କର୍ଣ୍ଣାଟକ ୨୭/୧: ନାଁ  ଗୋଟିଏ ଆଙ୍କେ ଗୌଡ । କିନ୍ତୁ କାମ ଅନେକଅନେକ ଜାଣନ୍ତି ବସ୍‌ କଣ୍ଡକ୍ଟର ଭାବରେ । କିନ୍ତୁ ତାଙ୍କୁ ପରିଚୟ ଦେଇଛି ସାମାଜିକ କାର୍ଯ୍ୟ । କଠୋର ପରିଶ୍ରମ ତାଙ୍କୁ  ଆଣି ଦେଇଛି ପ୍ରସିଦ୍ଧି। କେନ୍ଦ୍ର ସରକାର ଜଣେ ପୁସ୍ତକପ୍ରେମୀଙ୍କ ନାଁ ପଦ୍ମଶ୍ରୀ ସମ୍ମାନ ପାଇଁ ଘୋଷଣା ପରେ ଏବେ ସବୁଠି ଆଙ୍କେ ଗୌଡଙ୍କୁ ନେଇ ଚର୍ଚ୍ଚା । ଏତେ ବଡ ସଫଳତା ପାଇଁ ତାଙ୍କୁ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ ।

କର୍ଣ୍ଣାଟକର ପୂର୍ବତନ ବସ୍‌ କଣ୍ଡକ୍ଟର ଆଙ୍କେ ଗୌଡ । କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରେ ଏକ ଚାଷୀ ପରିବାରରେ ଜନ୍ମ । ଏବେ ବୟସ ପାଖାପାଖି ୭୫ ଛୁଇଁଲାଣି । ବୟସର ଅପରାହ୍ନରେ ତାଙ୍କୁ ମିଳିଛି ପରିଶ୍ରମର ଫଳ ।  ପିଲାଦିନେ ଅଭାବ ଭିତରେ ବଢିଥିବା ଆଙ୍କେଙ୍କର କଲେଜ ଜୀବନରେ ଆସିଥିଲା ଟର୍ଣ୍ଣିଂ ପଏଣ୍ଟ । ଆଙ୍କେଙ୍କର ପୁସ୍ତକ ପ୍ରତି ବେଶ ଦୁର୍ବଳତା ଥିଲା ।ସେ ବହି କିଣିବାକୁ ଓ ପଢିବାକୁ ବେଶ ଭଲପାଉଥିଲେ । ଏସବୁ କାମ ସେ କେବଳ ନିଜେ କରୁନଥିଲେ ଅନ୍ୟମାନଙ୍କୁ ବି କରିବାକୁ ଉତ୍ସାହିତ କରୁଥିଲେ । ଜଣେ ପ୍ରଫେସରଙ୍କ ଦ୍ବାରା ଅନୁପ୍ରାଣୀତ ହୋଇ ସେ ବହି ସଂଗ୍ରହ କରିବା ଆରମ୍ଭ କରିଦେଇଥିଲେ । ମାତ୍ର ୨୦ ବର୍ଷ ବୟସରୁ ସେ  ବସ୍‌ କଣ୍ଡକ୍ଟର ଭାବରେ କାମ କରୁଥିଲେ । ଏହି ସମୟରେ ସେ ନିଜର ସ୍ବଳ୍ପ ରୋଜଗାରରେ କିଛି କିଛି ବହି କିଣୁଥିଲେ । ଯାହା ତାଙ୍କର ବର୍ତ୍ତମାନର ସ୍ମାରକୀ ପାଠାଗାରର ମୂଳଦୁଆ ବୋଲି କୁହାଯାଇପାରିବ । ଧିରେ ଧିରେ ସେ ବସ କଣ୍ଡକ୍ଟର ଚାକିରି ଛାଡି ପାଠାଗାର ନିର୍ମାଣର ସ୍ବପ୍ନ ଦେଖିଥିଲେ । ଆଉ ଆଙ୍କେଙ୍କର ସ୍ବପ୍ନ ସତ ହୋଇଛି ।

‘ପୁସ୍ତକ ମନେ’ ନାଁରେ ବିଶ୍ବର ସର୍ବବୃହତ୍ତ ମାଗଣା ପାଠାଗାରର ପ୍ରତିଷ୍ଠାତା ସେ । ତାଙ୍କ ଲାଇବ୍ରେରୀରେ ୨୦ରୁ ଅଧିକ ଭାଷାରେ ୨ଲକ୍ଷରୁ ଅଧିକ ବହି ରହିଛି । ଏଥିସହ ବିରଳ ପାଣ୍ଡୁଲିପି ଓ ହଜାର ହଜାର ପତ୍ରିକା ମଧ୍ୟ ଉପଲବ୍ଧ ।

ଆଙ୍କେ ଗୌଡଙ୍କ ପରି ମୁମ୍ବାଇର ଜଣେ ଶିଶୁରୋଗ ବିଶେଷଜ୍ଞ ଆର୍ମିଡା ଫର୍ଣ୍ଣାଣ୍ଡିସ୍‌ ଯିଏ ଭାରତର ପ୍ରଥମ ମାନବ କ୍ଷୀର ବ୍ୟାଙ୍କ ପ୍ରତିଷ୍ଠା କରିଥିଲେ । ତାଙ୍କୁ ମଧ୍ୟ ନିଆରା ପ୍ରୟାସ ପାଇଁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ । ତେବେ ୨୦୨୬ ପାଇଁ  ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ଏହି ୩ଟି ବର୍ଗରେ ପ୍ରାୟ ୧୩୧ ଜଣଙ୍କ ନାଁ ପଦ୍ମ ପୁରସ୍କାର ପାଇଁ ଘୋଷଣା କରାଯାଇଛି । ପଦ୍ମ ପୁରସ୍କାରରେ ସମ୍ମାନିତ ହେବାକୁ ଥିବା ପ୍ରମୁଖ ବ୍ୟକ୍ତିତ୍ବ ମାନେ ହେଲେ ଗାୟିକା ଅଳକା ୟାଗନିକ୍‌, ସ୍ବର୍ଗତ ଧର୍ମେନ୍ଦ୍ର ଦେଓଲ,ସ୍ବର୍ଗତ ଶିବୁ ସୋରେନ,  କ୍ରିକେଟର ରୋହିତ ଶର୍ମା ଓ ହରମନପ୍ରୀତ କୌର ।