Justice Yashwant Varma resigned: ବିବାଦର ବର୍ଷକ ପରେ ପଦରୁ ଇସ୍ତଫା ଦେଲେ ଆଲ୍ଲାହବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ ଯଶବନ୍ତ ବର୍ମା। ଶ୍ରୀ ବର୍ମାଙ୍କ ଦିଲ୍ଲୀ ସ୍ଥିତ ବାସଭବନରୁ ବିପୁଳ ପରିମାଣରେ ନଗଦ ଟଙ୍କା ମିଳିବା ପରେ ସେ ବିବାଦ ଘେରକୁ ଚାଲି ଆସିଥିଲେ। ତାଙ୍କ ବାସଭବନରେ ନିଆଁ ଲାଗିବା ପରେ ଟଙ୍କାଗୁଡ଼ିକ ସବୁ ଜଳିଯାଇଥିଲା। ନିଆଁ ଲିଭାଇବାକୁ ପହଞ୍ଚିଥିବା ଦମକଳବାହିନୀ ଏତେ ପରିମାଣରେ ଟଙ୍କା ଦେଖି ହତବାକ ହୋଇଯାଇଥିଲା।

ଏହି ମାମଲାରେ ନ୍ୟାୟପାଳିକ ଭିତରେ ତଦନ୍ତ ଜାରି ରହିଛି। ସଂସଦୀୟ ବହିଷ୍କାର ପ୍ରକ୍ରିୟା ମଧ୍ୟ ଫୋକସରେ ରହିଛି। ଏହି ସମୟରେ ଜଷ୍ଟିସ ବର୍ମା ତାଙ୍କ ଇସ୍ତଫାପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ଦେଇଛନ୍ତି।

ବିଚାରପତିଙ୍କ ବିବାଦ

ଗତ ବର୍ଷ ମାର୍ଚ୍ଚ ମାସରେ ଜଷ୍ଟିସ ବର୍ମା ଏହି ବିବାଦରେ ଛନ୍ଦି ହୋଇଯାଇଥିଲେ। ଦିଲ୍ଲୀରେ ଜଷ୍ଟିସ୍ ବର୍ମାଙ୍କ ସରକାରୀ ବାସଭବନରେ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲିଭାଇବାକୁ ପହଞ୍ଚିଥିବା ଅଗ୍ନିଶମ ବାହିନୀ ତାଙ୍କ ଘରୁ ବିପୁଳ ପରିମାଣରେ ନଗଦ ଟଙ୍କା ବାହାରିଥିବା ଦେଖିଥିଲେ ବୋଲି କୁହାଯାଉଛି। ଗୋଟେ ଗୋଟେ ଟଙ୍କା ଗଦାର ଉଚ୍ଚତା ୧.୫ ଫୁଟ ପର୍ଯ୍ୟନ୍ତ ରହିଥିଲା ବୋଲି କୁହାଯାଇଥିଲା।

ତତ୍କାଳୀନ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏହି ଘଟଣାର ବିଚାର କରି ଜଷ୍ଟିସ୍ ବର୍ମାଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆହ୍ଲାବାଦ ହାଇକୋର୍ଟକୁ ଟ୍ରାନ୍ସଫର କରିଦେଇଥିଲେ। ତେବେ ଜଷ୍ଟିସ୍ ବର୍ମା କିନ୍ତୁ ଏହି ଦାବିଗୁଡ଼ିକୁ ଅସ୍ୱୀକାର କରିଛନ୍ତି। ତାଙ୍କ ବାସଭବନରୁ କୌଣସି ଟଙ୍କା ଉଦ୍ଧାର ହୋଇ ନାହିଁ ବୋଲି ସେ କହିଛନ୍ତି।

Also Read- Online Scam: ହ୍ଵାଟ୍ସଆପ୍‌ ଗ୍ରୁପରେ ସାମିଲ ହେବା ପଡିଲା ମହଙ୍ଗା, '୧୧ ଦିନରେ ଟଙ୍କା ଡବଲ୍' ଲୋଭ ପଡି ୧୨ କୋଟି ହରାଇଲେ ଡାକ୍ତର

ଣ କହିଲେ ଜଷ୍ଟିସ ବର୍ମା ?

ସଂସଦୀୟ ପ୍ୟାନେଲକୁ ଦେଇଥିବା ପ୍ରତିକ୍ରିୟାରେ ଜଷ୍ଟିସ୍ ବର୍ମା କହିଛନ୍ତି ଯେ ଅଗ୍ନିକାଣ୍ଡ ସମୟରେ ସେ ଘରେ ଉପସ୍ଥିତ ନଥିଲେ ଏବଂ ପ୍ରଥମେ ସେ ଏନେଇ କୌଣସି ପ୍ରତିକ୍ରିୟା ଦେଇ ନଥିଲେ। ମାମଲାର ତଦନ୍ତ ପାଇଁ ଗଠନ କରାଯାଇଥିବା କମିଟିକୁ ଜଷ୍ଟିସ ବର୍ମା କହିଥିଲେ “ଯଦି ଅଧିକାରୀମାନେ ସ୍ଥାନକୁ ସୁରକ୍ଷିତ କରିବାରେ ବିଫଳ ହୁଅନ୍ତି, ତେବେ ମୋ ବିରୁଦ୍ଧରେ କାହିଁକି ମହାଭିଯୋଗ ଆସିବ।...ସେଠାରେ ଉପସ୍ଥିତ ପୋଲିସ ଏବଂ ଅଗ୍ନିଶମ ବିଭାଗର ଅଧିକାରୀମାନେ ଆବଶ୍ୟକ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୋଇଥିଲେ।”

