କାନପୁର, ୧୩|୦୭: ମର୍ମନ୍ତୁଦ ସଡକ ଦୁର୍ଘଟଣା । ଜୀବନ ହାରିଲେ ୩ ବ୍ୟକ୍ତି । ଏପରି ଅଭାବନୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶ ମହାରାଜପୁର ଥାନା ଅନ୍ତର୍ଗତ କାନପୁର ପ୍ରୟାଗରାଜ ଜାତୀୟ ରାଜପଥରେ । ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଲହରୀ ଖେଳିଯାଇଛି ।

ରିପୋର୍ଟ ଅନୁସାରେ, ସୋମବାର ସକାଳେ କାନପୁର-ପ୍ରୟାଗରାଜ ଜାତୀୟ ରାଜପଥରେ ଏକ ଟ୍ରକ୍ ଠିଆ ହୋଇଥିଲା । ଏହି ସମୟରେ ନ୍ୟୁ ଜେକେ ଢାବା ନିକଟରେ ଏକ ସ୍କର୍ପିଓ ଦ୍ରୁତ ଗତିରେ ଆସି ଟ୍ରକକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସ୍କର୍ପିଓଟି ଚୁରମାର ହୋଇଯାଇଥିଲା ।

କୁହାଯାଉଛି ଯେ, ସ୍କର୍ପିଓଟି ହରିୟାଣାରୁ ବିହାର ଯାଉଥିଲା । ଏଥିରେ ୧୨ ଜଣ ବସିଥିଲେ । ଏହା ଦ୍ରୁତ ଗତି ପାଇଁ ନିୟନ୍ତ୍ରଣ ହରାଇଥିଲା । ଫଳରେ ଟ୍ରକକୁ ପଛରୁ ପିଟି ଦେଇଥିଲା । ତେବେ ଦୁର୍ଘଟଣାରେ ତିନି ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ୧୩ ବର୍ଷର ଜଣେ ନାବାଳିକା ଏବଂ ୯ ବର୍ଷର ଜଣେ ନାବାଳକ ରହିଛନ୍ତି । ଖବର ପାଇ ମହାରାଜପୁର ପୋଲିସ ଗାଡ଼ି ଦ୍ୱୟକୁ ଜବତ କରି ମୃତାହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲା ।

ଦୁର୍ଘଟଣାରେ ୯ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ କାଂସୀରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କ ମଧ୍ୟରେ ଦୁଇ ଜଣ ମହିଳା, ୪ ଜଣ ପୁରୁଷ ଏବଂ ତିନି ଜଣ ଶିଶୁ ରହିଥିବା ଜଣାପଡିଛି ।