ପାଟଣା, ୦୬/୦୫: ଜିତୁ ମୁଣ୍ଡାଙ୍କ ଛବି ଦେଖି ସାରା ଦୁନିଆ କାନ୍ଦିଥିଲା । କେନ୍ଦୁଝର ପାଟଣାର ଜିତୁ ଭଉଣୀଙ୍କ କଙ୍କାଳ କାନ୍ଧରେ ଧରି ବ୍ୟାଙ୍କ ଯାଉଥିଲେ। ଯାହା ପରେ ଛୁଟିଲା ସହାୟତା । ଜିତୁଙ୍କ ଗାଁ ପାଲଟିଗଲା ମଡେଲ୍ ଗାଁ । ନୂଆ ନୂଆ ଯୋଜନାରେ ସାମିଲ କରାଗଲା ଗାଁକୁ । ହେଲେ ଆଜି ସେଇ ଜିତୁଙ୍କ ଭଉଣୀଙ୍କ ଦୁଲସୁନୁମ୍ ଅର୍ଥାତ୍ ଏକାଦଶାହ। କିନ୍ତୁ ହୋ ସମ୍ପ୍ରଦାୟରେ ଏଇଟା କେବଳ ଶୋକ ନୁହେଁ । ଏହା ‘ପରାଚିତ’ ଅର୍ଥାତ୍ ପବିତ୍ର ହେବାର ଦିନ। କାରଣ ଜିତୁ ନିୟମ ଭାଙ୍ଗି ଭଉଣୀ କାର୍ଲା ମୁଣ୍ଡାଙ୍କ ମଣା ଅର୍ଥାତ୍ ଶବକୁ ଶାସାନ୍ଦ୍ରୀ ଅର୍ଥାତ୍ ସମାଧିରୁ ବାହାର କରିଥିଲେ। ଆଜି ରକ୍ତରେ ସ୍ନାନ କରି ଜିତୁ ପୁଣି ଦେବାଦେବୀଙ୍କୁ ପୂଜା କରିପାରିବେ।

ଶାସାନ ଅର୍ଥାତ୍ ମଶାଣିରେ ଆଜି ଲୁହ ବି ଗଡ଼ିବ, ଆଉ ନୂଆ ଜୀବନ ପାଇଁ ପ୍ରାର୍ଥନା ବି ହେବ। । ପଥରରେ ନାଁ ଲେଖା ହେବ “କାର୍ଲା ମୁଣ୍ଡା”। ୧୧ ଦିନ ତଳେ ଏଇ ମାଟି ତଳୁ ହିଁ ଜିତୁ ଭଉଣୀଙ୍କ ହାଡ଼ ବାହାର କରିଥିଲେ। ହୋ ସମ୍ପ୍ରଦାୟର ବିଧି ଅନୁସାରେ ଏଇଟା ପାପ। ଯିଏ ଶାସାନ୍ଦ୍ରୀ ଖୋଳେ, ମଣା ଛୁଏଁ, ସେ ଅପବିତ୍ର ହୋଇଯାଏ। ସେ ଦେବତାଙ୍କୁ ପୂଜା କରିପାରେନି । ମଲା ପରେ ତାଙ୍କୁ ଇଶାନ କୋଣରେ ବି ସ୍ଥାନ ମିଳେନି। ତେଣୁ ଆଜି ଜିତୁ ପରାଚିତ ହେବେ । ଅର୍ଥାତ୍ ପବିତ୍ର ହେବେ।

ତାଙ୍କ ସହ ବାପା ତଳେ ମୁଣ୍ଡା ଓ ମାଆ ଜବୁନା ମୁଣ୍ଡାଙ୍କ ଶାସାନ୍ଦ୍ରୀକୁ ବି ପରାଚିତ କରିବ ହୋ ସମାଜ । ଏହାକୁ ହୋ ସମ୍ପ୍ରଦାୟର ‘ବଙ୍ଗା’ ପୂଜା କୁହାଯାଏ । ହୋ ସମ୍ପ୍ରଦାୟର ପୁରୋହିତଙ୍କ ନିର୍ଦେଶରେ କଳା, ଧଳା, ନାଲି ରଙ୍ଗର ତିନି କୁକୁଡ଼ା ଆଉ ଗୋଟିଏ ମାଈ କଳା ଛେଳିକୁ ପୂଜା କରାଯାଉଛି। ତିନି କୁକୁଡ଼ାକୁ ଘରେ, କଳା ଛେଳିକୁ ଶାସାନ୍ଦ୍ରୀ ପାଖରେ ବଳି ଦିଆଯିବ। ସେଇ ପୂଜା ରକ୍ତକୁ ଜିତୁ ମୁଣ୍ଡାଙ୍କ ଦେହରେ ସିଞ୍ଚନ କରାଯିବ । ଆଉ ତିନି ଶାସାନ୍ଦ୍ରୀ ଉପରେ ବି ଢଳାଯିବ। ଏଇ ବିଧିକୁ ‘ମାଲଦିର’ କୁହାଯାଏ।

ରକ୍ତରେ ସ୍ନାନ ପରେ ଜିତୁ ପୁଣି ପବିତ୍ର ହେବେ । ପୁଣି ସେ ଗାଁ ଦେବତା ‘ସିଂ ବଙ୍ଗା’ଙ୍କୁ ମୁଣ୍ଡ ନୁଆଁଇ ପାରିବେ। ଏବେ ଜିତୁଙ୍କୁ ସମ୍ପର୍କୀୟ ମହିଳାମାନେ ତେଲ ଦେଇ କାର୍ଲାଙ୍କ ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରୁଛନ୍ତି। ତେବେ ସମ୍ପ୍ରଦାୟର ଏପରି ପରମ୍ପରା ଏବଂ ବିଶ୍ୱାସକୁ ନେଇ ଏବେ ଅନେକ ପ୍ରଶ୍ନ ।