ସେ ଏହା ମଧ୍ୟ ପ୍ରଶ୍ନ କରିଥିଲେ ଯେ ଯେତେବେଳେ ସାଇଟ୍ ସେହି ସମୟରେ ଉପସ୍ଥିତ କର୍ତ୍ତୃପକ୍ଷଙ୍କ ନିୟନ୍ତ୍ରଣରେ ଥିଲା, ସେତେବେଳେ କୌଣସି ତ୍ରୁଟି ପାଇଁ ତାଙ୍କୁ କିପରି ଦାୟୀ କରାଯାଇପାରିବ ବୋଲି ଶର୍ମା ପ୍ରଶ୍ନ କରିଥିଲେ।


ତଦନ୍ତ, ଆଇନଗତ ଚ୍ୟାଲେଞ୍ଜ ଏବଂ ସୁପ୍ରିମକୋର୍ଟରୁ ଧକ୍କା

ଅଗଷ୍ଟ ୨୦୨୫ରେ, ଲୋକସଭା ବାଚସ୍ପତି ଓମ୍ ବିର୍ଲା ଅଭିଯୋଗଗୁଡ଼ିକର ଯାଞ୍ଚ କରିବା ପାଇଁ ବିଚାରପତି (ତଦନ୍ତ) ଆଇନ, ୧୯୬୮ ଅନୁଯାୟୀ ଏକ ତିନି ସଦସ୍ୟ ବିଶିଷ୍ଟ କମିଟି ଗଠନ କରିଥିଲେ। ଏହି କମିଟିରେ ସୁପ୍ରିମକୋର୍ଟର ଜଷ୍ଟିସ୍ ଅରବିନ୍ଦ କୁମାର, ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ମନିନ୍ଦର ମୋହନ ଏବଂ ବରିଷ୍ଠ ଓକିଲ ବିଭି ଆଚାର୍ଯ୍ୟ ଅଛନ୍ତି।

ଜଷ୍ଟିସ୍ ବର୍ମା ସୁପ୍ରିମକୋର୍ଟରେ ଏହି ପ୍ୟାନେଲର ବୈଧତାକୁ ଚ୍ୟାଲେଞ୍ଜ କରିଥିଲେ। ରାଜ୍ୟସଭାର ଉପାଧ୍ୟକ୍ଷ ତାଙ୍କ ବହିଷ୍କାର ପାଇଁ ଆଗତ ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି ବୋଲି ସେ ଯୁକ୍ତି ଦର୍ଶାଇଥିଲେ। ତଥାପି, ସୁପ୍ରିମକୋର୍ଟ ତାଙ୍କର ଆବେଦନକୁ ଖାରଜ କରି ସଂସଦୀୟ କମିଟିକୁ ତଦନ୍ତ ଜାରି ରଖିବାକୁ ଅନୁମତି ଦେଇଥିଲେ।

Also Read-​​​​​​​ Kunal Kamra vs Eknath Shinde​​​​​​​: ମୁଁ ଭୁଲ କରି ନାହିଁ, ଏକନାଥ ସିନ୍ଦେଙ୍କୁ ଆଦୌ କ୍ଷମା ମାଗିବି ନାହିଁ: କୁନାଲ କାମ୍ରା

ତଦନ୍ତରେ କଣ ମିଳିଲା ?

ଏହି ମାମଲାରେ ସୁପ୍ରିମକୋର୍ଟ ଦ୍ୱାରା ପୂର୍ବରୁ ଏକ ଇନ-ହାଉସ୍ ତଦନ୍ତ କମିଟି ଗଠନ କରାଯାଇଥିଲା। ଏହି କମିଟି ତଦନ୍ତ କରିବା ପରେ ଜାଣିବାକୁ ପାଇଥିଲା ଯେ ନଗଦ ମିଳିଥିବା ଘରେ ଜଷ୍ଟିସ୍ ବର୍ମା ଏବଂ ତାଙ୍କ ପରିବାର ସଦସ୍ୟଙ୍କର ନିୟନ୍ତ୍ରଣ ରହିଥିଲା। ତଦନ୍ତ ଜାରି ରହିଥିବାରୁ ଏବଂ ମହାଭିଯୋଗ ପ୍ରକ୍ରିୟାର ସମ୍ଭାବନା ଥିବାରୁ, ଜଷ୍ଟିସ୍ ବର୍ମା ଏବେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ଏହି ମାମଲାରେ ଆଗକୁ କଣ କାର୍ଯ୍ୟାଷ୍ଠାନ ହୋଇପାରେ ତାହା ତଦନ୍ତ ସରିଲେ ଜଣାପଡ଼ିବ।