ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜ୍ୟପାଲ ଥାବରଚନ୍ଦ ଗେହଲଟ ସୋମବାର କର୍ଣ୍ଣାଟକ ଲୋକସେବା ଆୟୋଗ (କେପିଏସସି) ଅଧ୍ୟକ୍ଷ ଶିବ ଶଙ୍କରପ୍ପା ଏସ୍. ସାହୁକାରଙ୍କୁ ଚାକିରୀରୁ ନିଲମ୍ବନ କରିଛନ୍ତି। ସେ ତାଙ୍କ ୨ ଝିଅଙ୍କ ଇଣ୍ଡଷ୍ଟ୍ରିଆଲ ଏକ୍ସଟେନ ଅଫିସର ପଦବୀରେ ବେଆଇନ ନିଯୁକ୍ତିରେ ସହଯୋଗ କରିଥିଲେ। ରାଜ୍ୟପାଳ ମାମଲାର ତଦନ୍ତ ପାଇଁ ଭାରତର ରାଷ୍ଟ୍ରପତିଙ୍କୁ ସୁପାରିଶ ମଧ୍ୟ କରିଛନ୍ତି। ଅଭିଯୋଗର ଯାଞ୍ଚ ପାଇଁ ସମ୍ବିଧାନର ଅନୁଚ୍ଛେଦ ୩୧୭(୧) ଅନୁସାରେ ମାମଲାକୁ ସୁପ୍ରିମକୋର୍ଟକୁ ପଠାଇବା ପାଇଁ ସୁପାରିଶରେ ଉଲ୍ଲେଖ କରିଛନ୍ତି।

ସେହିପରି କାର୍ଯ୍ୟାନୁଷ୍ଠାନର ଫଳାଫଳ ଆସିବା ପର୍ଯ୍ୟନ୍ତ କେପିଏସସିର ସବୁଠୁ ବରିଷ୍ଠ ସଦସ୍ୟଙ୍କୁ ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ଅଧ୍ୟକ୍ଷଙ୍କ କାର୍ଯ୍ୟ ତୁଲାଇବା ପାଇଁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟପାଳ କହିଛନ୍ତି ଯେ ମାମଲାର ନିରପେକ୍ଷ ଯାଞ୍ଚ ପାଇଁ ଏହି ନିଲମ୍ବନ ଜରୁରି ଥିଲା। ଏ ନେଇ ପ୍ରେସ୍ ନୋଟ୍ ରେ ରାଜ୍ୟପାଳଙ୍କ ସଚିବାଳୟ ପକ୍ଷରୁ କୁହାଯାଇଛି ଯେ ତାଙ୍କୁ ସାହୁକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ସମ୍ପର୍କିତ ଅଭିଯୋଗ ମିଳିଛି, ଯେଉଁଥିରେ ଇଣ୍ଡଷ୍ଟ୍ରିଆଲ ଏକ୍ସଟେନସନ ଅଫିସର ପଦବୀର ନିଯୁକ୍ତି ପରୀକ୍ଷାରେ ନିଜ ଦୁଇ ଝିଅଙ୍କ ବେଆଇନ ଚୟନରେ କଥିତ ରୂପେ ସହାୟତା କରିଥିବାର ଅଭିଯୋଗ ରହିଛି।

ଅଭିଯୋଗରେ କୁହାଯାଇଛି ଯେ ସାହୁକାର ଅଧ୍ୟକ୍ଷତା କରୁଥିବା ଆୟୋଗର ନିଯୁକ୍ତି ପରୀକ୍ଷାରେ ତାଙ୍କ ଦୁଇ ଝିଅ ପ୍ରାର୍ଥୀ ଥିଲେ। ଏହି ମାମଲାରୁ ସାହୁକାର ନା ତ ନିଜକୁ ପୃଥକ କରିଥିଲେ ନା ଔପଚାରିକ ରୂପେ କନଫ୍ଲିକ୍ଟ ଅଫ ଇଣ୍ଟରେଷ୍ଟ ଘୋଷଣା କରିଥିଲେ। ଏଥିରେ ଉଲ୍ଲେଖ କରାଯାଇଛି ଯେ ୩୦ ମାର୍ଚ୍ଚ ୨୦୦୨ରେ କର୍ଣ୍ଣାଟକ ସରକାରଙ୍କ ଆଦେଶ ଅନୁସାରେ ଲୋକସେବା ଆୟୋଗ ଅଧ୍ୟକ୍ଷଙ୍କ ସନ୍ତାନସନ୍ତତିଙ୍କୁ ରାଜ୍ୟର ପଛୁଆବର୍ଗ କୋଟାରେ ସଂରକ୍ଷଣର ଲାଭ ଉପରେ ରୋକ ଲଗାଇ ଦିଆଯାଇଛି। ତେବେ ଆଦେଶରେ ଅଭିଯୋଗ କରାଯାଇଛି ଯେ ସାହୁକାର ଓ ତାଙ୍କ ଝିଅମାନେ ନିଯୁକ୍ତି ପ୍ରକ୍ରିୟା କାଳରେ ଅନୁଚିତ ଲାଭ ନେବା ପାଇଁ ଏହି ସୂଚନାକୁ ଲୁଚେଇଥିଲେ।

ରାଜ୍ୟପାଳ ସଚିବାଳୟ ଅନୁସାରେ ଅଧ୍ୟକ୍ଷଙ୍କ ଆୟ ଓ ସମ୍ପତ୍ତି ବିବରଣୀ ସହିତ ଯାଞ୍ଚ କରାଯାଇଥିବା ଅନ୍ୟ ରେକର୍ଡରୁ ମିସ୍ କଣ୍ଡକ୍ଟର ଆପାତତଃ ପ୍ରମାଣ ମିଳିଛି, ଏହା ସମ୍ବିଧାନର ଅନୁଚ୍ଛେଦ ୩୧୭(୧)ରେ କାର୍ଯ୍ୟାନୁଷ୍ଠାନକୁ ଉଚିତ ବୋଲି କହୁଛି। ଆଦେଶରେ କୁହାଯାଇଛି ଯେ ମାନନୀୟ ରାଜ୍ୟପାଳ ଭାରତର ରାଷ୍ଟ୍ରପତିଙ୍କୁ କର୍ଣ୍ଣାଟକ ଲୋକସେବା ଆୟୋଗ ଅଧ୍ୟକ୍ଷ ଶିବ ଶଙ୍କରପ୍ପା ଏସ.ସାହୁକାରଙ୍କୁ ବିରୋଧରେ ଆଗତ ଅଭିଯୋଗର ଯାଞ୍ଚ ଲାଗି ଏହାକୁ ସୁପ୍ରିମକୋର୍ଟଙ୍କୁ ପଠାଇବା ପାଇଁ ସୁପାରିଶ କରିଛନ୍ତି। ସାହୁକର ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ପଦରୁ ନିଲମ୍ବିତ ରହିବେ ବୋଲି କୁହାଯାଇଛି।