ଇସଲାମାବାଦ: ପାକିସ୍ତାନର କରାଚୀ ସହରରେ ଆତଙ୍କବାଦୀ ଆକ୍ରମଣ । ସିନ୍ଧ ରେଞ୍ଜର୍ସର ମୁଖ୍ୟ କାର୍ଯ୍ୟାଳୟକୁ ଟାର୍ଗେଟ୍ କରି କରାଯାଇଥିବା ଏହି ଆତ୍ମଘାତୀ ଆକ୍ରମଣ ଓ ଗୁଳିମାଡ଼ରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଜଣେ ଆତ୍ମଘାତୀ ବୋମା ବିସ୍ଫୋରଣକାରୀ ସିନ୍ଧ ରେଞ୍ଜର୍ସ କାର୍ଯ୍ୟାଳୟର ପରିସରକୁ ପଶିଯାଇଥିଲା ଏବଂ ସେଠାରେ ବିସ୍ଫୋରଣ ଘଟିଛି।

ସୂଚନା ଅନୁସାରେ, ପ୍ରଥମ ବିସ୍ଫୋରଣ ଅତି ଶକ୍ତିଶାଳୀ ଥିଲା, ଏହା ପରେ ପରେ ଆଉ ଦୁଇଟି ଛୋଟ ଧରଣର ବିସ୍ଫୋରଣ ଶୁଣାଯାଇଥିଲା। ବିସ୍ଫୋରଣ ପରେ ପରେ ସେହି ଆତଙ୍କବାଦୀ ସଂଗଠନର ଅନ୍ୟ ସଦସ୍ୟମାନେ ସେଠାରେ ମୁତୟନ ଥିବା ସୁରକ୍ଷାକର୍ମୀଙ୍କ ଉପରକୁ ଆନ୍ଧାଧୂନ ଗୁଳିମାଡ଼ କରିଥିଲେ। ଏହା ପରେ ସୁରକ୍ଷା ବାହିନୀ ପକ୍ଷରୁ ମଧ୍ୟ ପାଲଟା ଗୁଳିମାଡ଼  କରାଯାଇଥିଲା। ଉଭୟ ପକ୍ଷ ମଧ୍ୟରେ ପ୍ରାୟ ଅଧା ଘଣ୍ଟା ଧରି ଗୁଳିବିନିମୟ ଜାରି ରହିଥିଲା।

ଭୟଙ୍କର ବିାସ୍ଫୋରଣ ଏବଂ ଗୁଳିମାଡ଼ର ଖବର ପାଇ ପୋଲିସ ଓ ସେନାବାହିନୀର ସ୍ୱତନ୍ତ୍ର ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ତୁରନ୍ତ ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଛି। ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ଆବାସିକ ଅଞ୍ଚଳକୁ ସିଲ୍ କରି ଦିଆଯାଇଛି ଏବଂ ସାଧାରଣ ଲୋକଙ୍କ ଯାତାୟାତ ଉପରେ ରୋକ୍ ଲଗାଯାଇଛି। ଲୁଚି ରହିଥିବା ଅନ୍ୟ ଆତଙ୍କବାଦୀମାନଙ୍କୁ ଧରିବା କିମ୍ବା ନିପାତ କରିବା ପାଇଁ ସୁରକ୍ଷା ବାହିନୀ ସେହି ଅଞ୍ଚଳରେ ଏକ ବଡ଼ ଧରଣର ସ୍ପେଶାଲ ସର୍ଚ୍ଚ ଅପରେସନ ଆରମ୍ଭ କରିଛି।