାହାରି ବୟସ ୩୩ ବର୍ଷ ହୋଇଥାଏ। ମାତ୍ର ଜୋ ଏହାର ଅଧାରୁ କମ୍ ବୟସରେ ଏହି ସଫଳତା ପାଇବାକୁ ଯାଉଛନ୍ତି। ଗାଡ଼ି ଚଳାଇବାର ଆଇନଗତ ବୟସ ହେବା ପୂର୍ବରୁ ହିଁ ସେ ନିଜର ମାଷ୍ଟର୍ସ ଡିଗ୍ରୀ ସମ୍ପୂର୍ଣ୍ଣ କରିସାରିଥିବେ।

ଜୋଙ୍କ ଶିକ୍ଷାଗତ ଯାତ୍ରା ସହଜ ନଥିଲା। ତାଙ୍କୁ 'ଟୁରେଟ୍ ସିଣ୍ଡ୍ରୋମ'  ନାମକ ଏକ ସମସ୍ୟା ଥିଲା ଏବଂ ଥରେ ତାଙ୍କୁ ସ୍ପେଶାଲ ଏଜୁକେସନ୍ କ୍ଲାସରେ ରଖାଯାଇଥିଲା। ତାଙ୍କ ମା' ଆନ୍ ପେଟ୍ରାରୋ-ହାଇପୋଲାଇଟ୍ କହିଛନ୍ତି, ‘ତାଙ୍କର ପ୍ରତ୍ୟେକଟି ସଫଳତା ଏକ ସ୍ୱପ୍ନ ପରି ଲାଗେ। ସେ ନୂଆ ଜିନିଷ ଶିଖିବାକୁ ବହୁତ ଭଲପାଏ, ସେ ଗୋଟିଏ ସ୍ପଞ୍ଜ୍‌  ଭଳି ସବୁଜିନିଷ ଶୋଷିନିଅନ୍ତି।"

ଏତେ ବଡ଼ ବିଶ୍ୱବିଦ୍ୟାଳୟରେ ମାଷ୍ଟର୍ସ ଆରମ୍ଭ କରିବାକୁ ନେଇ ସେ ସାମାନ୍ୟ ଭୟଭୀତ ଥିଲେ ମଧ୍ୟ ନୂଆ ସୁଯୋଗ ପାଇଁ ବେଶ୍ ଉତ୍ସାହିତ ଅଛନ୍ତି। ସ୍ପୋର୍ଟସ୍ ମ୍ୟାନେଜମେଣ୍ଟ ଓ ବାୟୋଲୋଜି ପଢ଼ିବା ପରେ ଭବିଷ୍ୟତରେ 'ପାଲିଓଣ୍ଟୋଲୋଜି'  ( ଜୀବାଶ୍ମ ବିଜ୍ଞାନ) କ୍ଷେତ୍ରରେ ନିଜର କ୍ୟାରିୟର୍ ଗଢ଼ିବାକୁ ଜୋ ଲକ୍ଷ୍ୟ ରଖିଛନ୍ତି।