ନୂଆଦିଲ୍ଲୀ, ୦୮/୦୧: ୨୦୨୫ରେ ଖେଳାଯାଇଥିଲା ଏସିଆ କପ୍ । ଟୁର୍ଣ୍ଣାମେଣ୍ଟର ଚାମ୍ପିଅନ୍ ହୋଇଥିଲା ଟିମ୍ ଇଣ୍ଡିଆ । ପାକିସ୍ତାନକୁ ଫାଇନାଲରେ ଦେଇଥିଲା ମାତ୍ । ତିଲକ ବର୍ମାଙ୍କ ବ୍ୟାଟିଂରେ ଜବରଦସ୍ତ ବିଜୟ ହାସଲ କରିଥିଲା ଭାରତ । ତେବେ ଏହି ଟୁର୍ଣ୍ଣାମେଣ୍ଟ ଥିଲା ଖୁବ୍ ଖାସ୍ । କାରଣ ପଡିଆରେ ମୁହାଁମୁହିଁ ହୋଇଥିଲେ ଭାରତ-ପାକିସ୍ତାନ ଖେଳାଳି । କେହି କାହାକୁ କରିନଥିଲେ ହ୍ୟାଣ୍ଡସେକ୍ । ଭାରତ ଟାଇଟଲ ଜିତିବା ପରେ ଏସିଆନ୍ କ୍ରିକେଟ୍ କାଉନସିଲର ପାକିସ୍ତାନୀ ମୁଖ୍ୟ ମୋହସିନ୍ ନକଭିଙ୍କଠୁ ଟ୍ରଫି ଗ୍ରହଣ କରିନଥିଲା ।

ଏସିଆ କପ୍ ପରେ ଟ୍ରଫି ନେଇଯାଇଥିଲେ ନକଭି । ଭାରତକୁ ଦେଇନଥିଲେ ଟାଇଟଲ୍ । ତେବେ ଏହାକୁ ନେଇ ମୁହଁ ଖୋଲିଛନ୍ତି ଓ୍ୱେଷ୍ଟ୍ ଇଣ୍ଡିଜ୍ ଅଲରାଉଣ୍ଡର ଜାସନ୍ ହୋଲ୍ଡର । ଘଟଣାକୁ ସେ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ମଧ୍ୟ କହିଛନ୍ତି ।

କ୍ରିକବଜର ଏକ ପୋଡକାଷ୍ଟରେ ସେ କହିଛନ୍ତି ଯେ, ପାକିସ୍ତାନ ଏବଂ ଭାରତ ମଧ୍ୟରେ ଯାହା ହୋଇଛି ତାହାକୁ ସେ ପସନ୍ଦ କରନ୍ତିନି । ଭାରତ ଫାଇନାଲ ଜିତିଲା । କିନ୍ତୁ ସେମାନେ ଟ୍ରଫି ଗ୍ରହଣ କଲେନି । ଏହା ବହୁତ ଅଧିକ ହୋଇଯାଉଛି। ଏହାସହ କିପରି ରାଜନୀତି କ୍ରିକେଟକୁ କବଳିତ କରିଦେଇଛି ବୋଲି ସେ ପୋଡକାଷ୍ଟରେ ପ୍ରକାଶ କରିଛନ୍ତି । ପାକିସ୍ତାନୀ ଖେଳାଳିଙ୍କୁ ଟି୨୦ ଲିଗରେ ଅଧିକ ସୁଯୋଗ ମିଳୁନି । କାରଣ ଅଧିକରୁ ଅଧିକ ଲିଗରେ ଭାରତୀୟଙ୍କ ସେୟାର ରହୁଥିବା ହୋଲ୍ଡର କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଆଇପିଏଲଠୁ ଆରମ୍ଭ କରି ଅନେକ ବିଶ୍ୱ କ୍ରିକେଟର ଟି୨୦ ଲିଗରେ ପାକିସ୍ତାନୀଙ୍କୁ ସୁଯୋଗ ମିଳୁନି । ଏହା ଦୁଃଖର କଥା । ଆଗକୁ ଭଲ ଉଦାହରଣ ସୃଷ୍ଟି କରିବାକୁ ହେଲେ ସମସ୍ତଙ୍କୁ ଏକାଠି ହେବାକୁ ପଡିବ । ଦୀର୍ଘଦିନ ଧରି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି । କ୍ରିକେଟ୍ ଏହାକୁ କମାଇପାରିବ । ଯଦି ଉଭୟ ଦେଶର ସମ୍ପର୍କରେ ସୁଧାର ଆସିବ ତେବେ କ୍ରିକେଟରୁ ଏହା ଆରମ୍ଭ ହେବ ।

ହୋଲ୍ଡର ଆହୁରି କହିଛନ୍ତି ଯେ, ଫ୍ୟାନ୍ସ କେବେହେଲେ ସେମାନଙ୍କ ଫେଭରେଟ୍ ଖେଳାଳି ଏପରି ବ୍ୟବହାର କରୁଥିବା ଦେଖିବା ପସନ୍ଦ କରିବେ ନାହିଁ । ଏହା ଫ୍ୟାନ୍ସଙ୍କୁ ପ୍ରଭାବିତ କରିପାରେ । ତେବେ ଉଭୟ ଦେଶ ଖୁବ୍ ସୁନ୍ଦର । ତେଣୁ ଖେଳରେ ଏପରି ଆଚରଣ ସମସ୍ତଙ୍କୁ ଆଘାତ ଦେଇଛି । କ୍ରିକେଟ୍ ସହ ଦୁଇ ଦେଶ ମଧ୍ୟରେ ଭଲ ସମ୍ପର୍କ ରହୁ ବୋଲି ସେ ଆଶା କରିଛନ୍ତି ।