ଯାଜପୁର: ଇତିହାସର ମୁକସାକ୍ଷୀ ଅଠରନଳା ଅବହେଳିତ । ସୁରକ୍ଷା ଖୋଜୁଥିବା ଏହି ପୈାରାଣିକ ଓ ଐତିହ୍ୟ ସମ୍ପନ୍ନ ସେତୁ ଦିନକୁ ଦିନ ହେଉଛି ଅସୁରକ୍ଷିତ । ଏଭଳି ଏକ କିର୍ତ୍ତୀରାଜି ହେଉଛି ଯାଜପୁରର ଐତିହାସିକ କିମ୍ବଦନ୍ତୀ ଅଠରନଳା ପୋଲ । ଯାହାକୁ ଦେଖିଲେ ଲାଗୁଛି, ଐତିହ୍ୟର ସୁରକ୍ଷା କେବଳ ସାଇନ୍ ବୋର୍ଡରେ ସୀମିତ। ଅଠରନଳା ସେତୁକୁ କେବେ ସୁରକ୍ଷା ଦେବାରେ ସକ୍ଷମ ହେବ ଜିଲ୍ଲା ପ୍ରଶାସନ । ଦିନକୁ ଦିନ ଏହା ଦୁର୍ବଳ ହେଉଥିବା ବେଳେ ହଜାର ହଜାର ଗାଡ଼ି ଯାଆସ କରୁଥିବାରୁ ଏବେ ବିପଦ ସୃଷ୍ଟି କରିଛି। ପୈାରାଣିକ ଓ ଐତିହାସିକ କିମ୍ବଦନ୍ତି ବହନ କରୁଥିବା ଏହି ପୋଲର ସୁରକ୍ଷା ଭାରତୀୟ ପ୍ରତତ୍ନତ୍ୱ ବିଭାଗ ହାତକୁ ନେଇଥିବା ବେଳେ ପୁର୍ବ ସରକାରରେ ଏହାର ସୁରକ୍ଷା ଲାଗି ପୁର୍ତ ବିଭାଗ ଦ୍ୱାରା ବାଇପାସ ରୋଡ୍ କରାଯାଇ ଏହି ସେତୁ ଉପରେ ୨୦କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି ଅତ୍ୟାଧୁନିକ ସେତୁ । ହେଲେ ତାହାର କାର୍ଯ୍ୟ ଆଜି ବି ସରୁନି କି ଭାରିଯାନରୁ ମୁକ୍ତି ପାଉନି ଏହି ପୁରାତନ ସେତୁଟି। ଅଠରନଳାରେ ଅଠରଟି ଫୁକାର ଥିବା ବେଳେ ଏବେ ୧୧ଟି ଦୃଶ୍ୟମାନ। ପ୍ରତ୍ୟେକ ନାଳରେ ଅର୍ଦ୍ଧନାରୀଶ୍ୱର ଦେବତା ଏକପାଦ ଭୈରବ ଭଳି ଅନେକ ଦେବାଦେବୀଙ୍କ ସ୍ଥାପତ୍ୟ ରହିଥିଲା । ପଥର ବେଷ୍ଟିତ ଏହି ସେତୁରେ ଫାଟ ଦେଖାଯାଉଥିବା ବେଳେ ପ୍ରତ୍ୟେକ ଦିନ ହଜାର ହଜାର ଗାଡ଼ି ସହ ଭାରିଯାନ ଯାଉଥିବାରୁ ଏହା ଦବୁଥିବା ଗବେଷକ କହିଛନ୍ତି । ତେଣୁ ଏହାର ସୁରକ୍ଷା କରାଯିବା ଆବଶ୍ୟକ ବୋଲି ଗବେଷକ ଦାବି କରିଛନ୍ତି।

 Also Read-ପୋଷ୍ଟମ୍ୟାନଙ୍କ ‘ଲଭ୍, ସେକ୍ସ ଓ ଧୋକା’ର କାହାଣୀ; ବନ୍ଧୁକ ଦେଖାଇ ମହିଳାଙ୍କ ସହ ରଖୁଥିଲେ ଶାରୀରିକ ସମ୍ପର୍କ, ବାବୁ ଗିରଫ

ଯାଜପୁର ବିରଜା କ୍ଷେତ୍ରକୁ ଯିବା ଲାଗି ବୈତରଣୀର ଶାଖା ମନ୍ଦାକିନି ନଦୀ ଉପରେ ଏହି ପୋଲର ନିର୍ମାଣ କରାଯାଇଥିଲା । ୧୮ ଟି ଫୁକାର ଥିବାରୁ ଏହାର ନାମକରଣ ଅଠରନାଳ ହୋଇଛି । ପୁର୍ବରୁ ଅନେକ ସ୍ଥାପତ୍ୟ ଓ ଦେବାଦେବୀଙ୍କ ଦୁର୍ଲଭ ମୁର୍ତ୍ତୀ ବି ଥିଲା ବର୍ତମାନ ସେଥି ମଧ୍ୟରୁ ଅଧିକାଂଶ ଦେଖାଯାଉନି । ବର୍ଷ ବର୍ଷର ପୁରୁଣା ସେତୁର ପଥର ଖଣ୍ଡ ଦୁର୍ବଳ ହୋଇ ଫାଟିଗଲାଣି । ସେପଟ ଏହାକୁ ସୁରକ୍ଷିତ ରଖିବା ଲାଗି ଏକ ବାଇପାସ ବୈଦ୍ୟରାଜ ପୁର ନିକଟରେ ନିର୍ମାଣ କରାଯାଇଥିଲେ ବି ଚାରି ବର୍ଷ ହେବ କାମ ଆଗେଇ ପାରିନି । ଯାଜପୁରର ପୁରାତନ ଐତିହ୍ୟକୁ ନଷ୍ଟ କରିବାକୁ ଦିଆଯିବନି ଏହାର ସୁରକ୍ଷା ଲାଗି ପଦକ୍ଷେପ ନିଆଯିବ ବୋଲି ସାଂସଦ କହିଥିବା ବେଳେ ଜିଲ୍ଲପାଳ କହିଛନ୍ତି ଏହାର ସୁରକ୍ଷା ଲାଗି ନିର୍ମିତ ସେତୁ ଏକା ପ୍ରକାର ସରିଛି କେବଳ ଜମି ଅଧିଗ୍ରହଣ ଲାଗି କିଛି କିଛି ସମସ୍ୟା ରହିଛି । ଖୁବଶୀଘ୍ର ତାହାର ସମାଧାନ କରାଯାଇ ଅଠରନାଳକୁ ସୁରକ୍ଷିତ କରାଯିବ । ଶ୍ରୀକ୍ଷେତ୍ର ଭଳି ଯାଜପୁରର ଅଠରନାଳ ପୋଲକୁ ପ୍ରଶାସନ ଗୁରୁତ୍ୱ ଦେଇ ସୁରକ୍ଷା ଓ ସଂରକ୍ଷିତ କରିବାକୁ ବୋଲି ବୁଦ୍ଧିଜୀବି ଦାବି କରିଛନ୍ତି ।