କେନ୍ଦ୍ରାପଡ଼ା/ଇନ୍ଧୁପୁର: ସିସିଟିଭି ଯେଉଁ ସ୍ଥାନରେ ଲାଗିଛି ସେହି ବାଟ ଦେଇ ନଯାଇ ସିସିଟିଭି ସୁରକ୍ଷା ବଳୟ ବାହାରେ ଥିବା ଅଞ୍ଚଳରେ ରାତି ଅଧରେ ଗାଡ଼ି ପଶୁଛି । ଦିନେ ଅଧେ ନୁହେଁ, ନିତିଦିନ ଏମିତି ବିଭିନ୍ନ ଗାଡ଼ି ପଶୁଛି । ସେବାଶ୍ରମ ସ୍କୁଲର କିଛି କର୍ମଚାରୀ ସ୍କୁଲ ପଛପାଖ ଗେଟ୍ ଖୋଲୁଛନ୍ତି ଓ ସଂପୃକ୍ତ ବ୍ୟକ୍ତିବିଶେଷଙ୍କୁ ଭିତରକୁ ପଶିବାକୁ ଦିଆଯାଉଛି । କେନ୍ଦ୍ରାପଡ଼ା ଜିଲ୍ଲା ସଦର ବ୍ଲକ୍ ଅଧୀନ ଧୂମାତ ସେବାଶ୍ରମ ସ୍କୁଲରେ ଛାତ୍ରୀନିବାସରେ ରାତି ଅଧରେ କେତେକ ସନ୍ଦିଗ୍ଧ ବାଇକ୍, ଅଟୋରିକ୍ସା ପଶୁଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି । ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀଙ୍କ ପାଖରେ ଏ ସଂକ୍ରାନ୍ତରେ ଅଭିଯୋଗ ପହଞ୍ଚିଛି । ସେବାଶ୍ରମ ସ୍କୁଲ ଛାତ୍ରୀ ନିବାସରେ ରାତିଅଧିଆ ଅନ୍ଧକାର ପ୍ରବେଶକୁ ନେଇ ଏକାଧିକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି । ଭିଡିଓ ସମେତ ସ୍କୁଲରେ ଅନ୍ୟ ଅବ୍ୟବସ୍ଥା ବାବଦରେ ମନ୍ତ୍ରୀଙ୍କୁ ଅଭିଯୋଗ କରାଯାଇଛି ।

ଅଭିଯୋଗରୁ ପ୍ରକାଶ, ସେବାଶ୍ରମ ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୧୫୦ ଜଣ ଅନୁସୂଚିତ ଜାତି, ଜନଜାତି ବର୍ଗର ଛାତ୍ରୀ ପାଠ ପଢ଼ିବା ସହ ହଷ୍ଟେଲରେ ରହୁଛନ୍ତି । ତେବେ ସିସିଟିଭି ନଥିବା ସ୍ଥାନରେ ରାତିରେ ପଛଦ୍ବାର ଦେଇ ଅନଧିକୃତ ପ୍ରବେଶ ହେଉଛି । ସ୍ଥାନୀୟ ବାସିନ୍ଦା ବହୁବାର ବିଦ୍ୟାଳୟ ପଛଦ୍ୱାର ଦେଇ ସନ୍ଦିଗ୍ଧ କାର୍ଯ୍ୟକଳାପ ଲକ୍ଷ୍ୟ କରିଛନ୍ତି । ଗାଁର ସୋସିଆଲ ମିଡିଆ ଗ୍ରୁପରେ ଏ ସଂକ୍ରାନ୍ତରେ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ଏକ ଗାଡ଼ି ପଛ ଦ୍ୱାର ଦେଇ ବିଦ୍ୟାଳୟ ପରିସରରେ ପ୍ରବେଶ କରୁଥିବା ଓ କିଛି ଲୋକ ଦ୍ୱାର ଖୋଲୁଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, ରାତିରେ ଅଟୋରିକ୍ସା ସମେତ ଅନ୍ୟ ଗାଡ଼ିଗୁଡ଼ିକ ସ୍କୁଲ ପରିସରରେ ପ୍ରବେଶ କରୁଛି ଏବଂ କିଛି