କୋଲକାତା,୧୨|୦୬:ତୃଣମୂଳ କଂଗ୍ରେସରେ କିଛି ଠିକ୍ ନାହିଁ । ଜଣଙ୍କ ପରେ ଜଣେ ସାଂସଦ ଦଳ ଛାଡୁଛନ୍ତି । ମମତା ବାନାର୍ଜୀଙ୍କ ଉପରେ ଆଉ ଭରସା ପାଉନି । ୨୦ରୁ ଅଧିକ ସାଂସଦ ବିଜେପି ସମର୍ଥିତ ଏନଡିଏରେ ମିଶିବାକୁ ଗୋଡ କାଢିଲେଣି । ଏହାସହ କିଛି ନେତା ମମତାଙ୍କୁ ବ୍ଲାକ୍ ମେଲ୍ ମଧ୍ୟ କରୁଛନ୍ତି । ଏସବୁ ଦେଖିଲେ ଦଳ ବଡ ବିପର୍ଯ୍ୟୟର ସାମ୍ନା କରୁଛି । ଏହା ମଧ୍ୟରେ ଟିଏମସି ନେତା ତଥା ସାଂସଦ କୀର୍ତ୍ତି ଆଜାଦ୍ ମମତାଙ୍କ ସପକ୍ଷରେ ବାହାରିଛନ୍ତି ।

ଦୁଇ ଦିନ ତଳେ ଟିଏମସି ନେତା କଲ୍ୟାଣ ବାନାର୍ଜୀ ମମତାଙ୍କୁ ବ୍ଲାକମେଲ୍ କରିଥିଲେ । ଅଭିଷେକ ବାନାର୍ଜୀ କିମ୍ବା ତାଙ୍କ ମଧ୍ୟରୁ ସେ ଜଣଙ୍କୁ ବାଛିବାକୁ ମମତାଙ୍କୁ କହିଥିଲେ । ଏହାସହ ଅଲ୍ଟିମେଟମ୍ ମଧ୍ୟ ଦେଇଥିଲେ । ଯାହାକୁ ନେଇ କୀର୍ତ୍ତି କହିଛନ୍ତି ଯେ, କଲ୍ୟାଣ ଜଣେ ଯୋଦ୍ଧା । ତାଙ୍କ କ୍ରୋଧ ଯଥାର୍ଥ ଅଟେ । କିନ୍ତୁ ସେ କେବେହେଲେ ଦଳ ଛାଡିବେ ନାହିଁ ।

କୀର୍ତ୍ତି ଆହୁରି କହିଛନ୍ତି ଯେ, କଲ୍ୟାଣ ବାନାର୍ଜୀ ଯୋଦ୍ଧାଙ୍କ ଭଳି କଥା କହୁଛନ୍ତି । ଦଳର ଆରମ୍ଭଠୁ ଏବେସୁଦ୍ଧା ସେ ମମତାଙ୍କ ସହ ରହିଛନ୍ତି । ସେ କୁଆଡେ ଯିବେ ନାହିଁ । କଲ୍ୟାଣ ଜଣେ ଭାବୁକ ବ୍ୟକ୍ତି । ତାଙ୍କ ଭାବନାକୁ ଦଳ ସମ୍ମାନ ଦେବା ଜରୁରୀ । ମମତା ଖୁବ୍ ଶୀଘ୍ର ତାଙ୍କ ସହ କଥା ହୋଇ ସମସ୍ତ ବିବାଦର ସମାଧାନ କରିପାରିବେ । ସେ ଆହୁରି କହିଛନ୍ତି ଯେ, କଲ୍ୟାଣ ଦିଦିଙ୍କ ନାଁ ନେଇଛନ୍ତି । ଦିଦି ନିଶ୍ଚୟ କଥା ହେବେ । ଅନେକ କଥା ଦିଦି କଲ୍ୟାଣଙ୍କୁ ପ୍ରଥମେ କହିନଥିଲେ । ଯାହା ବିବାଦ ଆରମ୍ଭ କରିଛି । ହେଲେ ସମସ୍ତ ବିବାଦର ସମାଧାନ ହୋଇପାରିବ ବୋଲି କୀର୍ତ୍ତି ଜୋର୍ ଦେଇଛନ୍ତି ।

ଅଭିଷେକଙ୍କୁ କଟାକ୍ଷ

ଟିଏମସି ଏମପି କଲ୍ୟାଣ ବାନାର୍ଜୀ ଦଳର ନେତା ତଥା ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ କଟାକ୍ଷ କରିଛନ୍ତି । ସେ କହିଛନ୍ତି ଯେ, ସେ ଜଣେ ନିର୍ଦ୍ଦୟ ବ୍ୟକ୍ତି । ସବୁ ଜିନିଷ ତାଙ୍କ ଇଚ୍ଛାରେ ହେଉ ବୋଲି ସେ ଭାବିଥାନ୍ତି । ମମତାଙ୍କ ଅଧିନରେ ତାଙ୍କୁ ଯେମିତି ଲାଗୁଥିଲା ଅଭିଷେକଙ୍କ ଅଧିନରେ ସେମିତି ଲାଗୁ ନାହିଁ । ସେ ଦିଦିଙ୍କ ସହ ଅଛନ୍ତି । କିନ୍ତୁ ଅଭିଷେକଙ୍କ ମନମାନୀ ଚାଲିବ ନାହିଁ ।