ନୂଆଦିଲ୍ଲୀ: ଇଂରାଜୀ ଶିଖିବାକୁ ଆସି ୧୯ ଦିନ ଜେଲରେ ରହିଥିବା ଜଣେ ଜାପାନୀ ନାଗରିକଙ୍କୁ ୭ ବର୍ଷର ଆଇନଗତ ଲଢ଼େଇ ପରେ ୭୫,୦୦୦ ଟଙ୍କା କ୍ଷତିପୂରଣ ମିଳିଛି। ୨୦୧୯ ମସିହାରେ ବେଙ୍ଗାଲୁରୁ ପୁଲିସ୍ ଦ୍ୱାରା ବେଆଇନ ଭାବରେ ଗିରଫ କରାଯାଇଥିବା  ହେତୁ କର୍ଣ୍ଣାଟକ ସରକାର ଚଳିତ ବର୍ଷ ଜୁନ୍ ମାସରେ ତାଙ୍କୁ ଏହି ଅର୍ଥ ପ୍ରଦାନ କରିଛନ୍ତି।

 ହିରୋତୋସି ତାନାକା (Hirotoshi Tanaka) ନାମକ ଜାପାନୀ ଯୁବକ ୨୦୧୯ରେ ଇଂରାଜୀ ପଢ଼ିବା ପାଇଁ ବେଙ୍ଗାଲୁରୁର ଏକ ପ୍ରାଇଭେଟ୍ ଏକାଡେମୀକୁ ଆସିଥିଲେ। କ୍ଲାସ୍ ନିୟମିତ ହେଉ ନଥିବାରୁ ଅନୁଷ୍ଠାନର ନିର୍ଦ୍ଦେଶକଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା।

ପୁଲିସ୍ ତାଙ୍କ ବିରୋଧରେ ଜାମିନଯୋଗ୍ୟ ଦଫା ଲଗାଇ ଗିରଫ କରିଥିଲା। ଫଳରେ ତାଙ୍କୁ ବେଙ୍ଗାଲୁରୁ ସେଣ୍ଟ୍ରାଲ ଜେଲରେ ୧୯ ଦିନ ପାଇଁ ରହିବାକୁ ପଡ଼ିଥିଲା। ପରବର୍ତ୍ତୀ ସମୟରେ ତାଙ୍କୁ ଡିଟେନସନ୍ ସେଣ୍ଟରକୁ ପଠାଯାଇ ୨୦୨୧ରେ ଜାପାନ ଫେରାଇ ଦିଆଯାଇଥିଲା।

କର୍ଣ୍ଣାଟକ ରାଜ୍ୟ ମାନବାଧିକାର କମିଶନ୍ (KSHRC) ଦର୍ଶାଇଛନ୍ତି ଯେ, ଜାମିନଯୋଗ୍ୟ ମାମଲା ଥାଇ ମଧ୍ୟ ତାନାକାଙ୍କୁ ବେଆଇନ ଭାବରେ ବିଚାର ବିଭାଗୀୟ ହାଜତରେ ରଖାଯାଇଥିଲା। କମିଶନ୍ କର୍ଣ୍ଣାଟକ ସରକାରଙ୍କୁ କ୍ଷତିପୂରଣ ଦେବା ସହ ଦୋଷୀ ପୁଲିସ୍ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଜୁନ୍ ୨୨ରେ ତାନାକାଙ୍କ ଭାରତୀୟ ଆଇନଜୀବୀ ପୁଲିସଠାରୁ ୭୫,୦୦୦ ଟଙ୍କା ଗ୍ରହଣ କରିଥିଲେ। ତାନାକାଙ୍କର ଭାରତୀୟ ଆକାଉଣ୍ଟ ନଥିବାରୁ ଜୁନ୍ ୨୩ରେ ଏହି ଅର୍ଥ ତାଙ୍କ ଭାରତୀୟ ପତ୍ନୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଛି।