ୱାସିଂଟନ: ଯୁକ୍ତରାଷ୍ଟ୍ର ଆମେରିକା ବୁଧବାର ଇରାନକୁ ଏକ ନୂଆ ଯୁଦ୍ଧବିରାମ ପ୍ରସ୍ତାବ ଦେଇଛି। ଏହା ପୂର୍ବରୁ ଡିଫେନ୍ସ ସେକ୍ରେଟାରୀ ପିଟ୍ ହେଗସେଥ୍ ଓ ଜେନେରାଲ ଡେନ କେନ୍ ପ୍ରେସ କନଫରେନ୍ସ କରିଥିଲେ। ଏଥିରେ ଆମେରିକୀୟ ସାମ୍ବାଦିକ ତଥା ନ୍ୟୁଜ୍ ମ୍ୟାକ୍ସ ରିପୋର୍ଟର ହେଗ୍ ସେଥ୍ ଙ୍କୁ ଟ୍ରମ୍ପ ଇରାନ ଆଗରେ ସରେଣ୍ଡର କରିଥିବା ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି। ଏଥି ପାଇଁ ଭରା ସଭାରେ ସାମ୍ବାଦିକ ପ୍ରମାଣ ମଧ୍ୟ ଉପସ୍ଥାପନ କରିଛନ୍ତି।

ରିପୋର୍ଟର କହିଛନ୍ତି ଯେ ଏହା ପୂର୍ବରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେବୃଆରୀ ୨୮ରେ ସୋସିଆଲ ମିଡିଆ ପୋଷ୍ଟ କରିଥିଲେ ଯେ ଆମେ ଖୁବ୍ ଶୀଘ୍ର ଇରାନ ଶାସନକୁ ଉପାଡି ଫୋପାଡି ଦେବୁ। ଏଥି ପାଇଁ ସେ ଦେଶର ଜନସାଧାରଣଙ୍କୁ ପ୍ରସ୍ତୁତ ରହିବାକୁ କହିଥିଲେ। ଏହା ପରେ ରାଷ୍ଟ୍ରପତି ମାର୍ଚ୍ଚ ୭ ତାରିଖରେ ଇରାନ ସହିତ କୌଣସି ଶାନ୍ତି ଆଲୋଚନା ହେବ ନାହିଁ ବୋଲି କହିଥିଲେ। ତେବେ ଏପ୍ରିଲ ମାସ ହେଉ ହେଉ ଟ୍ରମ୍ପ ଯୁଦ୍ଧବିରାମ ଘୋଷଣା କଲେ ଓ ତାହାବି କୌଣସି ବିନା ବୁଝାମଣାରେ। ଏହି ସବୁ ତର୍କ ଦେଇ ଯୁକ୍ତରାଷ୍ଟ୍ର ଇରାନ ଆଗରେ ସରେଣ୍ଡର କରି ସାରିଥିବାର କହିଛନ୍ତି। ତେବେ ଟ୍ରମ୍ପ କୌଣସି କଥାରେ ହାର ମାନି ନଥିବା ହେଗସେଥ ରିପୋର୍ଟରଙ୍କୁ କହିଛନ୍ତି।

ପୁଣି ଶାନ୍ତି ପ୍ରସ୍ତାବ ପଠାଇଛି ଆମେରିକା
ଗୋଟିଏ ପଟେ ଆମେରିକା ରାଷ୍ଟ୍ରପତି କହୁଛନ୍ତି ଯେ ଇରାନକୁ ଆଣ୍ଠୁ ମାଡ଼ି ବସାଇ ଦିଆଯାଇଛି ଅନ୍ୟପଟେ ଇରାନକୁ ଡିଲ ପାଇଁ ନୂଆ ନୂଆ ପ୍ରସ୍ତାବ ପଠାଯାଉଛି। ବୁଧବାର ଯୁକ୍ତରାଷ୍ଟ୍ର ପକ୍ଷରୁ ଇରାନକୁ ଆଉ ଗୋଟିଏ ପ୍ରସ୍ତାବ ପଠାଯାଇଛି। ଏଥିରେ ଯୁଦ୍ଧ ସମାପ୍ତ କରିବାକୁ ଓ ହର୍ମୁଜ ପ୍ରଣାଳୀ ଖୋଲିବାକୁ ସର୍ତ୍ତ ରହିଛି। ଇରାନକୁ ଏହି ପ୍ରସ୍ତାବ ଉପରେ ଜବାବ ଦେବାକୁ ଆମେରିକା ୪୮ ଘଣ୍ଟା ସମୟ ଦେଇଛି। ଏହିପ୍ରସ୍ତାବ ସହିତ ଆମେରିକା ରାଷ୍ଟ୍ରପତି ହର୍ମୁଜ ପ୍ରଣାଳୀ ଖୋଲିବା ଲାଗି ଆମେରିକା ସେନାର ‘ପ୍ରେଜେକ୍ଟ ଫ୍ରିଡମ’କୁ ରୋକି ଦେଇଛନ୍ତି । ଟ୍ରମ୍ପ କହିଛନ୍ତି ଯେ ଏହି ଅପରେସନକୁ କିଛି ସମୟ ଲାଗି ରୋକାଯିବ। ଏଥିରୁ ତେହେରାନ ସହ କୌଣସି ବୁଝାମଣା ପକ୍କା ହୋଇ ପାରୁଛି କି ନା ତାହା ଦେଖାଯିବ।

ଆମେରିକା ପ୍ରସ୍ତାବକୁ ମାନିବକି ଇରାନ?
​​​​​​​
ଶାନ୍ତିବାର୍ତ୍ତା ଉଦ୍ୟମ ଆରମ୍ଭରୁ ଇରାନ ନିଜ ସର୍ତ୍ତରୁ ପଛକୁ ହଟୁ ନାହିଁ। ଏଣୁ ଯୁକ୍ତ ରାଷ୍ଟ୍ରର ଏହି ପ୍ରସ୍ତାବ ଉପରେ ଏବେ ସମସ୍ତଙ୍କ ନଜର। କାରଣ ଏହା ପୂର୍ବରୁ ଇରାନ ଯୁକ୍ତରାଷ୍ଟ୍ରର ପିଛିଲା ସର୍ତ୍ତକୁ ମାନିବାକୁ ମନା କରିଦେଇଥିଲା। ଯୁକ୍ତରାଷ୍ଟ୍ରର ପ୍ରସ୍ତାବ ପରେ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ କହିଥିଲେ ଯେ ଆମେରିକା ଅଧିକତମ ଚାପ ନୀତି ଅବଲମ୍ବନ କରୁଛି ଓ ଇରାନ ତାର ଏକତରଫା ଦାବି ଆଗରେ ନଇଁ ଯାଉ ବୋଲି ଚାହୁଁଛି। ଏହା ତେହେରାନ ଲାଗି ସମ୍ଭବ ନୁହେଁ ବୋଲି ପେଜେଶକିୟାନ କହିଛନ୍ତି।

Also Read..ଯୁଦ୍ଧ ସମାପ୍ତି ପାଇଁ ଇରାନକୁ ଆମେରିକାର ଗୋଟିଏ ପୃଷ୍ଠାର ଜ୍ଞାପନ, ୪୮ ଘଣ୍ଟାରେ ପ୍ରତିକ୍ରିୟା ରଖିବାକୁ ନିର୍ଦ୍ଦେଶ