ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନା ସମୟରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। 'ଦି ନ୍ୟୁୟର୍କ ଟାଇମ୍ସ'ର ଏକ ରିପୋର୍ଟ ଅନୁସାରେ, ଇରାନର ଶାନ୍ତି ଆଲୋଚନାକାରୀଙ୍କୁ ହତ୍ୟା କରିବା ପାଇଁ ଇସ୍ରାଏଲର ଯୁଦ୍ଧ ବିମାନଗୁଡ଼ିକ ଇରାନର ଆକାଶମାର୍ଗରେ ପ୍ରବେଶ କରିଥିଲେ। ଏହି ଘଟଣା ଯୋଗୁଁ ଆମେରିକା ପ୍ରଶାସନ ଅତ୍ୟନ୍ତ ଚିନ୍ତିତ ହୋଇପଡ଼ିଥିଲା। ୨୦୨୬ ଏପ୍ରିଲ ମାସରେ ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ଆଲୋଚନା ଚାଲିଥିଲା। ଏହି ସମୟରେ ଇସ୍ରାଏଲ୍, ଇରାନର ଦୁଇଜଣ ଶୀର୍ଷ ନେତା ଓ ଆଲୋଚନାକାରୀଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା ।

ଇରାନର ବୈଦେଶିକ ମନ୍ତ୍ରୀ, ଅବାସ ଆରାଘଚି ଏବଂ ଇରାନ ସଂସଦର ବାଚସ୍ପତି ମହମ୍ମଦ ବାଘେର ଗାଲିବାଫଙ୍କୁ ମାରିବାକୁ ଯୋଜନା କରିଥିଲା ଇସ୍ରାଏଲ । ଏହି ଦୁଇ ନେତା ପାକିସ୍ତାନର ଇସଲାମାବାଦରେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ସହ ଶାନ୍ତି ଆଲୋଚନା ସାରି ନିଜ ଦେଶକୁ ଫେରୁଥିବା ବେଳେ ଇସ୍ରାଏଲ୍ ସେମାନଙ୍କୁ ଆକ୍ରମଣ କରିବାକୁ ଲକ୍ଷ୍ୟ ରଖିଥିଲା। ଆମେରିକା ପ୍ରଶାସନ ଆଶଙ୍କା କରୁଥିଲା ଯେ, ଯଦି ଇସ୍ରାଏଲ୍ ଏହି ଶୀର୍ଷ ନେତାମାନଙ୍କୁ ହତ୍ୟା କରିବାରେ ସଫଳ ହୁଏ, ତେବେ ଚାଲିଥିବା ଶାନ୍ତି ଆଲୋଚନା ଅସମ୍ଭବ ହୋଇପଡ଼ିବ ଏବଂ ମଧ୍ୟପ୍ରାଚ୍ୟରେ ପୁଣି ଥରେ ଭୟଙ୍କର ଯୁଦ୍ଧ ଆରମ୍ଭ ହୋଇଯିବ।

ଆମେରିକାର ଅଧିକାରୀମାନେ ତୁରନ୍ତ ଆଞ୍ଚଳିକ ମଧ୍ୟସ୍ଥିମାନଙ୍କ ଜରିଆରେ ଇରାନକୁ ଏହି ସମ୍ଭାବ୍ୟ ବିପଦ ବିଷୟରେ ସତର୍କ କରାଇ ଦେଇଥିଲେ। ଆମେରିକା, ଇସ୍ରାଏଲକୁ ମଧ୍ୟ ଏଭଳି କୌଣସି ପଦକ୍ଷେପ ନନେବାକୁ କଡ଼ା ଚେତାବନୀ ଦେଇଥିଲା। ରିପୋର୍ଟ ଅନୁସାରେ, ଏପ୍ରିଲ ୧୨ ତାରିଖରେ ଯେତେବେଳେ ବାଚସ୍ପତି ଗାଲିବାଫ୍ ଇସଲାମାବାଦରୁ ତେହେରାନ ଫେରୁଥିଲେ, ଆମେରିକା ସୂଚନା ପାଇଲା ଯେ, ଦୁଇଟି ଇସ୍ରାଏଲ୍ ଯୁଦ୍ଧ ବିମାନ ଇରାକ ଦେଇ ଇରାନର ଆକାଶମାର୍ଗରେ ପ୍ରବେଶ କରିସାରିଛନ୍ତି ଏବଂ ଗାଲିବାଫଙ୍କ ବିମାନକୁ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛନ୍ତି।

ଆମେରିକା ଠାରୁ ଏହି ଗୁପ୍ତ ସୂଚନା ପାଇବା ମାତ୍ରେ ଇରାନର ସୁରକ୍ଷା ଅଧିକାରୀମାନେ ଆକାଶରେ ଥିବା ସେହି ବିମାନର ପାଇଲଟଙ୍କୁ ଯୋଗାଯୋଗ କରିଥିଲେ।  ବିମାନଟି ନିଜର ନିର୍ଦ୍ଧାରିତ ରୁଟ୍ ବଦଳାଇ ତେହେରାନ ବଦଳରେ ଉତ୍ତର ଇରାନର 'ମଶହାଦ୍' ସହରରେ ଜରୁରୀକାଳୀନ ଅବତରଣ କରିଥିଲା, ଫଳରେ ନେତାମାନଙ୍କ ଜୀବନ ବଞ୍ଚିଯାଇଥିଲା। ଏହି ସୁରକ୍ଷା ସଙ୍କଟ ଏତେ ଗମ୍ଭୀର ଥିଲା ଯେ, ସେମାନଙ୍କ ଗସ୍ତ ସମୟରେ ପାକିସ୍ତାନର ଯୁଦ୍ଧ ବିମାନଗୁଡ଼ିକ ଇରାନର ଏହି ପ୍ରତିନିଧି ଦଳର ବିମାନକୁ ସୁରକ୍ଷା ପ୍ରଦାନ କରି ଇସଲାମାବାଦ ଆଣିଥିଲେ ଏବଂ ସେଠାରୁ ସୁରକ୍ଷିତ ଭାବେ ଛାଡ଼ିବାକୁ ଯାଇଥିଲେ।

ଇରାନର ସାଂସଦ ମୋହସେନ ଜାଙ୍ଗାନେହ ଏବଂ ଗାଲିବାଫଙ୍କ ବରିଷ୍ଠ ପରାମର୍ଶଦାତା ମହଦୀ ମୋହମ୍ମଦୀ ଏହି ଘଟଣାକୁ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ଇରାନର ଆଲୋଚନାକାରୀ ଦଳ ଦେଶ ପାଇଁ ନିଜ ଜୀବନକୁ ବାଜି ଲଗାଇ ଏହି ଶାନ୍ତି ପ୍ରକ୍ରିୟାରେ ସାମିଲ ହୋଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଇସ୍ରାଏଲ୍ ଏହି ମାମଲାରେ ସରକାରୀ ଭାବେ କୌଣସି ପ୍ରତିକ୍ରିୟା ରଖିନାହିଁ।