କେନ୍ଦୁଝର: ଭଉଣୀର ହତ୍ୟା ମାମଲାରେ ଭାଇକୁ ଆଜୀବନ କାରାଦଣ୍ଡା ସହ ଦଶ ହଜାର ଟଙ୍କା ଜରିମାନା । ଜରିମାନା ଅନାଦେୟ କ୍ଷେତ୍ରରେ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି କେନ୍ଦୁଝର ଜିଲ୍ଲା ଜଜ୍ । ୨୦୨୩ ମସିହାରେ ପଣ୍ଡାପଡ଼ା ଥାନା ସୁମଗିରି ଗାଁରେ ଘଟିଥିଲା ଏହି ହତ୍ୟାକାଣ୍ଡ । ମୃତକ ମାଳତି ବାରିକ ଏବଂ ଅଭିଯୁକ୍ତ ତାଙ୍କ ଭାଇ ପ୍ରସନ୍ନ ବାରିକ ଗୋଟିଏ ଘରେ ରହୁଥିଲେ । ପ୍ରସନ୍ନ ପୂର୍ବରୁ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ । ଅସୁସ୍ଥତା କାରଣରୁ କିଛିଦିନ ହେବ ସେ ଘରେ ରହି ଚିକିତ୍ସିତ ହେଉଥିଲେ । ଚିକିତ୍ସା ଖର୍ଚ୍ଚ ପାଇଁ ଟଙ୍କା ଆବଶ୍ୟକ ପଡୁଥିବା ବେଳେ ତାଙ୍କ ଭଉଣୀ ମାଳତି କଛି ସଂଚିତ ଅର୍ଥ ପୋଷ୍ଟ ଅଫିସରେ ଜମା ରଖିଥିଲେ । ତେବେ ଆବଶ୍ୟକ ସମୟରେ ଟଙ୍କା ତୁରନ୍ତ ଉଠାଇ ନପାରିବାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।

ଏହି ବଚସା ପରେ ପ୍ରସନ୍ନ ତାଙ୍କ ଭାଉଣୀ ମାଳତିଙ୍କୁ ଗୁଳି କରିଥିବା ଅଭିଯୋଗ ହୋଇଥିଲା । ଗୁରୁତର ଅବସ୍ଥାରେ ମାଳତିଙ୍କୁ ପୋଲିସ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କରିଥିଲା ଏବଂ ମୃତ୍ୟୁ କାଳୀନ ଜମାନବନ୍ଦୀ ନେଇଥିଲା । ପରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ୧୪ ଜଣ ସାକ୍ଷୀଙ୍କ ବୟାନ ଏବଂ ମୃତ୍ୟୁ କାଳୀନ ଜମାନବନ୍ଦୀ ପ୍ରମାଣକୁ ଆଧାର କରି ଜିଲ୍ଲା ଦୌରାଜଜ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଏବଂ ଅନାଦେୟ ହେଲେ ଆଉ ୬ ମାସ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି ।