ଭୋପାଲ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶନିବାର କହିଛନ୍ତି ଯେ ବିଳମ୍ବ ପାଇଁ ଭାରତୀୟ ବିଚାର ବ୍ୟବସ୍ଥା ବେଶ୍ ଜଣାଶୁଣା। ହେଲେ ଏବେ ନୂଆ ଅପରାଧିକ ଆଇନ ସମ୍ପୂର୍ଣ୍ଣ ଲାଗୁ ହେବା ପରେ ଏଫଆଇଆର ରୁଜୁ ହେବା ଦିନରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ନ୍ୟାୟ ୩ ବର୍ଷରେ ମିଳି ପାରିବ। ଭୋପାଳ ବିଏଚଇଏଲ ଦଶହରା ପଡିଆରେ ନୂଆ ଅପରାଧିକ ଆଇନ ଉପରେ ପ୍ରଦର୍ଶନୀ ଉଦଘାଟନ କରି ଶାହ ଏହା କହିଛନ୍ତି। କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରାଳୟ ଦାୟିତ୍ୱରେ ଥିବା ଶାହ କହିଛନ୍ତି ଯେ ଭାରତୀୟ ନ୍ୟାୟ ସଂହିତା(ବିଏନଏସ୍) ସମ୍ପୂର୍ଣ୍ଣ ଲାଗୁ ହେଲେ ଦେଶର ଅପରାଧିକ ନ୍ୟାୟ ପ୍ରଣାଳୀ ବିଶ୍ୱର ସବୁଠୁ ଆଧୁନିକ ନ୍ୟାୟପ୍ରଣାଳୀ ମଧ୍ୟରେ ଅନ୍ୟତମ ହେବ।

୨୦୨୯ରୁ ସମାପ୍ତ ହୋଇଯିବ ନିଶା ସାମଗ୍ରୀର ଦୂରୁପଯୋଗ
ସାରା ଦେଶରେ ନିଶା ସାମଗ୍ରୀ ବିରୋଧରେ ଜାରି ଅଭିଯାନର ଉଲ୍ଲେଖ କରି ଶାହ କହିଛନ୍ତି ଯେ ସରକାର ଏକ ବିସ୍ତୃତ ଯୋଜନା ଉପରେ କାମ କରୁଛନ୍ତି। ଏହା ଦ୍ୱାରା ୩୧ ଡିସେମ୍ବର ୨୦୨୯ ପରେ ପ୍ରଦେଶରେ ନିଶା ସାମଗ୍ରୀର ଦୂରୁପଯୋଗ ସମ୍ପୂର୍ଣ୍ଣ ସମାପ୍ତ ହୋଇଯିବ। ଏଣୁ ନିଶାକୁ ନେଇ ସମାଜର ଥିବା ଅଭିଯୋଗ ଦୂର ହୋଇ ପାରିବ ଓ ଲୋକେ ନିଶାର ଶିକାର ହେବେନି।

୩ ବର୍ଷରେ ମିଳିବ ନ୍ୟାୟ
ଶାହ କହିଛନ୍ତି ଯେ ଭାରତୀୟ ନ୍ୟାୟ ବ୍ୟବସ୍ଥା କୁ ନେଇ ଲୋକେ ‘ତାରିଖ ପେ ତାରିଖ’ କମେଣ୍ଟ କରନ୍ତି। ହେଲେ ଏବେ ନୂଆ ଅପରାଧିକ ଆଇନ ସମ୍ପୂର୍ଣ୍ଣ ଲାଗୁ ହେଲେ ଏଫଆଇଆର ରୁଜୁଠାରୁ ଆରମ୍ଭ କରି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ନ୍ୟାୟ ୩ ବର୍ଷ ମଧ୍ୟରେ ମିଳିଯିବ। ନୂଆ ଆଇନ ବିଏନଏସ, ଭାରତୀୟ ନାଗରିକ ସୁରକ୍ଷା ସଂହିତା(ବିଏନଏସଏସ) ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ (ବିଏସଏ) ଦେଶରେ ୧ ଜୁଲାଇ ୨୦୨୪ରୁ କାର୍ଯ୍ୟକାରୀ ହେଉଛି।