ଖାଦ୍ୟ/ଜିନିଷପତ୍ର ବାହାରକୁ ନିଆଯାଉଛି । ପ୍ରଶ୍ନ ଉଠୁଛି ସେବାଶ୍ରମ ସ୍କୁଲରେ ଅନଧିକୃତ ପ୍ରବେଶକୁ କିଏ ଅନୁମତି ଦେଉଛି ? ରାତିରେ ଗାଡ଼ିଗୁଡ଼ିକୁ ପଛ ଦ୍ୱାର ଦେଇ ପ୍ରବେଶ କରିବାକୁ କାହିଁକି ଅନୁମତି ଦିଆଯାଉଛି ? ପ୍ରବେଶ/ପ୍ରସ୍ଥାନ ରେଜିଷ୍ଟର ରଖାଯାଉଛି କି ? ସିସିଟିଭି କ୍ୟାମେରାଗୁଡ଼ିକ ଠିକ୍ ଭାବରେ କାର୍ଯ୍ୟ କରୁଛି କି ଏବଂ ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ପଏଣ୍ଟକୁ ଆବୃତ୍ତ କରୁଛି କି ? ଅନୁସୂଚିତ ଜନଜାତି ଛାତ୍ରୀମାନଙ୍କ ସୁରକ୍ଷା ନେଇ ଗୁରୁତର ଉଦବେଗ ସୃଷ୍ଟି ହୋଇଛି । ତେଣୁ ରାତିଅଧରେ ସେବାଶ୍ରମ ସ୍କୁଲରେ ପ୍ରବେଶ କରିଥିବା ସମସ୍ତ ବ୍ୟକ୍ତିଙ୍କ ପରିଚୟ, ସେମାନଙ୍କ ଗସ୍ତର ଉଦ୍ଦେଶ୍ୟ ଓ ଅନୁମତି ପରୀକ୍ଷା, ରାତିରେ ପ୍ରବେଶ କରୁଥିବା ବା ବାହାରକୁ ଯାଉଥିବା ଅଟୋରିକ୍ସା ଏବଂ ଅନ୍ୟ ଗାଡ଼ିଗୁଡ଼ିକ ସମେତ ସମସ୍ତ ଗାଡ଼ିଗୁଡ଼ିକର ଯାଞ୍ଚ ହେଉ ବୋଲି ଦାବି ଉଠିଛି ।

ସିସିଟିଭି ଫୁଟେଜ୍ ଏବଂ ଅନ୍ୟ ପ୍ରମାଣ ସଂରକ୍ଷଣ, ବିଶେଷକରି ପଛ ଦ୍ୱାର, ରୋଷେଇ ଘର, ଗୋଦାମ ଅଞ୍ଚଳ, କରିଡର ଏବଂ ପ୍ରବେଶ/ପ୍ରସ୍ଥାନ କେନ୍ଦ୍ରଗୁଡ଼ିକର ସମ୍ପୂର୍ଣ୍ଣ ସିସିଟିଭି ଫୁଟେଜ୍ ତୁରନ୍ତ ସଂଗ୍ରହ ଏବଂ ସଂରକ୍ଷଣ, ପ୍ରମାଣର ଡିଲିଟ୍, ପରିବର୍ତ୍ତନ ବା ନଷ୍ଟ ହେବାର କୌଣସି ଆଶଙ୍କା ନରହିବା ପାଇଁ ସମ୍ପୃକ୍ତ ସମସ୍ତ ପାଇଁ ଫୁଟେଜ୍ଗୁଡ଼ିକ ନିରପେକ୍ଷ ଭାବରେ ପରୀକ୍ଷା, ଏ ସଂକ୍ରାନ୍ତରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଭାଇରାଲ ହୋଇଥିବା ଭିଡିଓର ସତ୍ୟତା ଯାଞ୍ଚ କରିବାକୁ ଦାବି ହେଉଛି । ସମସ୍ତ ଛାତ୍ରୀମାନଙ୍କ ପାଇଁ ଆବଶ୍ୟକ ଶିକ୍ଷକ, ଉପଯୁକ୍ତ ସୁରକ୍ଷା ଏବଂ ନିରାପଦ ବାସସ୍ଥାନ ଯୋଗାଇ ଦିଆଯାଉ ବୋଲି ସ୍ଥାନୀୟ ବାସିନ୍ଦା ଦେବଦତ୍ତ ଜେନା ଓ ଅନ୍ୟମାନେ ଦର୍ଶାଇଛନ୍ତି । ଜିଲ୍ଲା ମଙ୍ଗଳ ଅଧିକାରୀ(ଡବ୍ଲୁଓ) ଅରବିନ୍ଦ ରାୟଙ୍କୁ ଏ ସମ୍ପର୍କରେ ପଚାରିବାରେ ସେ କହିଛନ୍ତି ଅଭିଯୋଗ ଆଧାରରେ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ।