ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଇସ୍ରାଏଲ ବଡ଼ ଦାବି କରିଛି। ଦକ୍ଷିଣ ଲେବାନନରେ ଥିବା ପ୍ରାୟ ୯୦୦ ବର୍ଷ ପୁରୁଣା ଏବଂ ଐତିହାସିକ 'ବ୍ୟୁଫୋର୍ଟ ଦୁର୍ଗ' (Beaufort Castle) ଏବଂ ଏହା ସହ ଜଡ଼ିତ ରଣନୈତିକ ପାହାଡ଼କୁ ଇଜ୍ରାଏଲ ନିଜ ନିୟନ୍ତ୍ରଣକୁ ନେଇଛି। ଇଜ୍ରାଏଲ ପ୍ରତିରକ୍ଷା ବାହିନୀର କହିବା ଅନୁସାରେ, ଏହି ଅଞ୍ଚଳଟି ଇରାନ ସମର୍ଥିତ ଆତଙ୍କବାଦୀ ସଂଗଠନ ହିଜବୁଲ୍ଲାର ଏକ ପ୍ରମୁଖ ଗଡ଼ ଥିଲା ଏବଂ ଏଠାରୁ ଇସ୍ରାଏଲ ଭୂଭାଗ ଉପରକୁ କ୍ରମାଗତ ଭାବେ ଆକ୍ରମଣ କରାଯାଉଥିଲା।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ସାମରିକ କାର୍ଯ୍ୟାନୁଷ୍ଠାନ ଏଭଳି ଏକ ସମୟରେ ହୋଇଛି ଯେତେବେଳେ ଏପ୍ରିଲ ମାସରୁ ଇସ୍ରାଏଲ ଏବଂ ହିଜବୁଲ୍ଲା ମଧ୍ୟରେ ଏକ ଯୁଦ୍ଧବିରତି (Ceasefire) ଚୁକ୍ତି ଲାଗୁ ରହିଛି। ଯୁଦ୍ଧବିରତିର ୬ ସପ୍ତାହରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ସମ୍ପୂର୍ଣ୍ଣ ଥମିନାହିଁ। ଇସ୍ରାଏଲ ସେନା ସୂତ୍ର ଅନୁଯାୟୀ, ଏହି ସ୍ୱତନ୍ତ୍ର ଅଭିଯାନର ମୂଳ ଉଦ୍ଦେଶ୍ୟ ଥିଲା ବ୍ୟୁଫୋର୍ଟ ରିଜ୍ ଏବଂ ୱାଦି ଅଲ-ସଲୁକି ଅଞ୍ଚଳ ଉପରେ ପୂର୍ଣ୍ଣ ପ୍ରଭୁତ୍ୱ ବିସ୍ତାର କରିବା।

ଇସ୍ରାଏଲ ଦାବି କରିଛି ଯେ, ହିଜବୁଲ୍ଲା ସଂଗଠନ ଇରାନର ପ୍ରତ୍ୟକ୍ଷ ସହାୟତାରେ ଏହି ଐତିହାସିକ ଦୁର୍ଗ ଏବଂ ଏହାର ଆଖପାଖ ଅଞ୍ଚଳକୁ ଏକ ସାମରିକ ବେସରେ ପରିଣତ କରିଥିଲା। ଏହି ଗୁପ୍ତ ସୂଚନା ମିଳିବା ପରେ ଇସ୍ରାଏଲ ହିଜବୁଲ୍ଲାର ସେହି ପ୍ରତିରକ୍ଷା ଢାଞ୍ଚା ଏବଂ ଅସ୍ତ୍ରଶସ୍ତ୍ର ଗୋଦାମଗୁଡ଼ିକୁ ଟାର୍ଗେଟ୍ କରି ଧ୍ୱଂସ କରିଦେଇଛି।

ଏହି ସଂଘର୍ଷପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ବେଳେ ଇସ୍ରାଏଲର ଜଣେ ସୈନିକ ପ୍ରାଣ ହରାଇଥିବା ସେନା ସ୍ୱୀକାର କରିଛି। ଅନ୍ୟପଟେ, ଦୁର୍ଗ ହରାଇବା ଏବଂ ଇସ୍ରାଏଲର ଏହି ଦାବି ଉପରେ ଲେବାନନ ସରକାର କିମ୍ବା ହିଜବୁଲ୍ଲା ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ। ଶନିବାର ଦିନ ହିଜବୁଲ୍ଲା ପକ୍ଷରୁ କରାଯାଇଥିବା ବ୍ୟାପକ ଆକ୍ରମଣ ପରେ ଇଜ୍ରାଏଲ ସେନା ଏହି ପାଲଟା ଜବାବ ଦେଇଛି। ଇଜ୍ରାଏଲର କହିବା ଅନୁସାରେ, ଏପ୍ରିଲରେ ଯୁଦ୍ଧବିରତି ଲାଗୁ ହେବା ପରେ ଶନିବାର ଦିନ ହିଜବୁଲ୍ଲା ଉତ୍ତର ଇଜ୍ରାଏଲ ଅଞ୍ଚଳକୁ ଲକ୍ଷ୍ୟ କରି ସବୁଠାରୁ ଅଧିକ ସଂଖ୍ୟକ ରକେଟ୍ ଏବଂ ଡ୍ରୋନ୍ ମାଡ଼ କରିଥିଲା।

ହିଜବୁଲ୍ଲାର ଏହି ଆକ୍ରମଣ ପରେ ଉତ୍ତର ଇସ୍ରାଏଲର କେତେକ ପ୍ରମୁଖ ସହରରେ ସାଇରନ୍ ବାଜି ଉଠିଥିଲା। ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ଅଞ୍ଚଳରେ ଥିବା ସମସ୍ତ ସ୍କୁଲ ଓ ଶିକ୍ଷାନୁଷ୍ଠାନକୁ ସଙ୍ଗେ ସଙ୍ଗେ ବନ୍ଦ କରିଦିଆଯାଇଥିଲା ଏବଂ ସାଧାରଣ ନାଗରିକଙ୍କ ଯାତାୟାତ ଉପରେ କଟକଣା ଜାରି କରାଯାଇଥିଲା। ଇସ୍ରାଏଲର ସାମରିକ ରଣନୀତିଜ୍ଞମାନଙ୍କ ଅନୁସାରେ, ବ୍ୟୁଫୋର୍ଟ ଦୁର୍ଗ ଏବଂ ଏହା ନିକଟରେ ଥିବା ପାହାଡ଼ିଆ ଅଞ୍ଚଳ ଭୌଗୋଳିକ ଦୃଷ୍ଟିରୁ ଅତ୍ୟନ୍ତ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ।