ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନପରିଷଦ ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ବିଜେପି କେନ୍ଦ୍ରୀୟ ନେତୃତ୍ୱ ଏବେ କଡା ଆଭିମୁଖ୍ୟ ପୋଷଣ କରିଛନ୍ତି। ପାର୍ଟିର ଜାତୀୟ ସଭାପତି ନୀତିନ ନବୀନ ଏହି ପ୍ରସଙ୍ଗକୁ ଗୁରୁତର ସହ ଗ୍ରହଣ କରିଛନ୍ତି ଓ କର୍ଣ୍ଣାଟକ ପ୍ରଦେଶ ବିଜେପି ସଭାପତି ବି.ୱାଇ ବିଜୟେନ୍ଦ୍ରଙ୍କ ସମେତ ବରିଷ୍ଠ ନେତାମାନଙ୍କୁ ଦିଲ୍ଲୀ ତଲବ କରିଛନ୍ତି। ନବୀନ କ୍ରସ ଭୋଟିଂ ଉପରେ କଡା ଆପତ୍ତି କରିବା ସହିତ ପ୍ରଦେଶ ନେତୃତ୍ୱରେ ରାଜ୍ୟ ସଭାପତି ବିଜୟେନ୍ଦ୍ର, ବିରୋଧୀ ଦଳ ନେତା ଆର.ଅଶୋକ ଓ ରାଜ୍ୟ ପ୍ରଭାରୀ ରାଧାମୋହନ ଦାସଙ୍କୁ ଜୁନ ୨୩ରେ ଦିଲ୍ଲୀ ପହଞ୍ଚି ସ୍ପଷ୍ଟିକରଣ ରଖିବା ସହ ବୈଠକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କ ନେତୃତ୍ୱରେ ନୂଆ ସରକାର କାର୍ଯ୍ୟଭାର ଗ୍ରହଣ କରିବା ପରେ ଏହା ପ୍ରଥମ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା ଥିଲା। ଗୁରୁବାର ବିଧାନ ପରିଷଦର ୭ଟି ଆସନ ନିମନ୍ତେ ହୋଇଥିବା ନିର୍ବାଚନରେ ଶାସକ କଂଗ୍ରେସ ଉଲ୍ଲେଖନୀୟ ପ୍ରଦର୍ଶନ କରି ୫ଟି ସିଟ୍ ହାତେଇ ନେଇଛି। ଏଥିରେ ବିଜେପିକୁ ୨ଟି ସିଟ୍ ରେ ସନ୍ତୁଷ୍ଟ ହେବାକୁ ପଡିଥିବା ବେଳେ ସହଯୋଗୀ ଜେଡି(ଏସ) ଖାତା ମଧ୍ୟ ଖୋଲି ପାରିନି। ଏହି ନିର୍ବାଚନର ଫଳାଫଳ ବିଜେପି ଓ ଜେଡି(ଏସ୍) ବିଧାୟକଙ୍କ ଦ୍ୱାରା କରାଯାଇଥିବା କ୍ରସ ଭୋଟିଂ ମେଣ୍ଟରେ ଫାଟକୁ ଉଜାଗର କରିଛି।

ସୂତ୍ର ଅନୁସାରେ ଶାସକ କଂଗ୍ରେସକୁ ମୋଟ ୧୫୧ଟି ଭୋଟ ମିଳିଛି। ଯାହା କଂଗ୍ରେସର ୧୪୦ ଭୋଟ ଠାରୁ ୧୧ଟି ଭୋଟ ଅଧିକ। ନିର୍ବାଚନରେ ୭ ଏମଏଲସି ଆସନ ପାଇଁ ୮ଜଣ ପ୍ରାର୍ଥୀ ଥିଲେ, ଯେଉଁଥି ପାଇଁ ବିଧାୟକ ଗୁରୁବାର ଭୋଟ ଦେଇଥିବା ବେଳେ ସନ୍ଧ୍ୟାରେ ଭୋଟ ଗଣନା ହୋଇଥିଲା। ଏଥିରେ ଜେଡି(ଏସ୍)ର ଏକମାତ୍ର ପ୍ରାର୍ଥୀ ଗୋବିନ୍ଦ ରାଜୁଙ୍କୁ ଶୋଚନୀୟ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ତେବେ ବିଜେପିର ୨ ଜଣ ପ୍ରାର୍ଥୀ ଲିଙ୍ଗରାଜ ପାଟିଲ ଓ ରଘୁ ଆର. ନିର୍ବାଚିତ ହୋଇଛନ୍ତି।

ପ୍ରାରମ୍ଭିକ ସୂଚନା ଅନୁସାରେ ଏହି ନିର୍ବାଚନରେ ବିଜେପିର ୩ ଓ ଜେଡି(ଏସ)ର ୮ ବିଧାୟକ କ୍ରସ ଭୋଟିଂ କରିଛନ୍ତି। ଏହା ଛଡା ବିଜେପିର ଜଣେ ବିଧାୟକଙ୍କ ଭୋଟ ନାକଚ ହୋଇଛି। ବିଜେପି ବିଧାୟକଙ୍କ ଦ୍ୱାରା କରାଯାଇଥିବା କ୍ରସ ଭୋଟିଂ ରାଜ୍ୟସଭାପତି ସ୍ୱୀକାର କରିଛନ୍ତି। ପାର୍ଟିର ବରିଷ୍ଠ ନେତା ଆର. ଅଶୋକ କହିଛନ୍ତି ଯେ ପାର୍ଟି ସହିତ ଦଗା କରିଥିବା ବିଧାୟକଙ୍କୁ ଚିହ୍ନଟ କରାଯିବ। ସେ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ଯେ ଏପରି ବିଧାୟକଙ୍କ ବିରୋଧରେ ନିଶ୍ଚୟ କଡ଼ା କାର୍ଯ୍ୟାନୁଷ୍ଠାନ ହେବ।