ନୂଆଦିଲ୍ଲୀ: ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଜାପାନ ପାଖରେ ଯେଉଁ ସେବାର ଅଭାବ ଥିଲା, ବର୍ତ୍ତମାନ ତାହାକୁ ପୂରଣ କରିବା ପାଇଁ ଟୋକିଓ ପ୍ରସ୍ତୁତି ଚଳାଇଛି। ଜାପାନ ଏକ କେନ୍ଦ୍ରୀୟ ଗୁପ୍ତଚର ସଂସ୍ଥା (Intelligence Agency) ଗଠନ କରିବାକୁ ଯାଉଛି। 'ଦ ନ୍ୟୁୟର୍କ ଟାଇମ୍ସ'ର ଏକ ରିପୋର୍ଟ ଅନୁଯାୟୀ, ଏହି ଏଜେନ୍ସି ଗଠନ ପାଇଁ ଜାପାନ ନିଜର ସହଯୋଗୀ ଦେଶ ଯେପରିକି ଆମେରିକା, ଅଷ୍ଟ୍ରେଲିଆ ଏବଂ ଜର୍ମାନୀ ଠାରୁ ପରାମର୍ଶ ଲୋଡ଼ିଛି।

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଯେତେବେଳେ ଆମେରିକୀୟ ସେନା ଜାପାନର ସୁରକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦେଇଥିଲେ, ସେବେଠାରୁ ଜାପାନର ଗୁଇନ୍ଦା ବିଭାଗରେ ଏହି ଶୂନ୍ୟତା ସୃଷ୍ଟି ହୋଇଥିଲା। ସେହି ସମୟ ପରଠାରୁ ଜାପାନ ନିଜ ସୀମା ବାହାରୁ କୌଣସି ବି ପ୍ରକାରର ଗୁପ୍ତ ସୂଚନା ବା ଇଣ୍ଟେଲିଜେନ୍ସ ପାଇଁ ସମ୍ପୂର୍ଣ୍ଣ ଭାବରେ ଆମେରିକା ଉପରେ ନିର୍ଭର କରୁଥିଲା।

ଦଶନ୍ଧି ଦଶନ୍ଧି ବିତିଯାଇଥିଲେ ମଧ୍ୟ ଜାପାନର ଗୁଇନ୍ଦା କାର୍ଯ୍ୟକଳାପ ଏବେ ବି ବିଭିନ୍ନ ବିଭାଗ ମଧ୍ୟରେ ବିକ୍ଷିପ୍ତ ହୋଇ ରହିଛି। ପ୍ରତିରକ୍ଷା କର୍ମଚାରୀ, କୂଟନୀତିଜ୍ଞ, ପୋଲିସ ବିଭାଗ ଏବଂ ଅନ୍ୟାନ୍ୟ ସଂସ୍ଥାମାନେ ନିଜ ନିଜ ସ୍ତରରେ ତଥ୍ୟ ସଂଗ୍ରହ ଓ ଅନୁଧ୍ୟାନ କରନ୍ତି। ସେମାନେ ପରଷ୍ପର ମଧ୍ୟରେ ଏହି ଗୁପ୍ତ ତଥ୍ୟଗୁଡ଼ିକୁ ସେୟାର୍ କରନ୍ତି ନାହିଁ। ସମନ୍ୱୟର ଏହି ଅଭାବ ଯୋଗୁଁ ଜାପାନ ବାହ୍ୟ ଶତ୍ରୁଙ୍କ ସହଜ ଶିକାର ହେଉଛି ଜାପାନ।

'ଦ ନ୍ୟୁୟର୍କ ଟାଇମ୍ସ' ଗତ ରବିବାର ପ୍ରକାଶ କରିଥିବା ରିପୋର୍ଟ ଅନୁଯାୟୀ, ରୁଷିଆ ବର୍ତ୍ତମାନ ଜାପାନକୁ ନିଜର ଗୁପ୍ତଚରମାନଙ୍କ ପାଇଁ ଏକ ପ୍ରମୁଖ ସ୍ଥାନ ଭାବରେ ବ୍ୟବହାର କରୁଛି। ରୁଷିଆ ଜାପାନରୁ ନିଜର ଅସ୍ତ୍ରଶସ୍ତ୍ର ପାଇଁ ଆବଶ୍ୟକୀୟ ଯନ୍ତ୍ରାଂଶ ସଂଗ୍ରହ କରୁଛି। ସେହି ସାମଗ୍ରୀଗୁଡ଼ିକୁ ଗୁପ୍ତରେ ନିଜ ଦେଶକୁ ପଠାଇବା ସହ ନିଜ ଉପରେ ଲାଗିଥିବା ଅନ୍ତର୍ଜାତୀୟ ପ୍ରତିବନ୍ଧକରୁ ବଞ୍ଚିବା ପାଇଁ ଜାପାନ ମାଟିର ବ୍ୟବହାର କରୁଛି।

ଅନ୍ୟ ଦେଶର ସରକାରମାନେ ଏହି ବିପଦ ସମ୍ପର୍କରେ ଜାପାନକୁ ସିଧାସଳଖ ଚେତାବନୀ ଦେବା ପରେ, ଟୋକିଓ ଏବେ ନିଜର ସୁରକ୍ଷା ଓ ସାର୍ବଭୌମତ୍ୱ ରକ୍ଷା ପାଇଁ ଏହି ନୂତନ ଏବଂ ପ୍ରଥମ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ପ୍ରତିଷ୍ଠା ଦିଗରେ କାର୍ଯ୍ୟ କରୁଛି।