ଜଗତସିଂହପୁର: ଲଗାଣ ବର୍ଷା ଯୋଗୁଁ ଜଗତସିଂହପୁର ବ୍ଲକ୍ର ନଛିପୁର ଗାଁରେ ସୃଷ୍ଟି ହୋଇଛି ଭୟଙ୍କର ଜଳବନ୍ଦୀ ପରିସ୍ଥିତି। ଯାହାନପୁର ପଞ୍ଚାୟତର ଏହି ଗ୍ରାମରେ ବହୁ ଲୋକଙ୍କ ଘର ଭିତରେ ବର୍ଷାପାଣି ପଶିଯାଇଥିବା ବେଳେ ଗ୍ରାମବାସୀଙ୍କ ଜୀବନଯାତ୍ରା ସମ୍ପୂର୍ଣ୍ଣ ବ୍ୟାହତ ହୋଇପଡ଼ିଛି।

ଚୁଲି ଜଳୁନି, ଚୂଡ଼ା ଖାଇ କାଟୁଛନ୍ତି ଦିନ

ଘର ଭିତରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଥିବାରୁ ଅନେକ ପରିବାରରେ ଚୁଲି ଜଳିପାରୁ ନାହିଁ। ରନ୍ଧାଖାଦ୍ୟ ନପାଇ ଗ୍ରାମବାସୀ ବାଧ୍ୟ ହୋଇ ଦୋକାନରୁ ଚୂଡ଼ା କିଣି ଖାଇ ଦିନ କାଟୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ବିଶେଷକରି ଗାଁର ଦୁଇଟି ପରିବାର ଏହି ବନ୍ୟାପାଣି ଯୋଗୁଁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି।

Also Read: ଲୋୟର ସୁକତେଲରେ ବଢ଼ୁଛି ଜଳସ୍ତର: ଖୋଲିଲା ୪ଟି ଗେଟ୍, ଜଳବନ୍ଦୀ କୁମିଆପାଲି ଗାଁ

ଗାଁ ରାସ୍ତାଘାଟ ଓ ଦାଣ୍ଡରେ ପାଣି ଜମି ରହିଥିବାରୁ କୋମଳମତି ଶିଶୁମାନେ ବିଦ୍ୟାଳୟକୁ ଯିବାଆସିବା କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାଣି ଭିତରେ ଗାଡ଼ି ଓ ପାଦରେ ଚାଲିଯିବା ଅତ୍ୟନ୍ତ ବିପଜ୍ଜନକ ହୋଇପଡ଼ିଛି। ସବୁଠାରୁ ଦୁଃଖର ବିଷୟ ହେଉଛି, ଏପରି ସଙ୍କଟଜନକ ସ୍ଥିତି ସତ୍ତ୍ୱେ ଜିଲ୍ଲା ପ୍ରଶାସନର କୌଣସି ଅଧିକାରୀ କିମ୍ବା ପ୍ରତିନିଧି ଏପର୍ଯ୍ୟନ୍ତ ଗାଁରେ ପହଞ୍ଚି ନାହାନ୍ତି। ପ୍ରଶାସନର ଏହି ଅଣଦେଖାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସହାୟତା ପାଇଁ ଗ୍ରାମବାସୀଙ୍କ ଆକୁଳ ନିବେଦନ

ପ୍ରଭାବିତ ପରିବାରଗୁଡ଼ିକୁ ତୁରନ୍ତ ଉଦ୍ଧାର କରି କୌଣସି ସୁରକ୍ଷିତ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏହାସହ ଦୁର୍ଦ୍ଦଶାଗ୍ରସ୍ତ ଲୋକଙ୍କ ପାଇଁ ତୁରନ୍ତ ଶୁଖିଲା ଖାଦ୍ୟ, ସୁଦ୍ଧ ପାନୀୟ ଜଳ ଓ ଜରୁରୀ ରିଲିଫ୍ ସାମଗ୍ରୀ ଯୋଗାଇ ଦେବାକୁ ପ୍ରଶାସନ ନିକଟରେ ନିବେଦନ କରାଯାଇଛି।