ବର୍ମିଂହାମ: ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବର୍ମିଂହାମର ଏଜବାଷ୍ଟନଠାରେ ଖେଳାଯାଉଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ ସେ ଦୁଇଟି ବଡ଼ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ସେ ଇଂଲଣ୍ଡ ମାଟିରେ ଭାରତ ପାଇଁ ସବୁଠାରୁ ସଫଳ ଦିନିକିଆ ବୋଲର ହେବାର ଗୌରବ ଅର୍ଜନ କରିବା ସହ ନିଜ କ୍ୟାରିୟରର ୧୫୦ ଦିନିକିଆ ୱିକେଟ୍ ମଧ୍ୟ ପୂରଣ କରିଛନ୍ତି।

ଇଂଲଣ୍ଡ ମାଟିରେ ରଚିଲେ ଇତିହାସ

ମ୍ୟାଚରେ ୧୪ତମ ଓଭରର ପ୍ରଥମ ବଲରେ ଇଂଲଣ୍ଡ ଅଧିନାୟକ ହ୍ୟାରୀ ବ୍ରୁକଙ୍କୁ ଆଉଟ୍ କରି ବୁମରା ଏହି ସଫଳତା ପାଇଥିଲେ। ବ୍ରୁକଙ୍କ ୱିକେଟ୍ ସହ ବୁମରା ଇଂଲଣ୍ଡରେ ନିଜର ଦିନିକିଆ ୱିକେଟ୍ ସଂଖ୍ୟାକୁ ୩୧ରେ ପହଞ୍ଚାଇଛନ୍ତି। ଏହାସହ ସେ ରବୀନ୍ଦ୍ର ଜାଡେଜାଙ୍କ ପୂର୍ବ ରେକର୍ଡ(୩୦ ୱିକେଟ୍)କୁ ଭାଙ୍ଗି ଇଂଲଣ୍ଡ ମାଟିରେ ସର୍ବାଧିକ ଦିନିକିଆ ୱିକେଟ୍ ନେଇଥିବା ଭାରତୀୟ ବୋଲର ବନିଛନ୍ତି।

ଇଂଲଣ୍ଡରେ ସର୍ବାଧିକ ଦିନିକିଆ ୱିକେଟ୍ ନେଇଥିବା ଭାରତୀୟ

ଜସପ୍ରୀତ ବୁମରା: ୩୧ ୱିକେଟ୍

ରବୀନ୍ଦ୍ର ଜାଡେଜା: ୩୦ ୱିକେଟ୍

ଭୁବନେଶ୍ୱର କୁମାର: ୨୮ ୱିକେଟ୍

ମଦନ ଲାଲ: ୨୭ ୱିକେଟ୍

ମହମ୍ମଦ ସାମି: ୨୬ ୱିକେଟ୍

ପୂରଣ କଲେ ୧୫୦ ଦିନିକିଆ ୱିକେଟ୍

ହ୍ୟାରୀ ବ୍ରୁକଙ୍କ ୱିକେଟ୍ ବୁମରାଙ୍କ ଦିନିକିଆ କ୍ୟାରିୟରର ୧୫୦ତମ ଶିକାର ଥିଲା। ଏହି ମାଇଲଖୁଣ୍ଟ ଅତିକ୍ରମ କରିବାରେ ବୁମରା ବଲ୍ ହିସାବରେ ଭାରତର ତୃତୀୟ ଦ୍ରୁତତମ ବୋଲର ହୋଇଛନ୍ତି। ସେ ମାତ୍ର ୪,୬୦୫ଟି ବଲ୍ ବୋଲିଂ କରି ଏହି କୀର୍ତ୍ତିମାନ ହାସଲ କରିଛନ୍ତି।

ଭାରତ ପାଇଁ ଦ୍ରୁତତମ ୧୫୦ ଦିନିକିଆ ୱିକେଟ୍ (ବଲ୍ ହିସାବରେ)

ମହମ୍ମଦ ସାମି: ୪,୦୭୦ ବଲ୍

କୁଲଦୀପ ଯାଦବ: ୪,୫୧୩ ବଲ୍

ଜସପ୍ରୀତ ବୁମରା: ୪,୦୫ ବଲ୍

ଅଜିତ ଅଗରକର: ୫,୦୨୭ ବଲ୍

ଇରଫାନ ପଠାନ: ୫,୧୩୧ ବଲ୍