ତେଲାଆଭିଭ: ଆମେରିକା-ଇରାନ ବାର୍ତ୍ତା ବିଫଳ ହେବା ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ବଡ଼ ବୟାନ।ସେ କହିଛନ୍ତି ଯେ ଇରାନ ବିରୋଧରେ ଅଭିଯାନ ଦ୍ୱାରା ତାର ପରମାଣୁ ଓ ବାଲିଷ୍ଟିକ୍ ମିଜାଇଲ କାର୍ଯ୍ୟକ୍ରମକୁ ଦଳି ଦିଆଯାଇଛି। ନେତନ୍ୟାହୁ କହିଛନ୍ତି ଏହି ଅଭିଯାନ ଏବେ ଶେଷ ହୋଇ ନାହିଁ। ତେବେ ଏହା ପୂର୍ବରୁ ସ୍ପଷ୍ଟ ଯେ ଆମେ ଐତିହାସିକ ଉପଲବ୍ଧି ହାସଲ କରିଛୁ। ଇରାନ ଆମକୁ ଚାରିପଟୁ ଘେରି ଶ୍ୱାସରୁଦ୍ଧ କରିବାକୁ ଚାହୁଁଥିଲା। ଗାଜାରେ ହମାସ, ଲେବାନନରେ ହିଜବୁଲ୍ଲାହ, ସିରିୟାରେ ଅସଦ ଶାସନ, ଇରାକରେ ମିଲିସିୟା ଓ ୟେମେନରେ ହୁତୀଙ୍କ ଦ୍ୱାରା ଆମକୁ ଆକ୍ରାନ୍ତ କରୁଥିଲା।

ସେ କହିଛନ୍ତି ଯେ ଇରାନ ଆମ ତଣ୍ଟି ଚିପିବାକୁ ଚେଷ୍ଟା କରୁଥିଲା, ହେଲେ ଏବେ ଆମେ ତା ଗଳା ଟିପି ଦେଇଛୁ। ସେମାନେ ଆମକୁ ସମାପ୍ତ କରିଦେବାକୁ ଧମକ ଦେଇଥିଲେ, ଏବେ ନିଜକୁ ବଞ୍ଚାଇବା ପାଇଁ ଲଢୁଛନ୍ତି। ଏହା ସବୁ ଫେବୃଆରୀ ୨୮ରେ ଇରାନ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ସହ ଆରମ୍ଭ ହୋଇଥିଲା। ନେତନ୍ୟାହୁ ସେତେବେଳେ ଏହି ଟିପ୍ପଣୀ କରିଛନ୍ତି ଯେତେବେଳେ ଶନିବାର ପାକିସ୍ତାନରେ ଆମେରିକା ଓ ଇରାନ ମଧ୍ୟରେ ଆଲୋଚନା ହେବା ଓ ରବିବାର ବିନା କୌଣସି ଫଳାଫଳରେ ସମାପ୍ତ ହେବା ପରେ ଆସିଛି।

ତେବେ ବାର୍ତ୍ତା ବିଫଳ ହେବା ନେଇ ଇରାନ ଏବେ ସବୁ ଦୋଷ ଆମେରିକା ଉପରେ ଲଦୁଛି। ଆମେରିକାର ଦାବି ଅନୁଚିତ ବୋଲି ଇରାନ କହିଛି। ଇରାନ ସରକାରୀ ଗଣମାଧ୍ୟମ ଆଇଆରଆଇବି ଇରାନୀ ପ୍ରତିନିଧି ମଣ୍ଡଳ କିଛି ପ୍ରସ୍ତାବ ସାମ୍ନାରେ ରଖିଥିଲେ। ହେଲେ ଆମେରିକୀ ପକ୍ଷ ଏହି ସବୁ ପ୍ରସ୍ତାବକୁ ଅଣଦେଖା କରିଛନ୍ତି। ଏଣୁ ଆଲୋଚନା ବିନା କୌଣସି ଫଳାଫଳରେ ସମାପ୍ତ ହୋଇଛି ବୋଲି କହିଛି।