ନୂଆଦିଲ୍ଲୀ ୧୬।୦୯; ରାଜସ୍ଥାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ।ଜୟପୁର-ଫାଲୋଡି ମେଗା ହାଇୱେରେ ଡମ୍ପର ଓ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା। ସକାଳ ପ୍ରାୟ ୫ଟା ସମୟରେ ଘଟିଥିଲା ଏହି ଛାତିଥରା ଦୁର୍ଘଟଣା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର୍ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚୁରମାର୍ ହୋଇଯାଇଥିଲା। ଭିତରେ ଫସି ରହିଥିଲେ ଯାତ୍ରୀ। ଉଦ୍ଧାର ପାଇଁ ଦୌଡ଼ି ଆସିଥିଲେ ସ୍ଥାନୀୟ ଲୋକ ଓ ପୋଲିସ। ହେଲେ ସେତେବେଳକୁ ସବୁ କିଛି ସରିଯାଇଥିଲା।

ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାଉଥିଲା କାର୍। ଠିକ୍ ଏହି ସମୟରେ ବିପରୀତ ଦିଗରୁ ଆସିଥିଲା ଏକ ଦ୍ରୁତଗାମୀ ଡମ୍ପର ଟ୍ରକ୍। ଆଉ ଆଖି ପିଛୁଳାକେ ଉଭୟ ଗାଡି ମଧ୍ୟରେ ହୋଇଥିଲା ମୁହାଁମୁହିଁ ଧକ୍କା। ଧକ୍କାର ତୀବ୍ରତା ଏତେ ଅଧିକ ଥିଲା ଯେ କାର୍ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାବେ ଚୁରମାର୍ ହୋଇଯାଇଥିଲା। ଗାଡ଼ି ଭିତରେ ଫସି ଯାଇଥିଲେ ଯାତ୍ରୀ। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଖେଳିଯାଇଥିଲା ଆତଙ୍କର ମାହୋଲ୍। ସୂଚନା ପାଇ ସ୍ଥାନୀୟ ଲୋକଙ୍କ ସହ ପୋଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ। ଭଙ୍ଗା କାର୍ ଭିତରୁ ଯାତ୍ରୀଙ୍କୁ ବାହାର କରିବାକୁ କରାଯାଇଥିଲା ପ୍ରୟାସ।

କିନ୍ତୁ ଦୁର୍ଭାଗ୍ୟ... ଚାରି ଜଣ ଯାତ୍ରୀଙ୍କ ଜୀବନ ଦୁର୍ଘଟଣାସ୍ଥଳରେ ହିଁ ଶେଷ ହୋଇଯାଇଥିଲା। ପ୍ରାଥମିକ ତଦନ୍ତ ଓ ପରିଚୟରୁ ଜଣାପଡ଼ିଛି, ମୃତ ଚାରିଜଣ ଯାକ ଝୁଞ୍ଜୁନୁ ଜିଲ୍ଲାର ବାସିନ୍ଦା। ଘଟଣା ପରେ ପୋଲିସ ମୃତଦେହଗୁଡ଼ିକୁ ନିଜ ଅଧୀନକୁ ନେଇ ନିକଟସ୍ଥ ଡାକ୍ତରଖାନାର ଶବଗୃହକୁ ପଠାଇଛି। ଏନେଇ ମୃତକଙ୍କ ପରିବାରବର୍ଗଙ୍କୁ ମଧ୍ୟ ସୂଚନା ଦିଆଯାଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣା ପରେ ଏବେ ଶୋକରେ ବୁଡ଼ିଛନ୍ତି ମୃତକଙ୍କ ପରିବାର। ପୋଲିସ ପକ୍ଷରୁ ବର୍ତ୍ତମାନ ଘଟଣାର ଅଧିକ ତଦନ୍ତ ଜାରି ରହିଛି।