ପୁରୀ: ସମୁଦ୍ର ଢେଉରେ ଭାସିଲେ ମହାବାହୁ । ଭାସିଲେ ନୁହେଁ ଭାସି ଆସିଲେ ବିଗ୍ରହ । ହଁ ମହୋଦଧି ତଟରେ ମନେ ହେଉଥିବା ଏହି ନିଆରା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ । ଦୃଶ୍ୟରେ ପ୍ରଭୁ ଜଗନ୍ନାଥଙ୍କ ଏକ ବିଗ୍ରହ ଭାସି ଆସୁଛନ୍ତି । ସମୁଦ୍ର ତଟରେ ବୁଲୁଥିବା ଜଣେ ବ୍ୟକ୍ତି ତାହା ଦେଖି ଦୈାଡି ଯାଉଛନ୍ତି ସମୁଦ୍ର ଭିତରକୁ । ଆଉ ବିଗ୍ରହକୁ ଧରିବା ପରେ ବି ସେ ଆଣି ପାରୁନାହାନ୍ତି, ଆଉ ପାଟି କରି ଡାକୁଛନ୍ତି ଅନ୍ୟ ମାନଙ୍କୁ । ତାପରେ ଜଣକ ପରେ ଜଣେ ଢେଉ ମାଡରେ ଭାସି ଆସୁଥିବା ଜଗନ୍ନାଥଙ୍କ ବିଗ୍ରହଙ୍କ ପାଖରେ ପହଞ୍ଚି ଯାଉଛନ୍ତି ।

ଜଣେ ଦୁଇ ଜଣ ଏପରିକି ତିନି ଜଣ ଚେଷ୍ଟା କରୁଛନ୍ତି ବିଗ୍ରହଙ୍କୁ ଉଠାଇ ଆଣିବାକୁ । କିନ୍ତୁ ପାରୁ ନାହାନ୍ତି । ବଳିଆର ଭୂଜକୁ ବା କିଏ ସହଜେ ଉଠାଇ ପାରିବ?  ବେଶ୍ ଓଜନିଆ ମନେ ହେଉଥିବା ମୂର୍ତ୍ତୀ ଟିକୁ ୫ରୁ ୬ ଜଣ ବ୍ୟକ୍ତି ଧରି ଧରି ପାଣିରୁ ବାଲି ଉପରକୁ ଆଣୁଛନ୍ତି। ସେପଟେ ଚିତ୍ରରୁ ଦେଖାଯାଉଛି, ଭିଡ଼ ବଢୁଛି । ବଢି ବଢି ଚାଲୁଛି ।ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଚିତ୍କାର ସାଙ୍ଗକୁ ଫଟୋ , ସେଲଫି ଉଠାଇବାର ଏକ ପ୍ରକାର ପ୍ରତିଯୋଗିତ ଲାଗିଯାଉଛି। ଏ ଦୃଶ୍ୟ ମହୋଦଧି ତଟର । କିନ୍ତୁ କେଉଁଠୁ ଓ କିପରି ଜଗନ୍ନାଥଙ୍କ ଏତେ ବଡ ବିଗ୍ରହ ଭାସି ଆସିଲା ତାହା ସ୍ପଷ୍ଟ ହୋଇନାହିଁ ।

ଏହା ବି ସ୍ପଷ୍ଟ ହୋଇନି ଠାକୁରଙ୍କୁ ନେଇଗଲେ କିଏ ବା କେଉଁଠାରେ ରଖାହେଲେ ସେ ? କିନ୍ତୁ ଏହା ସତ ଯେ, ମହୋଦଧିରେ ଭାସୁଥିବା ଜଗନ୍ନାଥଙ୍କ ମୂର୍ତ୍ତିଙ୍କର ଏହି ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ଦେଖିବାକୁ ମିଳିଛି। ହଁ କିଛି ଶ୍ରଦ୍ଧାଳୁ କୁହନ୍ତି , ମନୁଆ ଠାକୁର କେବେ , କେଉଁଠୁ , କିପରି ସେ ଆସିବେ ତାହା କେହି ଜାଣେନି । ପୁରାଣ କଥା ଅନୁସାରେ ସେ ତ ଦିନେ ଦାରୁ ରୂପରେ ସମୁଦ୍ରରେ ଭାସି ଆସିଥିଲେ ।ଆଉ ଏବେ ମୂର୍ତ୍ତି ରୂପରେ । ବଡ ଅପରାମ୍ପର ଲୀଳା ତାଙ୍କର ।