ଭୁବନେଶ୍ୱର ୨୮।୦୫ : ଭୀଷଣ ଗରମ, ପ୍ରବଳ ଗୁଳୁଗୁଳି। ଦୁଇ ସପ୍ତାହ ହେବ ଏହି ଯନ୍ତ୍ରଣାରେ ଘାଣ୍ଟି ଚକଟି ହେଉଛନ୍ତି ସାରା ରାଜ୍ୟବାସୀ। ବୁଧବାର ଛଟପଟ ହେଉଥିଲେ ସମସ୍ତେ । ସନ୍ଧ୍ୟାରେ ବଳ ଦେଖାଇଲା କାଳବୈଶାଖୀ । ନିର୍ଧୂମ ବର୍ଷିଲା, ପବନ ମାଡ଼ କଲା ।

ଏତେ ଦିନ ପରେ ଅସହ୍ୟ ଗରମ ଓ ଗୁଳୁଗୁଳିରୁ ଲୋକଙ୍କୁ ଟିକିଏ ଆଶ୍ୱସ୍ତି ମିଳିଲା। ଘଣ୍ଟାଏରେ ଖସାଇ ଦେଲା ତାତି। ୮ରୁ ୧୦ ଡିଗ୍ରୀ ସେଲସିୟସ୍ ପାରଦ କମିଗଲା। ରାଉରକେଲା, ଭୁବନେଶ୍ଵର, ବ୍ରହ୍ମପୁର, କଟକ, ପୁରୀ, କେନ୍ଦୁଝର, ଢେଙ୍କାନାଳ, ଭଦ୍ରକ, ବୌଦ୍ଧ, ମୟୂରଭଞ୍ଜ, ନୂଆପଡ଼ା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ ବର୍ଷା, ପବନ ହୋଇଛି। ତାତିରୁ ଆଶ୍ୱସ୍ତି ମିଳିଥିଲେ ବି ବହୁ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ବି ହୋଇଛି। ବିଦ୍ୟୁତ ବିଭ୍ରାଟ ହୋଇଛି। ଅନୁଗୁଳ ଜିଲ୍ଲା ଆଠମଲ୍ଲିକରେ ଘର ଉପରେ ଗଛ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି।

Also Read:-Horoscope Today : ମେ'୨୮ ତାରିଖ, ଗୁରୁବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ସେହିପରି କେନ୍ଦୁଝରରେ କାଳବୈଶାଖୀ ପ୍ରଭାବରେ ଉପୁଡିଛି ବିଦ୍ୟୁତ ଖୁଣ୍ଟ ଓ ଗଛ । କେନ୍ଦୁଝର ସହର , ଝୁମ୍ପୁରା , ଘଟଗାଁ ଓ ପାଟଣା ବ୍ଳକ ର କିଛି ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ବର୍ଷା ସହ କିଛି ସ୍ଥାନରେ କୁଆ ପଥର ମାଡ଼ ହୋଇଥିଲା । ସେହିପରି ବୌଦ୍ଧ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ କଣ୍ଟାମାଳ ଡୁମାଳପାଲି ଗାଁର ହେମବତୀ ଷଣ୍ଢଙ୍କ ଘର କାନ୍ଥ ଭାଙ୍ଗି ପଡିବାରୁ ସେ ଗୁରୁତର ହୋଇଛନ୍ତି। ପୁରୀରେ କାଳବୈଶାଖୀର ପ୍ରଭାବରେ ପବନ ହେବାରୁ ଶ୍ରୀମନ୍ଦିର ନୀଳଚକ୍ରରୁ ମାନସିକ ବାନା ଛିଣ୍ଡିଯାଇଛି ।