ନୂଆଦିଲ୍ଲୀ, ୨୧|୦୭: ଜାତୀୟ ରାଜପଥରେ ଯାଉଥିଲା ଟ୍ରକ୍ । ହଠାତ ହେଲା ଶବ୍ଦ । କେହି କିଛି ଭାବିବା ଆଗରୁ ବାହାରିଲା କଳା ଧୂଆଁ। ଏହାର ପ୍ରକୋପ ଏତେ ଅଧିକ ଥିଲା ଯେ ଆକାଶକୁ ଛୁଇଁବାର ଭ୍ରମ ସୃଷ୍ଟି କଲା । ଏପରି କିଛି ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର କୋସାମ୍ବୀ ଜିଲ୍ଲାରେ ।

ରିପୋର୍ଟ ଅନୁସାରେ, କୋସାମ୍ବୀ ଜିଲ୍ଲା ଦେଇ ଯାଇଛି ୧୯ ନମ୍ବର ଜାତୀୟ ରାଜପଥ । ଏହି ରାସ୍ତା ଦେଇ ଯାଉଥିବା ଏକ ଡିଜେଲ୍ ଟ୍ୟାଙ୍କରରେ ହଠାତ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ,ସ୍ଥାନୀୟ ଅଞ୍ଚଳରେ ଭୟର ମାହୋଲ ସୃଷ୍ଟି ହୋଇଥିଲା । ସବୁଠାରୁ ବଡ କଥା ହେଉଛି ଯେ, ନିଆଁ ଲାଗିବା ପୂର୍ବରୁ ଟ୍ୟାଙ୍କରର ଏକ ଟାୟାର ଫାଟି ଯାଇଥିଲା । ଯାହା ପରେ ଏଥିରେ ନିଆଁ ଲାଗିଯାଇଥିଲା ।

ଟ୍ୟାଙ୍କରରୁ ଧୁଆଁ ବାହାରୁଥିବା ନେଇ ଡ୍ରାଇଭରଙ୍କ ନଜର ପଡିଥିଲା । ସେ ତୁରନ୍ତ ରାସ୍ତା କଡ଼ରେ ଏହାକୁ ଅଟକାଇ ବାହାରକୁ ଚାଲି ଆସିଥିଲେ । ଆଖପାଖରେ ଯାଉଥିବା ଲୋକଙ୍କୁ ମଧ୍ୟ ଦୂରେଇ ରହିବାକୁ କୁହାଯାଇଥିଲା । କାରଣ ଡିଜେଲ୍ ଟ୍ୟାଙ୍କରରେ ନିଆଁ ଲାଗିଥିବାକୁ ବଡ଼ ବିସ୍ଫୋରଣର ଆଶଙ୍କା ରହିଥିଲା ।

ଘଟଣା ବାବଦରେ ସୂଚନା ମିଳିବା ପରେ ପୋଲିସ ଏବଂ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚିଥିଲେ । ଏହାପରେ ନିଆଁକୁ ଆୟତ୍ତ କରିବାରେ ଲାଗି ପଡିଥିଲେ । ସୁରକ୍ଷା ଦୃଷ୍ଟିରୁ ପୋଲିସ ଜାତୀୟ ରାଜପଥର ଦୁଇ ପାଖରେ ଗାଡିମଟରକୁ ଅଟକ ରଖିଥିଲା । ତେବେ ନିଆଁ ଲିଭା ପରେ ହିଁ ଗାଡି଼ ଚଳାଚଳ ସ୍ୱାଭାବିକ ହୋଇଥିଲା ।